ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ: ଭାରତକୁ ୫ ସ୍ୱର୍ଣ୍ଣ, ୨ କାଂସ୍ୟ

ଗୌହାଟୀ: ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଛି। ରବିବାର ଏଠାରେ ଶେଷ ହୋଇଥିବା ପ୍ରତିଯୋଗିତାରେ ଭାରତୀୟ ମହିଳା ଯୋଦ୍ଧା ୫ ସ୍ୱର୍ଣ୍ଣ ସାଙ୍ଗକୁ ଦୁଇଟି କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ପ୍ରଥମ ଥର ଲାଗି ଭାରତରେ ଆୟୋଜିତ ଏହି ପ୍ରତିଯୋଗିତାର ବିଭିନ୍ନ ଓଜନ ବର୍ଗରେ ୭ ପଦକ ଜିତିବା ଭାରତର ସବୁଠୁ ଶ୍ରେଷ୍ଠ ସଫଳତା। ପୂର୍ବ ସଂସ୍କରଣରେ ଭାରତକୁ ମାତ୍ର ଗୋଟିଏ କାଂସ୍ୟ ମିଳିଥିଲା ବେଳେ ୨୦୧୧ ପରଠୁ ଗୋଟିଏ ହେଲେ ସ୍ୱର୍ଣ୍ଣ ଜିତି ପାରିନଥିଲେ। ୨୦୧୧ରେ ହିଁ ସରଜୁବାଳା ଦେବୀ ଗୋଟିଏ ସ୍ୱର୍ଣ୍ଣ ଜିତିଥିଲେ।

ଏଥର କିନ୍ତୁ ଭାରତୀୟ ମହିଳା ଚମତ୍କାର କରିଛନ୍ତି। ନିତୁ (୪୮ କେଜି), ଜ୍ୟୋତି ଗୁଲିଆ (୫୧ କେଜି), ସାକ୍ଷୀ ଚୌଧୁରୀ (୫୪ କେଜି), ଶଶି ଚୋପ୍ରା (୫୭ କେଜି) ଓ ଅଙ୍କୁଶିତା ବୋରୋ (୬୪ କେଜି) ଫାଇନାଲ୍‌ ଜିତି ସ୍ୱର୍ଣ୍ଣ ପଦକର ବର୍ଷା କରିଛନ୍ତି। ଏହା ବ୍ୟତୀତ ନେହା ଯାଦବ (୮୧ କେଜିରୁ ଅଧିକ) ଓ ଅନୁପମା (୮୧ କେଜି) କାଂସ୍ୟ ପଦକ ହାସଲ କରି ପଦକ ସଂଖ୍ୟା ୬ରେ ପହଞ୍ଚାଇଥିଲେ। ଫାଇନାଲ୍‌ରେ ନିତୁ କାଜାକସ୍ତାନର ଜାହିରା ଉରାକ୍‌ବାୟେଭାଙ୍କୁ, ଜ୍ୟୋତି ରୁଷିଆର ଏକ୍‌ଟାରିନା ମୋଲ୍‌ଚାନୋଭାଙ୍କୁ, ସାକ୍ଷୀ ଇଂଲଣ୍ଡର ଇଭି ଜାନେ ସ୍ମିଥ୍‌ଙ୍କୁ ଏବଂ ଶଶି ଭିଏତ୍‌ନାମର ଏନ୍‌ଗୋକ୍‌ ଡୋ ହଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ଅଙ୍କୁଶିତା ପ୍ରତିଯୋଗିତାର ଶ୍ରେଷ୍ଠ ଯୋଦ୍ଧା ବିବେଚିତ ହୋଇଥିଲା ବେଳେ ଜ୍ୟୋତି ଆସନ୍ତାବର୍ଷ ଆର୍ଜେଣ୍ଟିନାରେ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର