ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ମ୍ୟାଚ୍ ପରିଚାଳନା କରିଛନ୍ତି ମହିଳା ଅମ୍ପାୟାର। ଏକ୍ଷେତ୍ରରେ ମଙ୍ଗଳବାର ବ୍ରିନ୍ଦା ରଥି, ଏନ୍ ଜନନୀ ଏବଂ ଭି ଗାୟତ୍ରୀ ଇତିହାସ ରଚିଛନ୍ତି। ବିସିସିଆଇର ପୁରୁଷ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ମ୍ୟାଚ୍ ପରିଚାଳନା କରିବାରେ ଏହି ତିନି ଜଣ ପ୍ରଥମ ମହିଳା ହୋଇଛନ୍ତି। ମୁମ୍ବାଇ ବାସିନ୍ଦା ୩୨ ବର୍ଷ ବୟସ୍କା ରଥି ବିସିସିଆଇ ସ୍କୋରର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ସ୍ଥାନୀୟ ମ୍ୟାଚ୍ରେ ଦାୟିତ୍ବ ତୁଲାଇଥିଲେ। ସେ ମଧ୍ୟ ୨୦୧୩ ମହିଳା ବିଶ୍ବକପ୍ ପାଇଁ ବିସିସିଆଇର ଅଫିସିଆଲ ସ୍କୋରର୍ ରହିଥିଲେ। ଏହାପରେ ସେ ଅମ୍ପାୟାରିଂ ସୁଯୋଗ ପାଇଥିଲେ।
ସେହିପରି ଦୀର୍ଘଦୀନ ଧରି ଜଣେ କ୍ରିକେଟପ୍ରେମୀ ରହିଥିବା ୩୬ ବର୍ଷ ବୟସ୍କା ଜନନୀ ତାମିଲନାଡୁ କ୍ରିକେଟ୍ ସଂଘ ପକ୍ଷରୁ ଏକାଧିକ ଥର ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ। ସେ ୨୦୧୮ରେ ବିସିସିଆଇର ଲେଭଲ୍-୨ ଅମ୍ପାୟରିଂ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଫଳରେ ନିଜର ଆଇଟି କାର୍ଯ୍ୟ ଛାଡ଼ି ଅମ୍ପାୟାରିଂ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ମଧ୍ୟ ୨୦୨୧ରେ ତାମିଲନାଡୁ ପ୍ରିମିୟର ଲିଗ୍ ପରିଚାଳନା କରିଛନ୍ତି। ପୂର୍ବତନ କ୍ରିକେଟର୍ ଗାୟତ୍ରୀ ଏବେ ଜାମ୍ସେଦପୁରରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଦ୍ବିତୀୟ ରାଉଣ୍ଡ ରଣଜୀ ମ୍ୟାଚ୍ ପରିଚାଳନା କରୁଥିଲା ବେଳେ ଜଣେ ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟର ଜନନୀ ରେଳବାଇ ଓ ତ୍ରିପୁରା ଏବଂ ରଥି ଗୋଆ-ପଣ୍ଡିଚେରୀ ମ୍ୟାଚ୍ ପରିଚାଳନା କରୁଛନ୍ତି। ଉଭୟ ଜନନୀ ଓ ରଥି ୨୦୨୦ରୁ ଆଇସିସି ପ୍ୟାନେଲ ଅଫ୍ ଡେଭଲେପ୍ମେଣ୍ଟ ଅମ୍ପାୟାର ତାଲିକାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/d46a4dg65dg465gda.jpg)