ପୁରୁଷ ଦିନିକିଆ ମ୍ୟାଚ୍‌ରେ ମହିଳା ଅମ୍ପାୟାର: ଇତିହାସ ରଚିଲେ ପୋଲୋସାକ୍‌

ଦୁବାଇ: ଅଷ୍ଟ୍ରେଲିଆର କ୍ଲାରେ ପୋଲୋସାକ୍‌ ଶନିବାର ଏକ ଇତିହାସ ରଚିଛନ୍ତି। କୌଣସି ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବାରେ ସେ ପ୍ରଥମ ମହିଳା ଅମ୍ପାୟାର ଭାବେ ଏହି କୀର୍ତିମାନର ଅଧିକାରୀ ହୋଇଛନ୍ତି। ପୋଲୋସାକ୍‌ ଶନିବାର ନାମିବ୍ୟା ରାଜଧାନୀ ୱିନ୍‌ଢୋକ୍‌ରେ ବିଶ୍ବ କ୍ରିକେଟ୍‌ ଲିଗ୍‌ (ଡିଭିଜନ୍‌-୨)ର ଫାଇନାଲ୍‌ ମ୍ୟାଚ୍‌ରେ ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ। ନାବିବ୍ୟା ଓ ଓମାନ୍‌ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଏହା ପୂର୍ବରୁ ପୋଲୋସାକ୍‌ ୨୦୧୭ରେ ଅଷ୍ଟ୍ରେଲିଆର ପୁରୁଷ ଘରୋଇ ପ୍ରତିଯୋଗିତା ଜେଏଲ୍‌ଟି କପ୍‌ରେ ଅମ୍ପାୟାରିଂ କରିବାରେ ମଧ୍ୟ ପ୍ରଥମ ମହିଳା ଥିଲେ। ପ‌ରେ ଗତବର୍ଷ ଡିସେମ୍ବରରେ ସେ ଏବଂ ତାଙ୍କ ସାଥୀ ଏଲୋଇଜ୍‌ ସେରିଦାନ୍‌ ପ୍ରଥମ ମହିଳା ଅମ୍ପାୟାର ଯୋଡ଼ି ଭାବେ ଏକାଠି ଅଷ୍ଟ୍ରେଲିଆରେ ପେସାଦାର ମ୍ୟାଚ୍‌ ପରିଚାଳନା କରିବାରେ ଇତିହାସ ରଚିଥିଲେ। ଉଭୟେ ଡବ୍ଲୁବିବିଏଲ୍‌ରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ମେଲ୍‌ବର୍ନ ‌ଷ୍ଟାର୍ସ ମ୍ୟାଚ୍‌ ପରିଚାଳନା କରିଥିଲେ। ତେବେ ପ୍ରଥମ ଥର ଲାଗି ଏକ ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବା ସୁଯୋଗ ପାଇଥିବାରୁ ଖୁବ୍‌ ଆନନ୍ଦିତ ବୋଲି ପୋଲୋସାକ୍‌ କହିଛନ୍ତି। ପୁରୁଷଙ୍କ ମ୍ୟାଚ୍‌ ପରିଚାଳନା ପାଇଁ ମହିଳାଙ୍କୁ ପଦୋନ୍ନତି ଦେବାରେ ଏହା ଗୁରୁତ୍ବପୂର୍ଣ୍ଣ ରହିବ। ଏଥି ସହିତ ମହିଳାମାନେ ଯେ କାହିଁକି ପୁରୁଷଙ୍କ ମ୍ୟାଚ୍‌ ପରିଚାଳନା କରିନପାରିବେ ତାହାର କାରଣ କିଛି ନାହିଁ ବୋଲି ପୋଲୋସାକ୍‌ଙ୍କ ଉଦା‌ହରଣରୁ ସ୍ପଷ୍ଟ ହୋଇଛି। ଶନିବାର ମ୍ୟାଚ୍‌ ପରିଚାଳନା ଯୋଗୁଁ ପୋଲୋସାକ୍‌ଙ୍କୁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ବରିଷ୍ଠ ମହାପ୍ରବନ୍ଧକ ଆଡ୍ରିଆନ୍‌ ଗ୍ରିଫ୍‌ଥ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୋଲୋସାକ୍‌ ଏବେ ମହିଳାଙ୍କ ପାଇଁ ଆଦର୍ଶ ବନି ଯାଇଥିବା ଗ୍ରିଫ୍‌ଥ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ପୋଲୋସାକ୍‌ ୨୦୧୬ରୁ ଏପର୍ଯ୍ୟନ୍ତ ୧୫ ମହିଳା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିସାରିଥିଲା ବେଳେ ଗତବର୍ଷ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ମଧ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର