ସିଏ-ଏଲିସ ଜିତିଲେ ମହିଳା ଯୁଗଳ ଟ୍ରଫି

ଯୁଗଳ ଟ୍ରଫି ଜିତିବାରେ ନିକୋଲା-ପାଭିକ ପ୍ରଥମ କ୍ରୋଏସୀୟ

ଲଣ୍ଡନ: ତାଇୱାନର ସିଏ ସୁ-ୱି ଏବଂ ବେଲ୍‌ଜିୟମର ଏଲିସ ମାର୍ତେନ୍ସ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଶନିବାର ରାତିରେ ସେଣ୍ଟର କୋର୍ଟରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ତାଇୱାନ-ବେଲ୍‌ଜିୟମ ଯୋଡ଼ି ୩-୬, ୭-୫, ୯-୭ ସେଟ୍‌ରେ ରୁଷିଆର ଏଲିନା ଭେସନିନା ଓ ଭେରୋନିକା କୁଦରମେତୋଭାଙ୍କୁ ପରାସ୍ତ କରିଥିଲେ। ୩୫ ବର୍ଷୀୟା ସିଏ’ଙ୍କ ଏହା ତୃତୀୟ ୱିମ୍ବଲଡନ୍‌ ଯୁଗଳ ମୁକୁଟ। ତିନି ଥର ଯାକ ସେ ଅଲଗା ଅଲଗା ସାଥୀଙ୍କ ସହ ଟ୍ରଫି ଜିତିଛନ୍ତି। ପୂର୍ବରୁ ୨୦୧୩ରେ ସେ ପେଙ୍ଗ ସୁଆଇଙ୍କୁ ଏବଂ ୨୦୧୯ରେ ବାର୍ବୋରା ‌ଷ୍ଟ୍ରାଇକୋଭାଙ୍କୁ ସାଥୀ କରି ଏଠାରେ ଟ୍ରଫି ଜିତିଥିଲେ।

ଲଣ୍ଡନ: କ୍ରୋ‌ଏସିଆର ନିକୋଲା ମେକ୍‌ଟିକ ଓ ମେଟ୍‌ ପାଭିକ ୱିମ୍ବଲଡନ୍‌ ପୁରୁଷ ଯୁଗଳ ଟ୍ରଫି ଜିତିନେଇଛନ୍ତି। ଏଥି ସହ ନିକୋଲା ଓ ପାଭିକ ଗ୍ରାଣ୍ଡ ସ୍ଲାମ୍‌ ପୁରୁଷ ଯୁଗଳ ଟ୍ରଫି ଜିତିବାରେ ପ୍ରଥମ କ୍ରୋଏସିଆ ଯୋଡ଼ି ହୋଇଛନ୍ତି। ଶନିବାର ଫାଇନାଲ୍‌ରେ ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ୬-୪, ୭-୬, ୨-୬, ୭-୫ ସେଟ୍‌ରେ ସ୍ପେନ୍‌-ଆର୍ଜେଣ୍ଟିନା ଯୋଡ଼ି ମାର୍ସେଲ ଗ୍ରା‌ନୋଲେର୍ସ ଓ ହୋରାସିଓ ଜେବାଲୋସଙ୍କୁ ମାତ୍‌ ଦେଇଥିଲେ। ପାଭିକଙ୍କର ଏହା ତୃତୀୟ ପୁରୁଷ ଯୁଗଳ ଗ୍ରାଣ୍ଡ୍‌ ସ୍ଲାମ୍‌ ମୁକୁଟ। ସେ ପୂର୍ବରୁ ଭିନ୍ନଭିନ୍ନ ସାଥୀଙ୍କ ସହ ୨୦୧୮ରେ ଅଷ୍ଟ୍ରେଲିଆନ୍‌ ଓପ୍‌ ଏବଂ ୨୦୨୦ ୟୁଏସ୍‌ ଓପନ୍‌ ଜିତିଥିଲେ।

ସମ୍ବନ୍ଧିତ ଖବର