ସିଲହଟ୍‌ : ଚଳିତ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଭାରତ ବିଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି। ସୋମବାର ଖେଳିଥିବା ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ୯ ୱିକେଟ୍‌ରେ ଥାଇଲାଣ୍ଡକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା ଭାରତ ୬ ମ୍ୟାଚ୍‌ ଖେଳି ୧୦ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ରହିଛି। ଭାରତ କେବଳ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠୁ ହାରିଥିଲା ବେଳେ ଅନ୍ୟ ୫ଟି ଯାକ ମ୍ୟାଚ୍‌ ଜିତିଥିଲା।

Advertisment

ସୋମବାର ନିୟମିତ ଅଧିନାୟିକା ହର୍ମନପ୍ରୀତ କୌରଙ୍କ ସ୍ଥାନରେ ଭାରତୀୟ ଦଳର ନେତୃତ୍ବ ନେଇଥିବା ସ୍ମୃତି ମନ୍ଧାନା ଟସ୍‌ ଜିତି କ୍ଷେତ୍ରରକ୍ଷଣ ନି‌ଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ବୋଲରମାନେ ସଠିକ୍‌ ସବ୍ୟସ୍ତ କରି ୧୫.୧ ଓଭରରେ ମାତ୍ର ୩୭ ରନ୍‌ରେ ଥାଇଲାଣ୍ଡର ସମସ୍ତ ୱିକେଟ୍‌ ଝାଡ଼ି ଦେଇଥିଲେ। ଥାଇଲାଣ୍ଡ ପକ୍ଷରୁ କେବଳ ନାନାପତ କୋଚାରୋଏଙ୍କାଇ (୧୨) ଦୁଇ ଅଙ୍କ ଛୁଇଁଥିଲେ। ଭାରତ ପକ୍ଷରୁ ସ୍ନେହା ରାଣା (୪-୦-୯-୩) ସବୁଠୁ ସଫଳ ବୋଲର ଥିଲା ବେଳେ ରାଜେଶ୍ବରୀ ଗାଏକ୍ବାଡ ଓ ଦୀପ୍ତି ଶର୍ମା ୨ ଲେଖାଏଁ ଏବଂ ମେଘନା ସିଂହ ଗୋଟିଏ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ କେବଳ ଶେଫାଳି ବର୍ମା (୮)ଙ୍କୁ ହରାଇ ୬ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ସାଭିନେନି ମେଘନା (୨୦*) ଓ ପୂଜା ବସ୍ତ୍ରକାର (୧୨*) ଅପରାଜିତ ରହି ଦଳକୁ ‌ବିଜୟ ଭେଟି ଦେଇଥିଲେ। ଘାତକ ବୋଲିଂ ପାଇଁ ସ୍ନେହା ରାଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।