ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ: ସ୍ୱର୍ଣ୍ଣ ଦୌଡ଼ରେ ୩ ଭାରତୀୟ

ଗୌହାଟୀ\: ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ସ୍ୱର୍ଣ୍ଣ ପଦକ ଦୌଡ଼ରେ ୩ ଭାରତୀୟ ସାମିଲ ହୋଇଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ଜ୍ୟୋତି ଗୁଲିଆ (୫୧ କିଲୋଗ୍ରାମ୍‌), ଶଶୀ ଚୋପ୍ରା (୫୭ କେଜି) ଏବଂ ଅଙ୍କୁଶିତା ବୋରୋ (୬୪ କେଜି) ନିଜ ନିଜ ଲଢ଼େଇ ଜିତି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଜ୍ୟୋତି ୪-୧ରେ କାଜକସ୍ତାନର ଅବ୍‌ଦ୍ରାଇମୋଭା ଝାନ୍‌ସିଆଙ୍କୁ, ଶଶି ୫-୦ରେ ମୋଗଲିଆର ମୋଙ୍ଖର ନାମୁନ୍‌ଙ୍କୁ ଏବଂ ଅଙ୍କୁଶିତା ୫-୦ରେ ଥାଇଲାଣ୍ଡ୍‌ର ସାକ୍ରି ଥାନଚାନୋକଙ୍କୁ ହରାଇଥିଲେ। ରବିବାର ଫାଇନାଲ୍‌ରେ ଜ୍ୟୋତି ରୁଷିଆର ମୋଲଚାନୋଭା ଏକାତେରିନାଙ୍କୁ, ଶଶି ଇଏତ୍‌ନାମ୍‌ର ଡୋ ହଙ୍ଗ୍‌ ଗୋକ୍‌ଙ୍କୁ ଏବଂ ଅଙ୍କୁଶିତା ରୁଷିଆର ଦିନିକ୍‌ ଏକାତେରିନାଙ୍କୁ ଭେଟିବେ। ତେବେ ୮୧ କିଲୋଗ୍ରାମ୍‌ ଅଧିକ ଓଜନ ବର୍ଗରେ ନେହା ଯାଦବ କାଂସ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଶୁକ୍ରବାର ସେମିଫାଇନାଲ୍‌ରେ ୦-୫ରେ କାଜକସ୍ତାନର ଇସ୍‌ଲାମବେକୋଭା ଦିନାଙ୍କଠୁ ହାରିଯାଇଥିଲେ। ପ୍ରଥମ କରି ଭାରତରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୮ ଦେଶର ୧୫୦ରୁ ଅଧିକ ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରିଛନ୍ତି। ଭାରତ ଗତ ସଂସ୍କରଣରେ କେବଳ ଗୋଟିଏ କାଂସ୍ୟ ଜିତିଥିଲା।

ସମ୍ବନ୍ଧିତ ଖବର