ମହିଳା ବିଶ୍ବ ଟ୍ବେଣ୍ଟି-୨୦: ଲକ୍ଷ୍ୟ ସେମିଫାଇନାଲ୍
ଆଜି ଆୟର୍ଲାଣ୍ଡ୍କୁ ଭେଟିବ ଭାରତ
ଗାଏନା: ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ମହିଳା ବିଶ୍ବ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଗୁରୁବାର (ଆସନ୍ତାକାଲି) ଭାରତ ତା’ର ତୃ୍ତୀୟ ମ୍ୟାଚ୍ରେ ଆୟର୍ଲାଣ୍ଡ୍କୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ନ୍ୟୁଜିଲାଣ୍ଡ୍ ଓ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ୪ ପଏଣ୍ଟ୍ ଅକ୍ତିଆର କରି ସାରିଥିବା ହର୍ମନ୍ପ୍ରୀତ୍ କୌରଙ୍କ ଭାରତୀୟ ଦଳ ଆୟର୍ଲାଣ୍ଡ୍କୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେବା ଲକ୍ଷ୍ୟରେ ରହିଛି। ଏହି ୧୦ ଦଳୀୟ ପ୍ରତିଯୋଗିତାରେ ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଲେଖାଏଁ ଦଳ ସେମିଫାଇନାଲ୍ ଖେଳିବେ। ସେହି ଦୃଷ୍ଟିରୁ ଗ୍ରୁପ୍-ବିରେ ସ୍ଥାନ ପାଇଥିବା ଭାରତ ୨ ମ୍ୟାଚ୍ରୁ ଅପରାଜିତ ରହି ୪ ପଏଣ୍ଟ୍ ପାଇଥିଲା ବେଳେ ପାକିସ୍ତାନ ୩ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ପାଇ ୨ ପଏଣ୍ଟ୍ରେ ରହିଛି। ଅଷ୍ଟ୍ରେଲିଆ ୩ ମ୍ୟାଚ୍ରୁ ୩ ବିଜୟ ସହ ସର୍ବାଧିକ ୬ ପଏଣ୍ଟ୍ ପାଇ ଏହି ଗ୍ରୁପ୍ରୁ ପ୍ରଥମ ଦଳ ଭାବେ ସେମିଫାଇନାଲ୍ ସ୍ଥାନ ପକ୍କା କରିସାରିଛି। ଅଷ୍ଟ୍ରେଲିଆ ତା’ର ଚତୁର୍ଥ ତଥା ଶେଷ ମ୍ୟାଚ୍ରେ ଭାରତକୁ ଭେଟିବ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପୂର୍ବରୁ ଆୟର୍ଲାଣ୍ଡ୍କୁ ହରାଇ ଭାରତ ସେମିଫାଇନାଲ୍ ଯୋଗ୍ୟତା ହାତେଇବା ଲକ୍ଷ୍ୟ ରଖିଛି। ଆଉ ଗୁରୁବାର ଭାରତ ବିଜୟୀ ହେଲେ ପାକିସ୍ତାନ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ଗୁରୁବାର ପ୍ରୋଭିଡେନ୍ସରେ ଆୟର୍ଲାଣ୍ଡ୍ ସହ ମୁହାଁମୁହିଁ ହେବ। ଏହି ପଡ଼ିଆରେ ଭାରତ ତା’ର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ସହ ଖେଳିଥିଲା। ଆଉ ସେହି ମ୍ୟାଚ୍ରେ ଦମ୍ଦାର ଶତକ ହାସଲ କରି ଅଧିନାୟିକା ହର୍ମନ୍ପ୍ରୀତ୍ ଭାରତକୁ ବିଜୟ ଭେଟି ଦେଇଥିଲେ। ତେଣୁ ଆୟର୍ଲାଣ୍ଡ୍ ବିପକ୍ଷରେ ହର୍ମନ୍ପ୍ରୀତ୍ଙ୍କଠୁ ଆଉ ଏକ ମ୍ୟାଚ୍ ବିଜୟୀ ପାଳି ଦେଖିବାକୁ ଭାରତ ଚାହିଁବିସିଛି। ହର୍ମନ୍ପ୍ରୀତ୍ଙ୍କ ବ୍ୟତୀତ ପୂର୍ବତନ ଅଧିନାୟିକା ମିତାଲି ରାଜ୍ ମଧ୍ୟ ଖୁବ୍ ଭଲ ଫର୍ମରେ ଥିବାରୁ ଭାରତକୁ ଆୟର୍ଲାଣ୍ଡ୍ ପରୀକ୍ଷାରେ ସଫଳ ହେବା ନେଇ ବିଶେଷ ସମସ୍ୟା ରହିବ ନାହିଁ। କାରଣ ଏହା ପୂର୍ବରୁ ଆୟର୍ଲାଣ୍ଡ୍ ମଧ୍ୟ ଚଳିତ ପ୍ରତିଯୋଗିତାରେ ଖେଳିଥିବା ଦୁଇଟିଯାକ ମ୍ୟାଚ୍ରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ନିକଟରୁ ହାରିସାରିଛି। ତଥାପି ସେମିଫାଇନାଲ୍ ପ୍ରବେଶ ପାଇଁ ଗୁରୁବାର ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ଥିବାରୁ ଆୟର୍ଲାଣ୍ଡ୍କୁ କୌଣସିମତେ ହାଲୁକା ଭାବେ ନେବୁ ନାହୁଁ ବୋଲି ହର୍ମନ୍ପ୍ରୀତ୍ କହିଛନ୍ତି। ଜେମିମା ରୋଦ୍ରିଗୁଏଜ୍, ସ୍ମୃତି ମନ୍ଧାନା ଏବଂ ଭେଦା କୃଷ୍ଣମୂର୍ତ୍ତିଙ୍କୁ ନେଇ ଭାରତୀୟ ବ୍ୟାଟିଂକ୍ରମ ଶକ୍ତିଶାଳୀ ଥିଲା ବେଳେ ଦୟାଲନ୍ ହେମଳତା, ପୂନମ୍ ଯାଦବଙ୍କ ଭଳଇ ସ୍ପିନର ଭାରତକୁ ମ୍ୟାଚ୍ ଜିତାଇବାର ସାମର୍ଥ୍ୟ ରଖିଛନ୍ତି ବୋଲି ହର୍ମନ୍ପ୍ରୀତ୍ କହିଛନ୍ତି। ଏହି ଦୁଇ ସ୍ପିନର ଗତ ଦୁଇଟି ମ୍ୟାଚ୍ରେ ମିଳିତ ଭାବେ ୧୦ ୱିକେଟ୍ ଅକ୍ତିଆର କରିସାରିଛନ୍ତି।