ସିଡ୍ନି: ଆଇସିସିର ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ। ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ଶୁକ୍ରବାର ଉଦ୍ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରତୀକ୍ଷିତ ସ୍ଥିର ପ୍ରଦର୍ଶନ ଜରିଆରେ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟନେଇ ହର୍ମନ୍ପ୍ରୀତ୍ କୌରଙ୍କ ନେତୃତ୍ବାଧୀନ ଭାରତ ଆଗକୁ ବଢ଼ିବାର ଯୋଜନା କରିଥିଲା ବେଳେ ଶକ୍ତିଶାଳୀ ତଥା ଗତଥର ବିଜେତା ଅଷ୍ଟ୍ରେଲିଆ ଆରମ୍ଭରୁ ବାଟ ଓଗାଳିବାର ଯୋଜନା ମଧ୍ୟ କରିଛି। ଦୀର୍ଘ ବର୍ଷ ଧରି ଅସ୍ଥିର ପ୍ରଦର୍ଶନ ହିଁ ଭାରତର ଦୁଃଖ ରହିଛି। ତଥାପି ନିକଟରେ ଅଷ୍ଟ୍ରେଲିଆରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଏଥିରେ ସୁଧାର ଆଣି ଫାଇନାଲ୍ରେ ପ୍ରବେଶ କରିଥିବାର ପ୍ରମାଣ ମଧ୍ୟ ରହିଛି। ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡଠାରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲା ଓ ହାରିଥିଲା। ଶେଷରେ ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ହାରିଥିଲା। ତେଣୁ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଫାଇନାଲ୍ ବାଧା ଅତିକ୍ରମ କରିବାକୁ ପ୍ରୟାସ କରିବ ଭାରତ। ବିଶେଷକରି ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ହିଁ ଭାରତ ପାଇଁ ଚିନ୍ତାର କାରଣ। ପ୍ରଥମରୁ ଯୁବ ଖେଳାଳି ଶେଫାଳି ବର୍ମା, ସ୍ମୃତି ମନ୍ଧାନା ଏବଂ ଅଧିନାୟିକା ହର୍ମନ୍ପ୍ରୀତ୍ଙ୍କ ଉପରେ ହିଁ ଭାରତ ଅଧିକ ନର୍ଭରଶୀଳ ରହିବ। ସେହିପରି ବୋଲିଂରେ ପେସର୍ଙ୍କ ତୁଳନାରେ ଭାରତ ସ୍ପିନରଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିବ। ୨୦୧୮ ବିଶ୍ବକପ୍ ପରଠୁ ଦଳ ଯଥେଷ୍ଟ ଉନ୍ନତି କରିଛି। ସେଥିପାଇଁ ଭାରତ ଏଥର ବିଶ୍ବକପ୍ ଜିତିବାର ଅନ୍ୟତମ ଦାବିଦାର ବୋଲି ଦୃଢ଼ ଆଶା ବାନ୍ଧିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଡବ୍ଲୁଭି ରମଣ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଏପର୍ଯ୍ୟନ୍ତ ୬ ସଂସ୍କରଣ ଆୟୋଜିତ ହୋଇସାରିଥିଲା ବେଳେ ଅଷ୍ଟ୍ରେଲିଆ ହିଁ ସବୁଠୁ ଅଧିକ ୪ ଥର ବିଜେତା ହୋଇ ନିଜ ଶକ୍ତିର ପରିଚୟ ଦେଇସାରିଛି। ଏଥର ପୁଣି ଘରୋଇ ପରିବେଶରେ ଖେଳୁଥିବାରୁ ତାକୁ ହରାଇବା ଅନ୍ୟ କୌଣସି ବି ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ କଷ୍ଟକର ହୋଇପାରେ। ଆମେ ନିକଟରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଜିତି ମନୋବଳ ଦୃଢ଼ କରିଛୁ। ଏହାକୁ ବିଶ୍ବକପ୍ରେ ମଧ୍ୟ ଦୋହରାଇବୁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟିକା ମେଗ୍ ଲାନିଙ୍ଗ୍।