ସୁନ୍ଦରଗଡ଼: ସେପ୍ଟେମ୍ବର ୩ ରବିବାରରୁ ୧୨ ତାରିଖ ଯାଏ ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ଦ୍ବିତୀୟ ଜିଲ୍ଲାସ୍ତରୀୟ ମହିଳା ଫୁଟବଲ ଚାମ୍ପିଅନସିପ୍ ଆୟୋଜିତ ହେଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ହେଉଥିବା ଏହି ପ୍ରତିଯୋଗିତାରେ ୧୬ଟି ଦଳ ରାଉରକେଲା ଇସ୍ପାତ, ଲହୁଣୀପଡ଼ା କ୍ରୀଡ଼ା ସଂଘ, କୋଇଡ଼ା ଫୁଟବଲ ସଂଘ, ଲାଠିକଟା ନୀଳକମଳ ଫୁଟବଲ କମିଟି, ରାଉରକେଲାର କଳିଙ୍ଗ କ୍ରୀଡ଼ା ମହାସଂଘ, କୁଆରମୁଣ୍ଡା ଏକାଦଶ ଯୁବ ସଂଘ, ରାଜଗାଙ୍ଗପୁର ଏସଟି ମେରି ବାଳିକା ଉଚ୍ଚବିଦ୍ୟାଳୟ, ତୁଡ଼ାଲଗା ଉଚ୍ଚବିଦ୍ୟାଳୟ, ସବଡେଗା ଉପେନ୍ଦ୍ର ଉଚ୍ଚବିଦ୍ୟାଳୟ, କିଞ୍ଜିରକେଲା କୁଳମଣି ଉଚ୍ଚବିଦ୍ୟାଳୟ, କିଞ୍ଜିର୍ମା ଉଚ୍ଚବିଦ୍ୟାଳୟ, ସୁନ୍ଦରଗଡ଼ ଷ୍ଟାର୍ କ୍ଲବ୍, ସୁନ୍ଦରଗଡ଼ ଟାଉନ ଉଚ୍ଚବିଦ୍ୟାଳୟ, ସୁନ୍ଦରଗଡ଼ ଏସଟି ମେରି ବାଳିକା ଉଚ୍ଚବିଦ୍ୟାଳୟ, ତେଲେନଡିହି ଉଚ୍ଚବିଦ୍ୟାଳୟ ଭାଗନେବେ। ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇ ପ୍ରଥମେ ଲିଗ୍ ମ୍ୟାଚ୍ ହେବ। ପରେ ପ୍ରତି ଗ୍ରୁପରୁ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ୮ଟି ଦଳ ମଧ୍ୟରେ ନକଆଉଟ୍ ମ୍ୟାଚ୍ ଆୟୋଜିତ ହେବ। ସମସ୍ତ ଦଳର ଖେଳାଳିମାନଙ୍କୁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଜର୍ସି, ଜୋତା, ଯାତାୟତ ସହ ରହିବା, ଖାଇବା ଖର୍ଚ୍ଚ ଯୋଗାଇ ଦେବା ବ୍ୟବସ୍ଥା ହୋଇଛି। ପ୍ରତିଯୋଗିତାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କ୍ରୀଡ଼ା ସଂସଦ ପ୍ରତିଯୋଗିତା କମିଟି ଅଧ୍ୟକ୍ଷ ମେରି ଜନ୍ ବାଗେ, କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, ଉପସଭାପତି ବିମଳ ବୋଷ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକଙ୍କ ସମେତ ଜୟଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ନିତ୍ୟ କୁମାର ବଳ, ରୋମାଞ୍ଚ ଭୈଷାଲ, ସୂରଜ ଭୈଷାଲ, ପ୍ରଶାନ୍ତ ପଟେଲ, ଶିଶିର ପଟେଲ, ଆଶିଷ ଦେ, ପ୍ରସାଦ ନାଏକ, ଶ୍ୟାମନନ୍ଦନ ସହାୟ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।