ହାଙ୍ଗଝୌ: ଚୀନ୍ରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ମହିଳା ଏସିଆ କପ୍ ହକି ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଗତ ସଂସ୍କରଣ କାଂସ୍ୟ ବିଜେତା ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ପୁଲ୍-ବି’ର ଏକ ମ୍ୟାଚ୍ରେ ୨ ଥର ବିଜେତା ଭାରତ ୧୧-୦ ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଛି। ପ୍ରଥମ କ୍ବାର୍ଟର ଆରମ୍ଭରୁ ଭାରତ ଦୁଇଟି ଫିଲ୍ଡ ଗୋଲ୍ ଦେବା ଥାଇଲାଣ୍ଡ ଉପରେ ଭାରି ପଡ଼ିଥିଲା। ମମତାଜ ଖାନ (୭ ମିନିଟ୍) ଓ ସଙ୍ଗୀତା କୁମାରୀ (୧୦ ମିନିଟ୍) ଏହି ଦୁଇ ଗୋଲ୍ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଆଉ ୩ ଗୋଲ୍ ଲଦି ନିଜର ଆଧିପତ୍ୟ ବିସ୍ତାର କରିଥିଲା ଭାରତ। ଅଭିଜ୍ଞ ଫରୱାର୍ଡ ନବନୀତ କୌର (୧୬ ମିନିଟ୍) ଓ ମିଡ୍ଫିଲ୍ଡର ଲାଲରେମସିଆମି (୧୮ ମିନିଟ୍) ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍ ଏବଂ ଉଦିତା (୩୦ ମିନିଟ୍) ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତକୁ ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ରଖିଥିଲେ।
ଦ୍ବିତୀୟାର୍ଦ୍ଧରେ ଭାରତ ପୂର୍ବ ପରି ଥାଇଲାଣ୍ଡ ସର୍କଲ ମଧ୍ୟରେ ଆକ୍ରମଣ କରି ୪ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ତୃତୀୟ କ୍ବାର୍ଟରର ଶେଷ ମିନିଟ୍ରେ ବିଉଟି ଡୁଙ୍ଗଡୁଙ୍ଗ (୪୫ ମିନିଟ୍) ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦଳକୁ ୬-୦ରେ ଅଗ୍ରଣୀ ଦେଇଥିଲେ। ଶେଷ କ୍ବାର୍ଟରରେ ଭାରତ ଗୋଲ୍ ବର୍ଷା କରି ୫ଟି ଗୋଲ୍ ଦେଇଥିଲା। ମମତାଜ (୪୯ ମିନିଟ୍), ଉଦିତା (୫୨ ମିନିଟ୍) ଓ ଶର୍ମିଳା ଦେବୀ (୫୭ ମିନିଟ୍) ପେନାଲ୍ଟି କର୍ଣ୍ଣର ଗୋଲ୍ କରିଥିଲା ବେଳେ ବିଉଟି ଡୁଙ୍ଗଡୁଙ୍ଗ (୫୪ ମିନିଟ୍) ଓ ଋତୁଜା ପିସାଲ (୬୦ ମିନିଟ୍) ଫିଲ୍ଡ ଗୋଲ୍ କରିଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ଶନିବାର ଜାପାନ ବିପକ୍ଷରେ ଖେଳିବ।