ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଗୁରୁବାର ଜିମ୍ନାଷ୍ଟିକ୍ସ ଓ କାନୋଇଂରୁ ୨ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ ସହ ମୋଟ ୫ ପଦକ ଆସିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୪୬ (୧୪ ସ୍ବର୍ଣ୍ଣ, ୧୫ ରୌପ୍ୟ, ୧୭ କାଂସ୍ୟ)ରେ ପହଞ୍ଚିଛି। ସ୍ବର୍ଣ୍ଣ ଦୁଇଟି ଜିମ୍ନାଷ୍ଟିକ୍ସ ରାକେଶ ପାତ୍ର ଓ କାନୋଇଂ ମହିଳା ସ୍ପ୍ରିଣ୍ଟ୍‌ କେ-୪ ୫୦୦ ମିଟର ଦଳ ଜିତିଛନ୍ତି। ଗତ କାଲି ଷ୍ଟିଲ୍‌ ରିଙ୍ଗ୍‌ରେ ସ୍ବର୍ଣ୍ଣ ଜିତିଥିବା ରାକେଶ ଆଜି ପାରା‌ଲେଲ୍‌ ବାର୍‌ସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ରାକେଶ। ସେ ୧୨.୬୦୦ ପଏଣ୍ଟ ସହ ଏହି ପଦକ ଜିତିଥିଲେ। ଉତ୍ତରପ୍ରଦେଶର ଆଦିତ୍ୟ ସିଂହ ରାଣା (୧୨.୪୩୩) ଓ ସର୍ଭିସେସ୍‌ର ଯତୀନ କୁମାର କାନୋଜିୟା (୧୧.୯୬୭) କାଂସ୍ୟ ପାଇଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ରାକେଶ ୨ ସ୍ବର୍ଣ୍ଣ ସହ ଅଭିଯାନ ଶେଷ କରିଛନ୍ତି। ପୁରୁଷ ଟେବୁଲ ଭଲ୍ଟରେ ତପେଶ୍ବରନାଥ ଦାସ (୧୨.୮୩୩) ଓଡ଼ିଶା ପାଇଁ ରୌପ୍ୟ ଜିତିଥିଲା ବେଳେ ମହିଳା ବାଲାନ୍ସିଂ ବିମ୍‌ରେ ପ୍ରଣତି ନାୟକ (୧୦.୭୩୩) କାଂସ୍ୟ ପାଇଥିଲେ। ଆଜିର ଏହି ୩ ପଦକ ସହ ଜିମ୍ନାଷ୍ଟିକ୍ସରେ ଓଡ଼ିଶା ୭ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ) ପଦକ ସହ ଅଭିଯାନ ଶେଷ କରିଛି। ରାକେଶ ୨ ସ୍ବର୍ଣ୍ଣ ଜିତିଥିଲା ବେଳେ ପ୍ରଣତି ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ, ତପେଶ୍ବରନାଥ ରୌପ୍ୟ ଏବଂ ମହିଳା ଜିମ୍ନାଷ୍ଟିକ୍ସ ଦଳ କାଂସ୍ୟ ପାଇଥିଲେ।

Advertisment

ଖ୍ବାଇରାକପାମ ଦେବୀ, ଓଇନାମ ଦେବୀ, ଓଇନାମ ଚାନୁ ଓ ଶ୍ରୁତି ଚୌଗୁଲେଙ୍କୁ ନେଇ ଗଠିତ କାନୋଇଂ ମହିଳା ସ୍ପ୍ରିଣ୍ଟ୍‌ କେ୪ ୫୦୦ ମିଟର ଦଳ ୧ ମିନିଟ୍‌ ୪୬.୯୫୭ ସେକେଣ୍ଡରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମଧ୍ୟପ୍ରଦେଶ (୧:୪୮.୬୫୩) ଓ କେରଳ (୧:୪୯.୧୯୭) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ମହିଳା ସ୍ପ୍ରିଣ୍ଟ୍‌ କେ-୧ ୫୦୦ ମିଟରରେ ଓଡ଼ିଶାର ଖ୍ବାଇରାକପାମ ଦେବୀ (୨:୦୮.୪୬୬) କାଂସ୍ୟ ଜିତିଛନ୍ତି।