ସୁରେଶ ସ୍ବାଇଁ
ଭୁବନେଶ୍ବର: ଓଡ଼ିଶାରେ ପୁରୁଷଙ୍କ ତୁଳନାରେ ମହିଳା ଫୁଟ୍ବଲ୍ ଉନ୍ନତ ଏବଂ ସଫଳତା ଦୃଷ୍ଟିକୋଣରୁ ମଧ୍ୟ ଢେର ଆଗରେ। ଜାତୀୟ ପ୍ରତିଯୋଗିତା ଓ ଜାତୀୟ କ୍ରୀଡ଼ାରେ ମିଳିତ ଭାବେ ୪ ଥର ସ୍ବର୍ଣ୍ଣ ପଦକ ଜିତିଛି ଓଡ଼ିଶା। ଏକାଧିକ ଖେଳାଳି ଭାରତୀୟ ଦଳରୁ ଖେଳି ଅନ୍ତର୍ଜାତୀୟ ତାରକା ହେବାର ଗୌରବ ଅର୍ଜନ କରିଛନ୍ତି। କିନ୍ତୁ ଆଉ ସେ ପୁରୁଣା ଦିନ ନାହିଁ। ଏବେ ରାଜ୍ୟ ମହିଳା ଫୁଟ୍ବଲ୍ ଦଳ ସେଭଳି ପ୍ରାଧାନ୍ୟ ବିସ୍ତାର କରିପାରୁନାହିଁ। ଏଭଳି ଅନୁଭବ କରୁଛନ୍ତି ଭାରତୀୟ ମହିଳା ଫୁଟ୍ବଲ୍ ଦଳର ଅଧିନାୟିକା ଆଶାଲତା ଦେବୀ। ରବିବାର ଭୁବନେଶ୍ବରର କ୍ୟାପିଟାଲ୍ ଏରିନାରେ ଅନୁଷ୍ଠିତ ସ୍ପୋର୍ଟସ ଓଡ଼ିଶା-ଗୋକୁଳମ ଏଫ୍ସି ଆଇଡବ୍ଲ୍ୟୁଏଲ୍ ମ୍ୟାଚ୍ ପରେ ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର ବେଳେ ଆଶାଲତା ଦେବୀ ଏମିତି କହିଛନ୍ତି। ପୂର୍ବ ଦଶନ୍ଧିରେ ଓଡ଼ିଶା ମହିଳା ଦଳ ଭଲ ଖେଳୁଥିଲା। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପିଙ୍କି ବମ୍ପଲ ମଗର, ସସ୍ମିତା ମଲ୍ଲିକ, ସୁପ୍ରଭା ସାମଲ ପ୍ରମୁଖଙ୍କ ପରେ ଓଡ଼ିଶାରେ ମହିଳା ଫୁଟ୍ବଲ୍ ଟିକେ ପଛରେ ପଡ଼ିଯିବା ଭଳି ଅନୁଭବ ହେଉଛି। ତଥାପି ଯୁବା ଖେଳାଳିମାନେ କ୍ରମେ ଅଭିଜ୍ଞତା ଅର୍ଜନ କରୁଥିବାରୁ ଭବିଷ୍ୟତ ଭଲ ରହିବ। ବର୍ଷେ /ଦୁଇ ବର୍ଷ ଭିତରେ ଏମାନଙ୍କଠାରୁ ଉନ୍ନତ ପ୍ରଦର୍ଶନ ଆଶା କରାଯାଇପାରିବ ବୋଲି କହିଥିଲେ ଏସିଆର ଏହି ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର।
ଭାରତୀୟ ଫୁଟ୍ବଲ୍ ପାଇଁ ଆଇଡବ୍ଲ୍ୟୁ ଏକ ବଡ଼ ମଞ୍ଚ ଭାବେ ଉଭା ହୋଇଛି। ବିଶେଷ କରି ଖେଳାଳିଙ୍କ ଫିଟନେସ୍ ସ୍ତର ଉପର ମୁହାଁ ହୋଇପାରିଛି। ଜାତୀୟ ଦଳ ପାଇଁ ଖେଳାଳି ଯୋଗାଇବା ସହ ସେମାନଙ୍କୁ ଶାଣିତ କରିବାର ମାଧ୍ୟମ ହୋଇଛି। ଜାତୀୟ ଦଳକୁ ଯିବା ପୂର୍ବରୁ ମାତ୍ର ଯଥେଷ୍ଟ ମ୍ୟାଚ୍ ମିଳୁ ନଥିଲା। ଏବେ ଏହି ଲିଗ୍ ବର୍ଷକୁ ୪ ମାସ ହେଉଛି ଆଗକୁ ୬ ମାସ ଖେଳାଯିବାର ଯୋଜନା ଅଛି। ଲିଗ୍ ଲମ୍ବା ଖେଳାଯିବା ଗୁରୁତ୍ବପୂର୍ଣ୍ଣ। ୧୭ ଓ ୧୯ ବର୍ଷରୁ କମ୍ ଖେଳାଳିଙ୍କ ନେଇ ଏଲିଟ୍ ଏକାଡେମି କରାଗଲେ ଭଲ ହୁଅନ୍ତା। ଭାରତୀୟ ଖେଳାଳିଙ୍କ ଶାରