ମହିଳା ଟେ୍ଵଣ୍ଟି-୨୦: ଓଡ଼ିଶାର ଦ୍ୱିତୀୟ ବିଜୟ

କଟକ: ବୋଲରଙ୍କ ଶାଣୀତ ବୋଲିଂ ପାଇଁ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଓଡ଼ିଶା ମହିଳା ଦଳ ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ପଞ୍ଜାବକୁ ମାତ୍‌ ଦେଇଥିବା ଓଡ଼ିଶା ଦଳ ରବିବାର ମ୍ୟାଚ୍‌ରେ ଜମ୍ମୁ କଶ୍ମୀରକୁ ୫୮ ରନ୍‌ରେ ପରାସ୍ତ କରିଛି। ମାଧୁରୀ ମେହେଟ୍ଟାଙ୍କ ୪୦, ସରିତା ମେହେର୍‌ଙ୍କ ୩୦ ଓ ମଧୁସ୍ମିତା ବେହେରାଙ୍କ ୧୯ ରନ୍‌ ସହାୟତାରେ ମଧୁସ୍ମିତା ବେହେରାଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ନିର୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୩୦ ରନ୍‌ କରିଥିଲା। ବିପକ୍ଷ ଦଳର ବିସ୍‌ମା ହାସନ୍‌ ୫ ଓ୍ଵିକେଟ ଅକ୍ତିଆର କରିଥିଲେ। ତେବେ ଓଡ଼ିଶା ବୋଲରଙ୍କ ନିୟନ୍ତ୍ରିତ ବୋଲିଂ ଯୋଗୁଁ ଜମ୍ମୁ କଶ୍ମୀର ଖେଳାଳିମାନେ ହାତଖୋଲା ସଟ୍‌ ମାରିବାରେ ବିଫଳ ହୋଇଥିଲେ। ପ୍ରାରମ୍ଭିକ ଖେଳାଳି ଅଞ୍ଜୁ ଦେବୀ (୭) ଓ ରୁବିୟା ସୟଦ (୩୩) ମିଳିତ ଭାବେ ୬୨ ବଲ୍‌ ଖେଳି ୫୨ ରନ୍‌ ଯୋଡ଼ିଥିଲେ। ୧୫.୩ ଓଭରରେ ଯୋଡ଼ି ଭାଙ୍ଗିବା ପରଠୁ ନିୟମିତ ଭାବେ ଓ୍ଵିକେଟ୍‌ ଝଡ଼ିଥିଲା। ଶେଷରେ ଜମ୍ମୁ କଶ୍ମୀର ୬ ଓ୍ଵିକେଟ୍‌ ବିନିମୟରେ ୭୨ ରନ୍‌ କରିପାରିଥିଲା। ମଧୁସ୍ମିତା ବେହେରା ୨ ଓ୍ଵିକେଟ ଅକ୍ତିଆର କରିଥିଲା ବେଳେ ରୀମାଲକ୍ଷ୍ମୀ ଏକ୍କା, ରୋସ୍‌ନାରା ପରଓ୍ଵିନ୍‌, ରାଜଶ୍ରୀ ସ୍ୱାଇଁ, ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ।

ସମ୍ବନ୍ଧିତ ଖବର