ମହିଳା ତ୍ରିରାଷ୍ଟ୍ରୀୟ: ପରାଜୟରୁ ଭାରତର ଅଭିଯାନ

ମୁମ୍ବାଇ: ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମହିଳା ଦଳକୁ ନେଇ ଗୁରୁବାରଠୁ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା। ଆୟୋଜକ ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ୬ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆଠୁ ହାରିଯାଇଛି। ଅଷ୍ଟ୍ରେଲିଆ ମଧ୍ୟ ଚଳିତ ଭାରତ ଗସ୍ତରେ ଅପରାଜେୟ ଧାରାକୁ ଲମ୍ବାଇଛି। ପୂର୍ବରୁ ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୩-୦ରେ ଭାରତକୁ ମୂଳପୋଛ କରିଥିଲା। ଫର୍ମାଟ୍‌ ବଦଳିଥିଲେ ମଧ୍ୟ ଭାରତର ଭାଗ୍ୟରେ ପରିବର୍ତନ ଘଟିନି। ଗୁରୁବାର ଭାରତ ଟସ୍‌ ହାରି ବ୍ୟାଟିଂ ପାଇଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମାନ୍ଧାନାଙ୍କ ୪୧ ବଲ୍‌ରୁ ଦ୍ରୁତ ୬୭ ରନ୍‌ ସାଙ୍ଗକୁ ଅନୁଜା ପାଟିଲଙ୍କ ୨୧ ବଲ୍‌ରୁ ୩୫, ମିତାଲି ରାଜ୍‌ଙ୍କ ୧୮, ଭେଡା କୃଷ୍ଣମୂର୍ତ୍ତିଙ୍କ ୧୫* ଏବଂ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌରଙ୍କ ୧୩ ରନ୍‌ ବଳରେ ଭାରତ ୫ ଓ୍ଵିକେଟ୍‌ ବିନିମୟରେ କରିଥିଲା ୧୫୨ ରନ୍‌। ଅଷ୍ଟ୍ରେଲିଆ ପକ୍ଷରୁ କେହି ବି ଅର୍ଧଶତକ ହାସଲ ନକରିବା ସତ୍ତ୍ୱେ ଦଳ ହାତରେ ୬ ଓ୍ଵିକେଟ୍‌ ଥାଇ ୧୧ ବଲ୍‌ ପୂର୍ବରୁ ବିଜୟ ହାସଲ କରିନେଇଥିଲା। ଝୁଲଣ ଗେସ୍ୱାମୀଙ୍କ ପ୍ରଥମ ଓ ତୃତୀୟ ଓଭରରେ ଯୁଗଳ ଝଟ୍‌କା ଯୋଗୁଁ ୨୯ ରନ୍‌ରେ ୨ ଓ୍ଵିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆ ୧୮.୧ ଓଭରରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା। ଝୁଲଣ ୩୦ ରନ୍‌ରେ ୩ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ଅନ୍ୟପଟୁ କୌଣସି ସମର୍ଥନ ପାଇନଥିଲେ। ଦୁଇ ମଧ୍ୟମଗତି ବୋଲର ଶିଖା ପାଣ୍ଡେ (୨ ଓଭରରେ ୨୫) ଏବଂ ରୁମେଲି ଧର (୨.୧ ଓଭରରେ ୨୮) ମହଙ୍ଗା ସାବ୍ୟସ୍ତ ହେବାରୁ ଭାରତ ପରାଜୟ ପାଇଁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର