ଭୁବନେଶ୍ବର: ଚଳିତ ଆଇପିଏଲ୍‌ ଅବସରରେ ଆସନ୍ତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି-୨୦ ଚାଲେଞ୍ଜ୍‌ ପ୍ରତିଯୋଗିତା ଲାଗି ୩ ଅଂଶଗ୍ରହଣକାରୀ ଦଳର ଖେଳାଳି ତାଲିକା ରବିବାର ଘୋଷିତ ହୋଇଛି। ଭାରତୀୟ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ନେତୃତ୍ବାଧୀନ ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ଅଲରାଉଣ୍ଡର୍‌ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଲଗାତାର ଦ୍ବିତୀୟ ବର୍ଷ ପାଇଁ ମଧ୍ୟ ସେ ଏହି ମହିଳା ଟି-୨୦ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍ତି। ଘରୋଇ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ ସହିତ ବୋର୍ଡ ସଭାପତି ଦଳ ଏବଂ ଚା‌ଲେଞ୍ଜର୍ସ ଟ୍ରଫିରେ ଚମତ୍କାର ଖେଳିଥିବା ସୁଶ୍ରୀଙ୍କୁ ଏବେ ଆଉ ଏକ ବଡ଼ ସୁଯୋଗ ମିଳିଛି। ଆଇପିଏଲ୍‌ରେ ଓଡ଼ିଶାରୁ ଜଣେ ହେଲେ ଖେଳୁନଥିବା ବେଳେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ୟୁଏଇ ଯିବେ ସୁଶ୍ରୀ। ଏହି ଖବର ପ୍ରସାରିତ ହେବା ପରେ ଓଡ଼ିଶା କ୍ରିକେଟ୍‌ରେ ଖୁସିର ଲହରି ଖେଳିଯାଇଛି।

Advertisment

ଅନ୍ତର୍ଜାତୀୟ ଖେଳାଳି ରୋସନାରା ପରବିନ, ମାଧୁରୀ ମେହେଟା ପ୍ରମୁଖ ସୁଶ୍ରୀଙ୍କ ପାଇଁ ଗର୍ବିତ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିବା ବେଳେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି ତାଙ୍କ ପ୍ରଶିକ୍ଷକ କ୍ଷୀରୋଦ ବେହେରା। ଭୁବନେଶ୍ବର ନୂଆପଲ୍ଲୀର ଇନ୍ଦିରା ମଇଦାନ ପରିସର ଏସଜିଓ ପଡିଆରେ ସୁଶ୍ରୀଙ୍କ ଖେଳ ଜୀବନକୁ ଗଢ଼ିଥିବା କ୍ଷୀରୋଦଙ୍କୁ ମଧ୍ୟ ସୁଶ୍ରୀ ସବୁ ଶ୍ରେୟ ଦିଅନ୍ତି। ‘ମିତାଲି ରାଜଙ୍କ ଦଳରେ ସ୍ଥାନ ପାଇଥିବାରୁ ମୁଁ ବହୁତ ଖୁସି, ପ୍ରଶିକ୍ଷକ କ୍ଷୀରୋଦ ସାର୍‌ଙ୍କ ସହ ଓଡ଼ିଶା କ୍ରିକେଟ୍ ସଂଘ ନିକଟରେ ମୁଁ ଚିର ଋଣି। କଠିନ ପରିଶ୍ରମ ଏବଂ କ୍ଷୀରୋଦ ସାର୍‌ଙ୍କ ମାର୍ଗଦର୍ଶନ କାରଣରୁ ମୁଁ ସଫଳ ହୋଇଛି। ଜାଗୃତି କ୍ରିକେଟ ଏକାଡେମି ଏବଂ ମୋ ନିଯୁକ୍ତି ଦାତା ଓଡ଼ିଶା ପୁଲିସ୍‌କୁ ମଧ୍ୟ ନିରଂତର ସମର୍ଥନ ଲାଗି ଧନ୍ୟବାଦ ଦେବି’ ବୋଲି ଡାହାଣହାତୀ ଅଫସ୍ପିନ ଅଲରାଉଣ୍ଡର୍‌ ସୁଶ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଟି-୨୦ ଚ୍ୟାଲେଞ୍ଜ୍‌ରେ ସ୍ଥାନ ପାଇଥିବାରୁ ସୁଶ୍ରୀଙ୍କୁ ଓଡ଼ିଶା କ୍ରିକେଟ୍‌ ସଂଘ ପକ୍ଷରୁ ସଭାପତି ପଙ୍କଜଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଭାରତୀୟ ଖେଳାଳିମାନେ ଅକ୍ଟୋବର ୧୩ ସୁଦ୍ଧା ୟୁଏଇରେ ପହଞ୍ଚି ୯ ଦିନିଆ ସଂଗରୋଧରେ ରହିବା ପରେ ଏକତ୍ରିତ ହେବେ। କିଛି ପ୍ରମୁଖ ତାରକାଙ୍କ ସହ ମୋଟ ୧୨ ଜଣ ବିଦେଶୀ ଖେଳାଳି ମଧ୍ୟ ଏହି ୩ ଦଳରେ ସାମିଲ ହୋଇଛନ୍ତି।

ଭେଲୋସିଟି ଦଳ: ମିତାଲି ରାଜ (ଅଧିନାୟିକା), ବେଦ କୃଷ୍ଣମୂର୍ତ୍ତି (ଉପ ଅଧିନାୟିକା), ସୁଷମା ବର୍ମା (ୱିକେଟରକ୍ଷକ), ଏକତା ବିଷ୍ଟ, ମାନସୀ ଯୋଷୀ, ଶିଖା ପାଣ୍ଡେ, ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶିନୀ, ମନାଲି ଦକ୍ଷିଣୀ, ଲେଗ୍‌ କାସ୍ପେରେକ୍‌, ଡାନିଏଲ୍‌ ୱାଟ୍‌, ସୁନ୍‌ ଲୁସ୍‌, ଜାହାନାରା ଅଲାମ, ଏମ୍ ଅନଘ, କାସଭୀ ଗୌତମ।

ସୁପରନୋଭାସ ଦଳ: ହରମନପ୍ରୀତ୍ କୌର (ଅଧିନାୟିକା), ଜେମିମା ରଡ୍ରିଗ୍ବେଜ୍‌ (ଉପ ଅଧିନାୟିକା), ଚମାରି ଅଟାପାଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ୍‌, ରାଧା ଯାଦବ, ତାନିଆ ଭାଟିଆ (ୱିକେଟରକ୍ଷକ), ଶଶୀକଳା ସିରିବର୍ଧନେ, ପୁନମ ଯାଦବ, ସକିରା ସଲମାନ, ଅରୁନ୍ଧତି ରେଡ୍ଡୀ, ପୂଜା ବସ୍ତ୍ରାକର, ଆୟୂଷୀ ସୋନି, ଆୟାବୋଙ୍ଗା ଖାକା, ମୁସକାନ ମଲ୍ଲିକ।

ଟ୍ରେଲ‌ବ୍ଲେଜର ଦଳ: ସ୍ମୃତି ମନ୍ଧାନା (ଅଧିନାୟିକା), ଦୀପ୍ତି ଶର୍ମା (ଉପ ଅଧିନାୟିକା), ପୁନମ ରାଉତ, ରିଚା ଘୋଷ, ଡି ହେମଲତା, ନୁଜହତ ପରବିନ୍‌ (ୱିକେଟରକ୍ଷକ), ରାଜେଶ୍ବରୀ ଗାଏକ୍ବାଡ, ହରଲିନ୍ ଦେଓଲ, ଝୁଲନ ଗୋସ୍ବାମୀ, ସିମରନ୍ ଦିଲ୍ ବାହାଦୂର, ସଲମା ଖାତୁନ୍, ସୋଫି ଏସେଲଷ୍ଟୋନ୍, ନଥକନ୍‌ ଚନ୍ଥାନମ, ଦିନ୍ଦ୍ରା ଡଟିନ୍।