ମହିଳା କ୍ରିକେଟ୍‌କୁ ବଡ଼ ଝଟ୍‌କା, ଅନିଶ୍ଚିତତାରେ ୧୬୮ ମ୍ୟାଚ୍‌

କ୍ରିକେଟ୍ ଖୁବ୍ ଶୀଘ୍ର ଫେରିବ: ତାନିଆ

ନୂଆଦିଲ୍ଲୀ: ବିସିସିଆଇ ଅଧୀନକୁ ଆସିବା ପରେ ଭାରତରେ ମହିଳା କ୍ରିକେଟ୍‌ ଉତ୍‌ଥାନ ପଥରେ ରହିଥିଲା। କରୋନା ମହାମାରୀ କିନ୍ତୁ ଏହାକୁ ମାରିଦେବା ଭଳି ସ୍ଥିତି ଉପୁଜାଇଛି। ଭାରତର ସର୍ବୋଚ୍ଚ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତା ରଣଜୀ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ କରୋନା ମହାମାରୀର ପ୍ରକୋପ ପୂର୍ବରୁ ଶେଷ ହୋଇପାରିଥିଲେ ମଧ୍ୟ ମହିଳାମାନଙ୍କ ଅନେକ ପ୍ରତିଯୋଗିତା ପଛରେ ପଡ଼ିରହିଥିବାରୁ ମୋଟ ୧୬୮ ମ୍ୟାଚ୍‌ର ଭାଗ୍ୟ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ଅବଶ୍ୟ ପୁରୁଷଙ୍କ ବର୍ଗର ଈରାନୀ ଟ୍ରଫି ଏବଂ ଭିଜି
ଟ୍ରଫି ଆଦି ଖେଳାଯାଇପାରି ନାହିଁ। କିନ୍ତୁ ସଜାଡି ହୋଇଆସୁଥିବା ମହିଳା କ୍ରିକେଟ୍ ଅଧିକ ପ୍ରଭାବିତ ହେବାକୁ ଯାଉଛି। ଭାରତରେ ମହିଳା କ୍ରିକେଟ୍‌ ଏକ ଭିନ୍ନ କାହାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ନଭେମ୍ବର ମାସରେ ବରିଷ୍ଠ ବର୍ଗର ଟି-୨୦ ଲିଗ୍‌ ଶେଷ ହୋଇଥିଲା ଯାହାକୁ ରେଳବାଇ ଜିତିଥିଲା। ସେହିଭଳି ୨୩ ବ‌ର୍ଷରୁ କମ୍ ମହିଳା ଟି-୨୦ ବି ମୁମ୍ବାଇ ହାତେଇ ନେଇଥିଲା। ଚାଲେଞ୍ଜର ଟ୍ରଫି ବରିଷ୍ଠ ମହିଳାରେ ଇଣ୍ଡିଆ ‘ସି’ ଏବଂ ୨୩ ବର୍ଷରୁ କମ୍‌ରେ ଇଣ୍ଡିଆ ‘ବି’ ବିଜେତା ହୋଇଥିଲେ। ଏବେ ବରିଷ୍ଠ ବର୍ଗର ଦିନିକିଆ (୭ ନକ୍‌ ଆଉଟ୍ ମ୍ୟାଚ୍‌), ଚାଲେଞ୍ଜର ଟ୍ରଫି ଦିନିକିଆ (୪ ମ୍ୟାଚ୍‌), ୨୩ ବର୍ଷରୁ କମ୍‌ ଦିନିକିଆର ୭ ନକ୍ ଆଉଟ୍ ମ୍ୟାଚ୍‌ ଏବଂ ୪ ଚାଲେଞ୍ଜର ଟ୍ରଫି ମ୍ୟାଚ୍‌, ୧୯ ବ‌ର୍ଷରୁ କମ୍‌ ବର୍ଗର ଦିନିକିଆରେ ୭ ନକ୍ ଆଉଟ୍ ମ୍ୟାଚ୍‌, ଟି-୨୦ ଟ୍ରଫିର ସମ୍ପୂର୍ଣ୍ଣ ପ୍ରତିଯୋଗିତା (୧୩୫ ମ୍ୟାଚ୍‌) ଏବଂ ଟି-୨୦ ଚାଲେଞ୍ଜର ଟ୍ରଫି (୪ ମ୍ୟାଚ୍‌) ଆଦିକୁ ମିଶାଇ ମୋଟ ୧୬୮ ମ୍ୟାଚ୍‌ର ଭାଗ୍ୟ ସୂତା ଖିଅରେ ଝୁଲୁଛି।

”ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ମ୍ୟାଚ୍‌ ସବୁ ସ୍ଥଗିତ ରହିବା ନିଶ୍ଚିତ ଠିକଣା ନିଷ୍ପତ୍ତି, କିନ୍ତୁ ଏହା କେବେ ଆରମ୍ଭ ହେବ ଏବେ ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ’ ବୋଲି ପ୍ରକାଶ କରିଥିଲେ କର୍ଣ୍ଣାଟକ ମହିଳା ଏବଂ ୨୩ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷିତା ମମତା ମାବେନ୍‌। ଭାରତ ପାଇଁ ମମତା ୪ ଟେଷ୍ଟ୍ ଏବଂ ୪୦ ଦିନକିଆ ଅନ୍ତର୍ଜାତୀୟ ଖେଳିଥିଲେ। ଏଭଳି ଏକ ପରୀକ୍ଷା ବେ‌ଳରେ ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ କହିଛନ୍ତି ‘ଏସବୁ ମ୍ୟାଚ୍ ଯଦି ଚଳିତ ଋତୁରେ ଖେଳାଯାଇ ନପାରିଲା ଆମକୁ ଆଉ ଭବିଷ୍ୟତରେ ସେଫାଳି ବର୍ମାଙ୍କ ଭଳି ଖେଳାଳି ମିଳିବେ ନାହିଁ। ବର୍ତମାନ କିନ୍ତୁ ଘରେ ରହିବା ଏବଂ ନିଜକୁ ଫିଟ୍‌ ରଖିବା ସହିତ କୌଶଳ ପ୍ରସ୍ତୁତ କରିବାର ସମୟ ବୋଲି ମିତାଲି ପ୍ରକାଶ କରିଥିଲେ। ସବୁକିଛି ଏବେ ପଛ ଧା‌ଡିକୁ ଚାଲିଯାଇଛି। କନିଷ୍ଠ କ୍ରିକେଟରଙ୍କ ଭଳି ବରିଷ୍ଠ କ୍ରିକେଟର୍‌ମାନେ ବି ଏହି ସ୍ଥିତିରେ ପଡ଼ିଛନ୍ତି। ରେଳବାଇ ଖେଳାଳିମାନେ ଅଭିଜ୍ଞ ଥିବାରୁ ସେମାନେ ନିଶ୍ଚିତ ନିଜକୁ ସୁସ୍ଥ ଓ ଶାରୀରିକ ଭାବେ ସକ୍ଷମ ରଖୁଥିବେ ବୋଲି କହିଥିଲେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ରେଳବାଇ ପ୍ରଶିକ୍ଷକ ନୁଶିନ୍ ଅଲ ଖାଦିର୍‌। ଭାରତୀୟ ଦଳରୁ ନୁଶିନ୍ ୫ ଟେଷ୍ଟ୍ ଓ ୭୮ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ୱିକେଟରକ୍ଷିକା ବ୍ୟାଟର୍‌ ତାନିଆ ଭାଟିଆଙ୍କ ବିଶ୍ବାସ କୋଭିଡ୍‌-୧୯ ମହାମାରୀ ଭିତରୁ ଭାରତ ଖୁବ୍ ଶୀଘ୍ର ମୁକୁଳିଯିବ ଏବଂ କ୍ରିକେଟ୍‌ ଖେଳ ଆରମ୍ଭ ହୋଇଯିବ। ”ଖେଳାଳିମାନଙ୍କ ପାଇଁ ଏହା ନିଶ୍ଚିତ କଷ୍ଟକର ସମୟ, ସାଧାରଣତଃ ଆମେ ବ୍ୟସ୍ତ ଜୀବନ ବିତାଇଥାଉ। ତାଲିମ, ଗସ୍ତ ଏବଂ ମ୍ୟାଚ୍‌ ଖେଳିବାରେ ବିତିଯାଏ ଆମ ଜୀବନର ଅଧିକାଂଶ ସମୟ। ଅଷ୍ଟ୍ରେଲିଆରେ ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ଖେଳି ଭାରତ ପହଞ୍ଚିବା ପରେ ପରେ ହିଁ ବିଶ୍ବକୁ ବ୍ୟାପୀଥିବା ଏହି ମହାମାରୀର ପ୍ରକୋପକୁ ଅନୁଭବ କରିଥିଲି। ଏକାନ୍ତବାସରେ ଜୀବନ ବିତାଇଥିଲେ ବି ଚଣ୍ଡୀଗଡ଼ରେ ବହୁ କରୋନା ପଜିଟିଭ୍ ବାହାରିଥିବାରୁ ଏହା ଚିନ୍ତାର କାରଣ ହୋଇଛି। ଘରେ ରହିବା ମଧ୍ୟ ଏତେ ସହଜ କଥା ହୋଇନାହିଁ। ଘରେ ରହିଲେ ବି ମୁଁ କିଛି ମୌଳିକ ବ୍ୟାୟାମ ସହିତ ଯୋଗ କରୁଛି। ଭିଣୋଇଙ୍କ ସହିତ ଟେନିସ୍ ବଲ୍‌ କ୍ରିକେଟ୍‌ ବି ଖେଳୁଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ଜିତି ନ ପାରିବାର ଦୁଃଖକୁ ଭୁଲିଯିବାକୁ ଚେଷ୍ଟା କରୁଛି। ଏହା ଆତ୍ମସମୀକ୍ଷାର ସୁଯୋଗ ବି ଦେଇଛି। ହାଲକା ସ୍ଥିତିରେ ଥିଲେ ମଧ୍ୟ ଖୁବ୍ ଶୀଘ୍ର କ୍ରିକେଟ୍ ଆରମ୍ଭ ହୋଇଯିବ ବୋଲି ଆଶା ରଖିଚି ବୋଲି କହିଥିଲେ ତାନିଆ। ମୁଁ ସମଗ୍ର ବିଶ୍ବବାସୀଙ୍କ ପାଇଁ ପ୍ରାର୍ଥନା କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାକୁ ମାନି ସାମାଜିକ ଦୂରତା ଓ ଗୃହାବଦ୍ଧକୁ ଅନୁସରଣ କରିବାକୁ ନିବେଦନ କରୁଛି ବୋଲି ତାନିଆ କରିଥିଲେ।

ସମ୍ବନ୍ଧିତ ଖବର