ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀ ହ୍ୟାଟ୍ରିକ୍‌ରୁ ବଞ୍ଚିତ, ଫାଇନାଲ୍‌ରେ ଭାରତ ‘ବି’

କଟକ,: ଭାରତ ‘ଏ’କୁ ୩୫ ରନ୍‌ରେ ହରାଇ ଭାରତ ‘ବି’ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚ୍‌ ଓଦା ପଡ଼ିଆ ଯୋଗୁଁ ବାତିଲ ହୋଇଯିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ। ଏହାପରେ ରବିବାର ଭାରତ ‘ସି’ ଏବଂ ମଙ୍ଗଳବାର ଭାରତ ‘ଏ’କୁ ହରାଇ ସର୍ବାଧିକ ୧୦ ପଏଣ୍ଟ ସହ ‘ବି’ ଦଳ ଫାଇନାଲ୍‌ ସ୍ଥାନ ପକ୍କା କରିଛି। ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଭାରତ ‘ବି’ ଓ ଭାରତ ‘ସି’ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ୍‌ ଗୁରୁବାରକୁ ଘୁଞ୍ଚାଇ ଦିଆଯାଇଛି। ଗୁରୁବାର ଏହି ମ୍ୟାଚ୍‌ ସହିତ ଅପରାହ୍ନରେ ଭାରତ ‘ଏ’ ଓ ଭାରତ ‘ସି’ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯିବ।

ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ‘ବି’ ଟସ୍‌ ଜିତି ବ୍ୟାଟିଂ କରିଥିଲା। ‘ବି’ ଦଳରେ ସୁଷମା ଶର୍ମାଙ୍କ ସ୍ଥାନରେ ଆର‌୍‌ କଳ୍ପନାଙ୍କୁ ନିଆଯାଇଥିଲା ବେଳେ ‘ଏ’ ଦଳରେ ଜସିଆ ଅଖତର, ମିନୁ ମଣି ଓ କୋମଲ ଝାଞ୍ଜଡଙ୍କୁ ବିଶ୍ରାମ ଦିଆଯାଇ ସେମାନଙ୍କ ବଦଳରେ ଭାରତୀ ଫୁଲମଣି, ଶିବାଲି ସିନ୍ଦେ ଓ ମେଘନା ସି˚ହଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯାଇଥିଲା। ଭାରତ ‘ବି’ ୪ ଵିକେଟ ବିନିମୟରେ ୧୩୯ ରନ୍‌ କରିଥିଲା। ଆରମ୍ଭରୁ ଅଧିନାୟିକା ସ୍ମୃତି ମନ୍ଧାନା ଓ ଭେଲାସ୍ବାମୀ ବନିତା ଚୌକା ଓ ଛକା ବର୍ଷା କରିବା ସହିତ ଅର୍ଧଶତକୀୟ ଭାଗୀଦାରି (୪୦ ବଲ୍‌ରୁ ୫୮ରନ୍‌) କରିଥିଲେ। ମନ୍ଧାନା ୨୫ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୩୪ ଏବଂ ବନିତା ୨୯ ବଲ୍‌ରୁ ୪ ଚୌକା ସହାୟତାରେ ୩୦ ରନ୍‌ କରିଥିଲେ। ଏହାପରେ ଜେମିମା ରୋଡ୍ରିଗୁଏଜ୍‌ ୨୦ ଓ ରିଚା ଘୋଷ ୨୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ପୂଜା ବସ୍ତ୍ରକାର ଓ ଶିଖା ପାଣ୍ତେ ଯଥାକ୍ରମେ ୧୫ (୧୩ ବଲ୍‌, ୧ ଚୌକା) ଓ ୧୪ (୧୦ ବଲ୍‌, ୧ ଚୌକା) ରନ୍‌ କରି ଅପରାଜିତ ରହିଥିଲେ। ଭାରତ ‘ଏ’ ପକ୍ଷରୁ ସ୍ନେହ ରାଣା ୨, ମାନସୀ ଯୋଶୀ ୧, ରାଧା ଯାଦବ ୧ ଵିକେଟ୍‌ ନେଇଥିଲେ।

୧୪୦ ରନ୍‌କୁ ପିଛା କରିଥିବା ‘ଏ’ ଦଳ ୭ ଵିକେଟ ବିନିମୟରେ ୧୦୪ ରନ୍‌ କରିପାରିଥିଲା। ଆରମ୍ଭରୁ ପ୍ରିୟା ପୁନିଆ ଗୋଟିଏ ପଟରୁ ରନ୍‌ ବହାର କରୁଥିଲା ବେଳେ ତାନିଆ ଭାଟିଆ (୧୧), ଦେବିକା ବୈଦ୍ୟ (୬), ଅଧିନାୟିକା ହରମନ୍‌ପ୍ରୀତ କୌର (୬) ଖୁବ୍‌ ଶୀଘ୍ର ନିଜ ନିଜ ଵିକେଟ ହରାଇଥିଲେ। ଅନୁଜା ପାଟିଲ (୪-୦-୧୯-୨) ପ୍ରାରମ୍ଭିକ ଝଟ୍‌କା ଦେଇଥିଲା ବେଳେ ହରମନପ୍ରୀତ୍‌ଙ୍କୁ ପୂଜା ବସ୍ତ୍ରକାର ଆଉଟ୍‌ କରିଥିଲେ। ଚତୁର୍ଥ ଵିକେଟ୍‌ରେ ପ୍ରିୟାଙ୍କ ସହ ଦୀପ୍ତି ଶର୍ମା ଯୋଗଦେଇଥିଲେ। ତେବେ ୧୩ତମ ଓଭରରେ ସୁଶ୍ରୀ ଦିବ୍ୟଦର୍ଶିନୀ ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରିଥିଲେ। ସେ ଏହି ଓଭରର ଚତୁର୍ଥ ବଲ୍‌ରେ ପ୍ରିୟା (୩୪, ୩୩ ବଲ୍‌, ୫ ଚୌକା) ଏବଂ ପଞ୍ଚମ ବଲ୍‌ରେ ସ୍ନେହ ରାଣା (୦)ଙ୍କୁ ଶିକାର କରିଥିଲେ। ତେବେ ଷଷ୍ଠ ବଲ୍‌କୁ ଭାରତୀ ଫୁଲମଣି କୌଣସି ମତେ ଖେଳିଦେବାରୁ ସୁଶ୍ରୀ ହ୍ୟାଟ୍ରିକ୍‌ରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ଦୀପ୍ତି ଓ ଭାରତୀ ଷଷ୍ଠ ଵିକେଟରେ ୩୧ ରନ୍‌ ଯୋଡ଼ିବା ପରେ ତନୁଜା କଵଁର ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଫଳରେ ଭାରତ ‘ବି’ର ପରାଜୟ ନିଶ୍ଚିତ ହୋଇଯାଇଥିଲା। ଦୀପ୍ତି ଶର୍ମା ୩୩ ରନ୍‌ରେ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ପରଜୟରୁ ରକ୍ଷା କରିପାରିନଥିଲେ। ପୂର୍ବ ମ୍ୟାଚ୍‌ରେ ୪-୦-୧୫-୩ ବୋଲି ଚିତ୍ର ପାଇଥିବା ଓଡ଼ିଆ ଝିଅ ସୁଶ୍ରୀ ମଙ୍ଗଳବାର ମ୍ୟାଚ୍‌ରେ ୪-୦-୧୮-୨ର ବୋଲିଂ ଚିତ୍ର ପାଇ ପୁଣି ଚମକ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର