ସିଲ୍ହଟ (ବାଂଲାଦେଶ) : ଚଳିତ ମହିଳା ଏସିଆ କପ୍ରେ ଟ୍ରଫି ଦାବିଦାର ଭାରତକୁ ପରାସ୍ତ କରି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଚକିତ କରିଦେଇଛି। ମାତ୍ର ୨୪ ଘଣ୍ଟା ପୂର୍ବରୁ ଦୁର୍ବଳ ଥାଇଲାଣ୍ଡ ନିକଟରୁ ପରାଜୟ ବରଣ କରିଥିବା ପାକିସ୍ତାନ ଶୁକ୍ରବାର ଶକ୍ତିଶାଳୀ ଭାରତକୁ ୧୩ ରନ୍ରେ ପରାସ୍ତ କରିଦେଇଛି। ନିଦା ଦାର୍ଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ବଳରେ ହିଁ ପାକିସ୍ତାନ ମ୍ୟାଚ୍ ଜିତି ନେଇଥିଲା। ପାକିସ୍ତାନର ୧୩୭/୬ ଜବାବରେ ଏସିଆର ସବୁଠୁ ଶକ୍ତିଶାଳୀ ଦଳ ଭାରତ ଖରାପ ବ୍ୟାଟିଂ କରି ୧୨୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା।
ଟସ୍ ଜିତି ପାକିସ୍ତାନ ଅଧିନାୟିକା ବିସ୍ମା ମାରୁଫ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାରଙ୍କ ଚମତ୍କାର ବୋଲିଂ ପାକିସ୍ତାନର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲା। ମୁନୀବା ଅଲ୍ଲୀ (୧୭) ଓ ଓମାଇମା ସୋହେଲ (୦)ଙ୍କୁ ଦୀପ୍ତି ଏବଂ ସିଦ୍ରା ଅମିନ (୧୧)ଙ୍କୁ ପୂଜା ଆଉଟ୍ କରିବାରୁ ଏକ ସମୟରେ ୩୩/୩ରେ ପାକିସ୍ତାନ ସଂଘର୍ଷ କରିଥିଲା। ହେଲେ ବିସ୍ମା (୩୨ ରନ୍, ୩୫ ବଲ୍, ୨ ଚୌକା) ଓ ନିଦା (୫୬* ରନ୍, ୩୭ ବଲ୍, ୫ ଚୌକା, ୧ ଛକା) ଚତୁର୍ଥ ୱିକେଟ୍ରେ ୭୬ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ବିସ୍ମାଙ୍କୁ ଆଉଟ୍ କରି ରେଣୁକା ସିଂହ ଏହି ଯୋଡ଼ି ଭାଙ୍ଗିବା ପରେ ପୁଣି ପୂଜା ଓ ଦୀପ୍ତି ଦୁଇଟି ୱିକେଟ୍ ଦଖଲ କରିଥିଲେ। ଫଳରେ ପାକିସ୍ତାନ ପାଳି ୧୩୭/୬ରେ ଅଟକି ଯାଇଥିଲା। ଦୀପ୍ତି ସର୍ବାଧିକ ୩, ପୂଜା ୨ ଓ ରେଣୁକା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।
ଏହା କିନ୍ତୁ ଭାରତର ପରାଜୟ ପାଇଁ ଯଥେଷ୍ଟ ହୋଇଥିଲା। କାରଣ ବୋଲର ଦେଇଥିବା ସୁଯୋଗକୁ ବ୍ୟାଟର୍ମାନେ ହାତଛଡ଼ା କରିଥିଲେ। ନିକଟରେ ଇଂଲଣ୍ଡରେ ଇଂଲଣ୍ଡ ଦଳକୁ ଶୃଙ୍ଖଳା ପରାଜୟ ଦେଇଥିବା ହର୍ମନପ୍ରୀତ୍ କୌରଙ୍କ ଦଳ ପାକିସ୍ତାନ ବୋଲରଙ୍କ ନିକଟରେ ସଂଘର୍ଷ କରିଥିଲା। ରିଚା ଘୋଷ (୨୬), ଦୟାଲନ ହେମଲତା (୨୦), ସ୍ମୃତି ମନ୍ଧାନା (୧୭), ଦୀପ୍ତି ଶର୍ମା (୧୬), ସାବିନେନି ମେଘନା (୧୫) ଓ ହର୍ମନପ୍ରୀତ୍ (୧୨) ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ ପୂରା ଦଳ ୧୯.