ରାଜଗିର: ଭାରତୀୟ ମହିଳା ହକି ଦଳ ଲଗାତାର ଦ୍ବିତୀୟ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି। ବିହାରର ରାଜଗିରରେ ‌ଆୟୋଜିତ ଏହି ପ୍ରତିଯୋଗିତାର ‌ବୁଧବାର ଫାଇନାଲ୍‌ରେ ଭାରତ ୧-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଛି। ଏହି ଏକମାତ୍ର ବିଜୟସୂଚକ ଗୋଲ୍‌ଟି ଦୀପିକା ଦେଇଥିଲେ। ଉଭୟ ଦଳ ଆରମ୍ଭରୁ ପ୍ରତି ମିନିଟ୍‌ରେ ଜୋର୍‌ଦାର ଲଢ଼େଇ କରିଥିଲେ। ଏପରିକି ଉଭୟ ଦଳ ବହୁବାର ସର୍କଲରେ ପ୍ରବେଶ କରିଥିଲେ ମଧ୍ୟ ଗୋଲ୍‌ କରିବାରେ ବିଫଳ ହୋଇଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିବା ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରର ଦ୍ବିତୀୟ ମିନିଟ୍‌ରେ ଚୀନ୍‌ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ବିଚୁ ଦେବୀଙ୍କ ଚମତ୍କାର ରକ୍ଷଣ ଯୋଗୁଁ ଭାରତ ଗୋଲ୍‌ ବରଣରୁ ବଞ୍ଚି ଯାଇଥିଲା। ଏହା ପର ମିନିଟ୍‌ରେ ଭାରତ ପେନାଲ୍ଟି କର୍ଣ୍ଣର ପାଇଥିଲା। ଚୀନ୍‌ ଗୋଲି ସୁରୋଙ୍ଗ ଉ ଏହାକୁ ଅଟକାଇ ଦେଇଥିଲେ। ଏହାପରେ ଉଭୟ ଦଳ ପୁଣି ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍‌ ଦେଇପାରି ନଥିଲେ। ଫଳରେ ଏହି କ୍ବାର୍ଟର ୦-୦ରେ ଶେଷ ହୋଇଥିଲା।

Advertisment

ତେବେ ତୃତୀୟ କ୍ବାର୍ଟରର ପ୍ରଥମ ମିନିଟ୍‌ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ନବନୀତ କୌରଙ୍କ ପାସ୍‌କୁ ଦୀପିକା (୩୧ ମିନିଟ୍‌) କୌଣସି ଭୁଲ୍‌ କରି ଚୀନ୍‌ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ଦଳକୁ ଅଗ୍ରଣୀ ଦେଇଥିଲେ। ଏହାପରେ ଚୀନ୍‌ ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିବାକୁ ବହୁ ଚେଷ୍ଟା କରି ବିଫଳ ହେବାରୁ ତୃତୀୟ କ୍ବାର୍ଟରରେ ଭାରତ ୧-୦ରେ ଆଗୁଆ ରହିଥିଲା। ଚତୁର୍ଥ କ୍ବାର୍ଟରରେ ଚୀନ୍‌ ପରାଜୟ ଏଡ଼ାଇବାକୁ ଲାଗି ପଡ଼ିଥିଲା। ହେଲେ ଭାରତର ଦୃଢ଼ ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ତୃତୀୟ ସ୍ଥାନ ଲାଗି ହୋଇଥିବା ମୁକାବିଲାରେ ଜାପାନ ୪-୧ ଗୋଲ୍‌ରେ ମାଲେସିଆକୁ ହରାଇ କାଂସ୍ୟ ପଦକ କରାୟତ୍ତ କରିଛି।