ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି, ଶେଫାଳିଙ୍କ ବିସ୍ଫୋରଣରେ ଭାରତ ‘ସି’ ବିଜେତା

କଟକ: ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟି˚ ବଳରେ ଭାରତ ‘ସି’ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ବିଜେତା ହୋଇଛି। ଶୁକ୍ରବାର ଫାଇନାଲ୍‌ରେ ଏହି ଦଳ ୮ ଵିକେଟ୍‌ରେ ଭାରତ ‘ବି’କୁ ପରାସ୍ତ କରିଦେଇଛି। ହରିୟାଣାର ୧୬ ବର୍ଷିୟା ଯୁବତୀ ଶେଫାଳି ଆରମ୍ଭରୁ ପ୍ରତି ବୋଲରଙ୍କୁ ଧୂଲେଇ କରିଥିଲେ। ତାଙ୍କ ଚୌକା ଓ ଛକା ବର୍ଷା ଯୋଗୁଁ ଭାରତ ‘ସି’ ୧୫.୨ ଓଭରରେ ଏକତରଫା ଭାବେ ମ୍ୟାଚ୍‌ ଶେଷ କରିପାରିଥିଲା। ଶେଫାଳି ୪୮ ବଲ୍‌ରୁ ୧୫ ଚୌକା ଓ ୨ ଛକା ସହାୟତାରେ ୮୯ ରନ୍‌ କରି ଅପରାଜିତ ରହିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟି˚ ନେଇଥିବା ଭାରତ ‘ବି’ ୬ ଵିକେଟ ବିନିମୟରେ ୧୩୧ ରନ୍‌ କରିଥିଲା। ଅଧିନାୟିକା ସ୍ମୃତି ମନ୍ଧାନା ମାତ୍ର ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଜେମିମା ରୋଡ୍ରିଗୁଏଜ (୧୦), ରିଚା ଘୋଷ (୧୫), ଆର‌୍‌ କଳ୍ପନା (୪), ଅନୁଜା ପାଟିଲ (୨୦) ମଧ୍ୟ ବଡ଼ ଯୋଗଦାନ ଦେଇନପାରିବାରୁ ରନ୍‌ ଗତି କମିଯାଇଥିଲା। ପୂଜା ବସ୍ତ୍ରକାର ଶେଷ ଆଡ଼କୁ ଏକାକି ଗୋଟିଏ ପଟରୁ ଆକ୍ରମଣ କରିବାରୁ ଭାରତ ‘ବି’ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଥିଲା। ପୂଜା ୨୨ ବଲ୍‌ରୁ ୩ ଛକା ଓ ୩ ଚୌକା ସହାୟତାରେ ୪୩ ରନ୍‌ କରି ଅପରାଜିତ ରହିଥିଲେ। ଭାରତ ‘ସି’ ପକ୍ଷରୁ ସଫଳ ବୋଲର ଭାବେ ମନାଲି ଦକ୍ଷିଣୀ ୩ ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ‘ସି’ ପକ୍ଷରୁ ଶେଫାଳିଙ୍କ ସହ ବଲାଙ୍ଗୀର ଝିଅ ମାଧୁରୀ ମେହେଟ୍ଟା ପାଳି ଆରମ୍ଭ କରିଥିଲେ। ପ୍ରଥମରୁ ଶେଫାଳି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ ପ୍ରତ୍ୟେକ ବଲ୍‌ରେ ପ୍ରହାର କରିବା ଆରମ୍ଭ କରିଥିଲେ। ଅନ୍ୟପଟରେ ମାଧୁରୀ ମଧ୍ୟ ତାଙ୍କୁ ଭରପୂର ସହଯୋଗ ଦେଇ ରକ୍ଷଣାତ୍ମକ ଖେଳି ଚାଲିଥିଲେ। ଉଭୟ ପ୍ରଥମ ଵିକେଟ୍‌ରେ ୧୦ ଓଭରରୁ ୭୭ ରନ୍‌ ସ˚ଗ୍ରହ କରିଥିଲେ। ଏଥିମଧ୍ୟରେ ଶେଫାଳି ୨୭ ବଲ୍‌ରୁ ତାଙ୍କର ଅର୍ଧଶତକ ପୂରଣ କରିଥିଲେ। ମାଧୁରୀ ୨୦ (୩୦ ବଲ୍‌, ୩ ଚୌକା) ରନ୍‌ କରିଥିଲା ବେଳେ ଅନୁଜା ପାଟିଲଙ୍କ ଦ୍ବାରା ରନ୍‌ ଆଉଟ ହୋଇଯିବାରୁ ଯୋଡ଼ି ଭାଙ୍ଗିଥିଲା। ତଥାପି ଶେଫାଳି ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନଥିଲେ। ଅଧିନାୟିକା ବେଦ କ୍ରିଷ୍ଣମୂର୍ତି ମଧ୍ୟ ଦ୍ରୁତ ଖେଳିବାକୁ ଯାଇ ୮ ବଲ୍‌ରୁ ୩ ଚୌକା ସହାୟତାରେ ୧୫ ରନ୍‌ କରି ନିଜ ଵିକେଟ୍‌ ହରାଇଥିଲେ। ଶେଫାଳିଙ୍କ ବିସ୍ଫୋରଣ ବଳରେ ୧୫.୨ ଓଭରରେ ହିଁ ଦଳ ବିଜୟ ମୁଣ୍ଡି ମାରିଥିଲା।

ରାଜେଶ୍ବରୀ, ଶେଫାଳି ଶୀର୍ଷରେ
ଭାରତ ‘ସି’ ପାଇଁ ଖେଳୁଥିବା ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ ପ୍ରତିଯୋଗିତାର ସର୍ବାଧିକ ଵିକେଟ୍‌ ହାସଲକାରୀ ବୋଲର ହୋଇଥିଲେ। ସେ ୫ ମ୍ୟାଚ୍‌ରୁ ମୋଟ ୮ ଵିକେଟ୍‌ ନେଇଥିଲେ। ତାଙ୍କ ପଛକୁ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ୭, ଅରୁନ୍ଧତୀ ରେଡ୍ଡୀ ୬ ଓ ରାଧା ଯାଦବ ୫ ଵିକେଟ୍‌ ପାଇଥିଲେ। ଅନ୍ୟପକ୍ଷରେ ଶେଫାଳି ବର୍ମା ୧୮୯ ରନ୍‌ କରି ସର୍ବାଧିକ ରନ୍‌ ସ˚ଗ୍ରହକାରୀ ବ୍ୟାଟ୍‌ସଓମ୍ୟାନ୍‌ ହୋଇପାରିଛନ୍ତି। ତାଙ୍କ ପଛକୁ ଭାରତ ‘ଏ’ର ପ୍ରିୟା ପୁନିଆ ୧୧୯ ରନ୍‌ କରିଥିଲେ। ଓଡ଼ିଆ ଝିଅ ମାଧୁରୀ ମେହେଟ୍ଟା ୩ ମ୍ୟାଚ୍‌ ଖେଳି ମୋଟ ୬୩ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର