ନୂଆଦିଲ୍ଲୀ: ଦକ୍ଷିଣ ‌କୋରିଆର ଡଘାଂଇଠାରେ ଡିସେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ପ୍ରତିଯୋଗିତା ପାଇଁ ଶୁକ୍ରବାର ହକି ଇଣ୍ଡିଆ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ରାଣୀ ରାମ୍‌ପଲ୍‌ଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ଏଫ୍‌ଆଇଏଚ୍‌ ଦ୍ବାରା ବର୍ଷର ଶ୍ରେଷ୍ଠ ଗୋଲ୍‌ରକ୍ଷିକା ମନୋନୀତ ହୋଇଥିବା ଅଭିଜ୍ଞ ସବିତାଙ୍କୁ ଦଳର ନେତୃତ୍ବ ଭାର ଅର୍ପଣ କରାଯାଇଛି। ଏହି ଦଳରେ ୪ ଜଣ ଓଡ଼ିଆ ଝିଅ ସାମିଲ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଅଭିଜ୍ଞ ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କା ଉପଅଧିନାୟିକା ମନୋନୀତ ହୋଇଛନ୍ତି।

Advertisment

ଦଳରେ ସ୍ଥାନ ସୁରକ୍ଷିତ କରିଥିବା ଅନ୍ୟ ୩ ଓଡ଼ିଆ ହେଲେ ମିଡ୍‌ଫିଲ୍‌ଡର ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌ ଏବଂ ଫରୱାର୍ଡ ଖେଳାଳି ମାରିଆନା କୁଜୁର। ୨ ଜଣ ଗୋଲ୍‌ରକ୍ଷିକା, ୪ ଡିଫେଣ୍ଡର, ୭ ମିଡ୍‌ଫିଲ୍‌ଡର ଏବଂ ୫ ଜଣ ଫରୱାର୍ଡ ଖେଳାଳିଙ୍କୁ ନେଇ ୧୮ ଜଣିଆ ଦଳ ଗଠିତ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ପାଇଥିବା ଦଳର ଅଧିକାଂଶ ଖେଳାଳି ଏହି ଦଳରେ ସ୍ଥାନ ବଜାୟ ରଖିଛନ୍ତି। ୧୮ ଜଣଙ୍କ ବ୍ୟତୀତ ନଭ୍‌ଜ୍ୟୋତ୍‌ କୌର ଏବଂ ଯୁବ ତାରକା ସୁମନ ଦେବୀ ଥୌଡମ ବଦଳ ଖେଳାଳି ଭାବେ ସାମିଲ ଅଛନ୍ତି। ମୂଳ ଦଳର କୌଣସି ଖେଳାଳି ଆହତ ହେଲେ କିମ୍ବା କରୋନା ପାଇଁ କେହି ଓହରିଲେ ହିଁ ଏହି ଦୁଇ ଜଣଙ୍କୁ ଖେଳିବାର ଅନୁମତି ମିଳିବ।

ଏହି ପ୍ରତିଯୋଗିତାରେ ମୋଟ ୬ ଦଳ ଭାଗ ନେଉଥିଲା ବେଳେ ଗୋଟିଏ ମାତ୍ର ପୁଲ୍‌ରେ ଟ୍ରଫି ପାଇଁ ମୁକାବିଲା କରିବେ। ଭାରତ ବ୍ୟତୀତ ପ୍ରତିଯୋଗିତାରେ ଚୀନ୍‌, ଆୟୋଜକ କୋରିଆ, ଜାପାନ, ଥାଇଲାଣ୍ଡ ଏବଂ ମାଲେସିଆ ରହିଛନ୍ତି। ପ୍ରଥମ ଦିନ ହିଁ ଥାଇଲାଣ୍ଡ୍‌ ସହ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଏହାପରେ ୬ରେ ମାଲେସିଆ, ୮ରେ ଆୟୋଜକ ତଥା ବିଜେତା କୋରିଆ, ୯ରେ ଚୀନ୍‌ ଏବଂ ୧୧ ତାରିଖରେ ଜାପାନକୁ ଭେଟିବ ଭାରତ। ୧୨ ତାରିଖରେ ଫାଇନାଲ୍‌ ଖେଳାଯିବ। ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଟ୍ରଫି ମୁକାବିଲା ହେବ। ଏଠାରେ ସୂଚନାଯୋଗ୍ୟ, ୨୦୧୮ରେ ଖେଳାଯାଇଥିବା ପୂର୍ବ ସଂସ୍କରଣରେ କୋରିଆଠୁ ହାରି ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ଦୁର୍ଭାଗ୍ୟଜନକ ଭାବେ କେତେକ ଆହତ ଏବଂ ଅନ୍ୟ କେତେକ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଯାଉଥିବା କନିଷ୍ଠ ବିଶ୍ବକପ୍‌ ଦଳରେ ସାମିଲ ହୋଇଥିବା ସତ୍ତ୍ବେ ଆମେ ଏକ ସନ୍ତୁଳିତ ଦଳ ଏସୀୟ ଚାମ୍ପଅନ୍‌ସ ଟ୍ରଫି ପାଇଁ ବାଛିଛୁ। ଏସୀୟ ପ୍ରତିଯୋଗିତା କେ‌ତେକ ନୂଆ ଯୁବ ଖେଳାଳିଙ୍କୁ ଆନ୍ତର୍ଜାତିକ ସ୍ତରରେ ଖେଳିବାର ସୁଯୋଗ ଆଣିଦେବ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜାନେକେ ଶ୍ଚୋପ୍‌ମ୍ୟାନ୍‌।
୧୮ ଜଣିଆ ଭାରତୀୟ ଦଳ: ଗୋଲ୍‌ରକ୍ଷିକା: ସବିତା (ଅଧିନାୟିକା), ରଜନୀ ଇଟିମାର୍ପୁ। ଡିଫେଣ୍ଡର: ଦୀପ୍‌ଗ୍ରେସ୍‌ ଏକ୍କା (ଉପଅଧିନାୟିକା), ଉଦିତା, ନିକ୍କି ପ୍ରଧାନ, ଗୁର୍‌ଜିତ କୌର। ମିଡ୍‌ଫିଲ୍‌ଡର: ନିଶା, ସୁଶୀଳା ଚାନୁ ପୁଖ୍ରମ୍‌ବାମ୍‌, ନମିତା ଟପ୍ପୋ, ମୋନିକା, ନେହା, ଜ୍ୟୋତି, ଲିଲିମା ମିଞ୍ଜ୍‌। ଫରୱାର୍ଡ: ନଭ୍‌ନୀତ୍‌ କୌର, ବନ୍ଦନା କାଟାରିୟା, ରାଜ୍‌ୱିନ୍ଦର କୌର, ମାରିଆନା କୁଜୁର, ସୋନିକା।