ମହିଳା କ୍ରିକେଟ୍‌ ଲିଗ୍‌: ରେଡ୍‌, ଭାଓଲେଟ୍‌ ଓ ୟେଲୋ ବିଜୟୀ

କାଜଲ, ଅଞ୍ଜଳି, ସସ୍ମିତା, ଅଲିପ୍ସା, ଶିଳ୍ପାଙ୍କ ଅର୍ଦ୍ଧଶତକ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ଭୁବନେଶ୍ବରରେ ଚାଲିଥିବା ମହିଳା କ୍ରିକେଟ୍‌ ଲିଗ୍‌ରେ ମଙ୍ଗଳବାର ଓଡ଼ିଶା ରେଡ୍‌, ଓଡ଼ିଶା ଭାଓଲଟ୍‌ ଓ ଓଡ଼ିଶା ୟେଲୋ ବିଜୟ ହାସଲ କରିଛନ୍ତି। କିଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ରେଡ୍‌ ଦଳ ୧୭୦ ରନ୍‌ ବୃହତ୍‌ ବ୍ୟବଧାନରେ ଓଡ଼ିଶା ଅରେଞ୍ଜ୍‌କୁ ପରାସ୍ତ କରିଦେଇଛି। ଟସ୍‌ ଜିତି ରେଡ୍‌ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ୱିକେଟ୍‌ରକ୍ଷକ ଶିଳ୍ପା ସ୍ବାଇଁ (୭୧)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟିକା ମାଧୁରୀ ମେହେଟ୍ଟାଙ୍କ ୪୩, ଶ୍ରୀୟା ଚକ୍ରଙ୍କ ୩୮ ଓ ସରୋଜିନୀ ଗିରିଙ୍କ ୩୫* ରନ୍‌ ବଳରେ ଦଳ ୪ ୱିକେଟ୍‌ ବିନିମୟରେ ୨୫୬ ରନ୍‌ କରିନେଇଥିଲା। ଅରେଞ୍ଜ୍‌ ପକ୍ଷରୁ ରୋସ୍‌ନାରା ପରୱିନ୍‌ (୨/୪୦), ସ୍ମୃତି ମହନ୍ତ (୧/୩୮) ଓ ସୂର୍ଯ୍ୟସ୍ନାତା ସ୍ବାଇଁ (୧/୩୪) ସଫଳ ବୋଲର ରହିଥିଲେ। ଜବାବରେ ଅରେଞ୍ଜ୍‌ ୪୩.୨ ଓଭରରେ ମାତ୍ର ୮୬ ରନ୍‌ କରିପାରିଥିଲା। ବର୍ଷା ସିଂହ ୧୮ ଓ ରୋସ୍‌ନାରା ୧୨ ରନ୍‌ କରିଥିଲା ବେଳେ ରେଡ୍‌ ପକ୍ଷରୁ ସୁଶ୍ରୀ ସିଂହ (୯.୨-୪-୧୩-୩), ରାଜଶ୍ରୀ ସ୍ବାଇଁ (୧୦-୮-୭-୨) ଓ ପ୍ରାର୍ଥନା ପ୍ରତିଶ୍ରୁତି (୯-୪-୧୧-୨) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ।

ପୁରୁଣା ଭୁବନେଶ୍ବରର ମୁଳା ପଡ଼ିଆରେ ଭାଓଲେଟ୍‌ ୭ ୱିକେଟ୍‌ରେ ଓଡ଼ିଶା ପର୍ପଲକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା‌ ପର୍ପଲ ଅଲିପ୍ସା ବିଶ୍ବାଳ (୭୨)ଙ୍କ ଅର୍ଦ୍ଧଶତକ ଓ ପୂଜାରାଣୀ ଦାସଙ୍କ ୨୯ ରନ୍‌ ବଳରେ ୧୭୨/୮ କରିଥିଲା। ଭାଓଲଟ୍‌ ପକ୍ଷରୁ ପ୍ରୀତି ପ୍ରିୟଦର୍ଶିନୀ (୮-୧-୨୬-୩), ସୁଶ୍ରୀ ଦିବ୍ୟଦର୍ଶିନୀ (୭-୩-୧୧-୨) ଓ ପ୍ରାଞ୍ଜଳ ସିଂହ (୮-୧-୨୭-୧) ସଫଳ ବୋଲର ରହିଥିଲେ। ଜବାବରେ ରଶ୍ମିତା ଚିହ୍ନାରା (୪୮*), ସ୍ବେତା ବେଉରା (୪୫*)ଙ୍କ ଅପରାଜିତ ପାଳି ସାଙ୍ଗକୁ ସଂଗୀତା ଖାଡ଼ିଆଙ୍କ ୩୧ ରନ୍‌ ସହାୟତାରେ ଭାଓଲେଟ୍‌ ୪୪.୪ ଓଭରରେ ମାତ୍ର ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୧୭୩ରେ ପହଞ୍ଚି ଯାଇଥିଲା। ପର୍ପଲ ପକ୍ଷରୁ ରାଣୀ ପ୍ରସାଦ ଓ ଲିଓନା ପ୍ରିୟଦର୍ଶିନୀ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ବିକାଶ ଷ୍ଟାଡିୟମ୍‌ରେ ୟେଲୋ ଦଳ ୭ ୱିକେଟ୍‌ରେ ଓଡ଼ିଶା ଗ୍ରିନ୍‌କୁ ହରାଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଗ୍ରିନ୍‌ ସସ୍ମିତା ମହାଲିକ୍‌ (୫୩)ଙ୍କ ଅର୍ଦ୍ଧଶତକ ଓ ଡିଜେ ରେଡ୍ଡୀଙ୍କ ୩୨* ରନ୍‌ ସହାୟତାରେ ୧୬୮/୯ କରିଥିଲା। ତରନ୍ନା ପ୍ରଧାନ, ପ୍ରିୟଙ୍କା ସାହୁ ଓ ଜିଏମ୍‌ ଅଳକାନନ୍ଦା ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ କାଜଲ ଜେନା (୭୮*) ଓ ଅଞ୍ଜଳି ସିଂହ (୬୧*)ଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ୟେଲୋ ୪୪.୨ ଓଭରରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୧୬୯ରେ ପହଞ୍ଚି ଯାଇଥିଲା। ଉଭୟ କାଜଲ ଓ ଅଞ୍ଜଳି ଅବିଭାଜିତ ୧୪୬ ରନ୍‌ ଯୋଡ଼ିଥିଲେ। ଶୁଭ୍ରା ସ୍ବାଇଁ ୨ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର