ମହିଳା ଦିନିକିଆ: ନ୍ୟୁଜିଲାଣ୍ଡଠୁ ପୁଣି ହାରିଲା ଭାରତ

କୁଇନ୍‌ସଟାଉନ୍‌: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତୀୟ ମହିଳା ଦଳ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି। ପ୍ରଥମ ୩ ମ୍ୟାଚ୍‌ ହାରି ଆଗୁଆ ଶୃଙ୍ଖଳା ପରାଜୟ ବରଣ କରିଥିବା ଭାରତ ମଙ୍ଗଳବାର ଚତୁର୍ଥ ଦିନିକିଆକୁ ବି ହାରିଯାଇଛି। ଏହି ମ୍ୟାଚ୍‌‌କୁ ଘରୋଇ ନ୍ୟୁଜିଲାଣ୍ଡ ୬୩ ରନ୍‌ ଜିତି ୪-୦ରେ ଆଗୁଆ ରହିବା ସାଙ୍ଗକୁ ରେ ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ରହିଛି।

ମଙ୍ଗଳବାର ବର୍ଷା ଯୋଗୁଁ ୫୦ ଓଭର ମ୍ୟାଚ୍‌କୁ ୨୦ ଓଭର ଖେଳାଯାଇଥିଲା। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଆମେଲିଆ କେର (୬୮, ୩୩ ବଲ୍‌, ୧୧ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୧୯୧/୫ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁଜି ବେଟ୍ସ ୪୧, ଅଧିନାୟିକା ସୋଫି ଡିଭାଇନ୍‌ ଓ ଆମି ସାଟର୍ଥୱେଟ୍‌ ୩୨ ରନ୍‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ରେଣୁକା ସିଂହ ୨ ଏବଂ ମେଘନା ସିଂହ, ରାଜେଶ୍ବରୀ ଗାୟକ୍ବାଡ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ୫ ଓଭର ମଧ୍ୟରେ ୧୯ ରନ୍‌‌ରେ ପ୍ରଥମ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଧିନାୟିକା ମିତାଲି ରାଜ ଓ ରିଚା ଘୋଷ ପଞ୍ଚମ ୱିକେଟ୍‌ରେ ୭୭ ରନ୍‌ ଯୋଡ଼ି ପାଳି ସମ୍ଭାଳି ଥଲେ। ହେଲେ ରିଚା (୫୨ ରନ୍‌, ୨୯ ବଲ୍‌, ୪ ଚୌକା, ୪ ଛକା) ଓ ମିତାଲି ରାଜ (୩୦, ୨୮ ବଲ୍‌, ୨ ଚୌକା, ୧ ଛକା) ଆଉଟ୍‌ ହେବା ପରେ ପୁଣି ଥରେ ଭାରତର ୱିକେଟ୍‌ ତାସ୍‌ଘର ପରି ଭୂଷୁଡ଼ି ପଡ଼ିଥିଲା। ଏହି ଦୁଇ ଜଣ ଏବଂ ଓପନର୍‌ ସ୍ମୃତି ମନ୍ଧନା (୧୩ ରନ୍‌)ଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲା ବେଳେ ୪ ଜଣ ଶୂନରେ ଆଉଟ୍‌ ହୋଇଥିଲେ। ଫଳ‌ରେ ଭାରତ ୧୭.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ‌ହିଲେ ଜେନସେନ ଓ ଆମେଲିଆ କେର ୩ ଲେଖାଏଁ ଏବଂ ଫ୍ରାନ୍‌ସିସ୍‌ ‌ମାକେ ଓ ଜେସ କେର ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଆମେଲିଆ କେର (୬୮ ରନ୍‌, ୩/୩୦, ୨ କ୍ୟାଚ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୨୪ ତାରିଖରେ ଶେ‌ଷ ଦିନିକିଆ ଖେଳାଯିବ।

ସମ୍ବନ୍ଧିତ ଖବର