ମହିଳା ଟେ୍ଵଣ୍ଟି-୨୦ :ଭାରତର ଆଗୁଆ ଶୃଙ୍ଖଳା କବ୍‌ଜା

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ମହିଳା ଦଳ ଗୋଟିଏ ମ୍ୟାଚ୍‌ ପୂର୍ବରୁ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ କବ୍‌ଜା କରି ନେଇଛି। ୫ ଟିକିଆ ବିଶିଷ୍ଟ ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ପ୍ରଥମ ମ୍ୟାଚ୍‌କୁ ୧୩ ରନ୍‌ ଏବଂ ତୃତୀୟକୁ ୫ ଓ୍ଵିକେଟ୍‌ରେ ଜିତିଥିବା ଭାରତ ସୋମବାର ଚତୁର୍ଥ ମୁକାବିଲାକୁ ୭ ଓ୍ଵିକେଟ୍‌ରେ ଜିତିି ନେଇଥିଲା। ଶେଷ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ।
ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କା ନିର୍ଧାରିତ ୧୭ ଓଭରରେ ଶଶିକଳା ସିରିବର୍ଦେନେଙ୍କ ୪୦ ରନ୍‌ ବଳରେ ୫ ଓ୍ଵିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା ଅନୁଜା ପାଟିଲ୍‌ ୩ ଏବଂ ଦୀପ୍ତି ଶର୍ମା ଓ ରାଧା ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ଅନୁଜା (୫୪*, ୪୨ ବଲ୍‌, ୭ ଚୌକା) ଓ ଜେମିମା ରୋଦ୍ରିଗୁଏଜ୍‌ (୫୨*, ୩୭ ବଲ୍‌, ୫ ଚୌକା, ୨ ଛକା)ଙ୍କ ଅପରାଜିତ ବିସ୍ଫୋରକ ଅର୍ଧଶତକ ବଳରେ ଭାରତ ୧୫.୪ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ମିତାଲି ରାଜ୍‌ ୧୧, ସ୍ମୃତି ମନ୍ଧାନା ଓ ତାନିୟା ଭାଟିଆ ୫ ରନ୍‌ ଲେଖାଏଁ କରିଥିଲେ। ଓସାଦି ରଣସିଙ୍ଘେ ୩ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର