ନଟିଂହାମ୍‌ : ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏକମାତ୍ର ମହିଳା ଆସେସ୍‌ ‌ଟେଷ୍ଟ୍‌ରେ କଙ୍ଗାରୁ ଦଳ ପ୍ରଥମ ପାଳିରେ ୪୭୩ ରନ୍ ସଂଗ୍ରହ କରିଛି। ଜବାବରେ ଦ୍ବିତୀୟ ଦିନ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଇଂଲଣ୍ଡ ୨ ୱିକେଟ୍‌ ବିନିମୟରେ ୨୧୮ ରନ୍‌ ସଂଗ୍ରହ କରିଛି। ଇମା ଲାମ୍ବ (୧୦) ଓ ହିଦର ନାଇଟ୍‌ (୫୭) ଙ୍କ ୱିକେଟ୍‌ ଯିବା ପରେ ତାମି ବିଉମଣ୍ଟ (୧୦୦) ଓ ନାଟ୍‌ ସ୍କିଭର ବ୍ରଣ୍ଟ (୪୧*) ତୃତୀୟ ୱିକେଟ୍‌ରେ ୬୭* ରନ୍‌ ଯୋଡ଼ି ପାଳି ସମ୍ଭାଳିଛନ୍ତି। ସୁଦରଲାଣ୍ଡ ଓ ଗାର୍ଡନର ୱିକେଟ୍‌ ଦ୍ବୟ ବାଣ୍ଟି ନେଇଥିଲେ।

Advertisment

publive-image ତାମି ବିଉମଣ୍ଟ

ପ୍ରଥମ ଦିନ ସ୍କୋର୍‌ ୩୨୮/୭ରୁ ଖେଳିଥିବା ଅଷ୍ଟ୍ରେଲିଆ ପାଇଁ ଆନାବେଲ୍‌ ସୁଦରଲାଣ୍ଡ୍‌ ଲଢ଼ୁଆ ଶତକ ହାସଲ କରିବାରୁ ଭ୍ରମଣକାରୀ ଦଳ ବିଶାଳ ସ୍କୋର୍‌ ଛିଡ଼ା କରିପାରିଥିଲା। ଆନାବେଲ୍‌ ବ୍ୟକ୍ତିଗତ ଭାବେ ୩୯ ରନ୍‌ରୁ ଖେଳି ଶେଷ ୱିକେଟ୍ ପତନ ବେଳକୁ ୧୩୭* (୧୮୪ ବଲ୍‌, ୧୬ ଚୌକା, ୧ ଛକା) ରନ୍‌ରେ ଅଟକି ରହିଥିଲେ। ଏହା ତାଙ୍କ ପ୍ରଥମ ଟେଷ୍ଟ ଶତକ ଥିଲା। ଆସଲେ ଗାର୍ଡନର୍ (୪୦) ଏବଂ ଆନାବେଲ୍‌ ସୁଦରଲାଣ୍ଡ୍ ସପ୍ତମ ୱିକେଟ୍‌ ପାଇଁ ୭୭ ରନ୍ ସଂଯୋଗ କରିଥିଲେ। ଆଲାନା କିଙ୍ଗ୍‌ (୨୧), କିମ୍‌ ଗାର୍ଥ (୨୨) ଙ୍କ ଛୋଟ ଛୋଟ ଅବଦାନ ଯୋଗୁଁ ଦଳ ମଜବୁତ୍‌ ସ୍କୋର ଛିଡ଼ା କରିପାରିଥିଲା। ସୋଫି ଏସେଲଷ୍ଟୋନ୍‌ ୫ ୱିକେଟ୍ ସଫଳତା (୫/୧୨୯) ପାଇଥିବାବେଳେ ଲୌରେନ୍‌ ବେଲ୍‌ ଓ ଲୌରେନ୍ ଫିଲର ୨ ଓ କେଟ୍‌ କ୍ରସ୍‌‌‌ ୧ ୱିକେଟ୍‌ ନେଇଥିଲେ।