୪ ଓଭରରେ ୧୨୪ ରନ୍ କରି ପାଭିଲିୟନ ଫେରିଯାଇଥିଲା। ନିଦା ଦାର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
୬ ବର୍ଷ ପରେ ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଜୟ
ପ୍ରାୟ ୬ ବର୍ଷ ପରେ ଭାରତ ବିପକ୍ଷରେ ପାକିସ୍ତାନ ପ୍ରଥମ ଥର ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିଲା। ଶେଷ ଥର ପାଇଁ ନୂଆଦିଲ୍ଲୀରେ ଖେଳାଯାଇଥିବା ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତକୁ ପରାସ୍ତ କରିଥିଲା ଏହି ଦଳ। କିନ୍ତୁ ଏହା ପରଠୁ ଆଉ ଭାରତ ହାରିନଥିଲା। ଏପରିକି ଚଳିତ ଏସିଆ କପ୍ରେ ଶୁକ୍ରବାର ମୁକାବିଲା ପୂର୍ବରୁ ପାକିସ୍ତାନ ବିପକ୍ଷରେ ଭାରତ ୧୦-୨ର ବିଜୟ-ପରାଜୟ ବ୍ୟବଧାନ ନିଜ ସପକ୍ଷରେ ରଖିଥିଲା।
ପଏଣ୍ଟ ତାଲିକାର ଶୀର୍ଷରେ ଭାରତ
ଏହି ୭ ଦଳୀୟ ଏସିଆ କପ୍ରେ ପ୍ରତ୍ୟେକ ଦଳ ୬ ଲେଖାଏଁ ମ୍ୟାଚ୍ ଖେଳିବେ। ପଏଣ୍ଟ ତାଲିକାର ଶ୍ରେଷ୍ଠ ଚାରି ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ଶୁକ୍ରବାର ପାକିସ୍ତାନ ନିକଟରୁ ପରାଜୟ ସତ୍ତ୍ବେ ଭାରତ ତାଲିକାର ଶୀର୍ଷରେ ରହିଛି। ଉଭୟ ଭାରତ ଓ ପାକିସ୍ତାନ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ସମାନ ୬ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ହେଲେ ଉନ୍ନତ ରନ୍ ରେଟ୍ରେ ଆଗୁଆ ରହି ଭାରତ (+୨.୪୮୦) ପାକିସ୍ତାନ (+୧.୬୮୪) ଉପରକୁ ରହିଛି। ଅନ୍ୟ ଦଳମାନଙ୍କ ମଧ୍ୟରେ ବାଂଲାଦେଶ (୪, ୩ ମ୍ୟାଚ୍), ଶ୍ରୀଲଙ୍କା (୪, ୩ ମ୍ୟାଚ୍), ଥାଇଲାଣ୍ଡ୍ (୪, ୪ ମ୍ୟାଚ୍), ୟୁଏଇ (୨, ୪ ମ୍ୟାଚ୍) ଏବଂ ମାଲେସିଆ (୦, ୪ ମ୍ୟାଚ୍) ଯଥାକ୍ରମେ ତୃତୀୟରୁ ସପ୍ତମରେ ରହିଛନ୍ତି। ଭାରତ ତା’ର ପରବର୍ତୀ ଦୁଇ ମ୍ୟାଚ୍ ବାଂଲାଦେଶ (୮ ତାରିଖ) ଏବଂ ଥାଇଲାଣ୍ଡ (୧୦ ତାରିଖ) ବିପକ୍ଷରେ ଖେଳିବ।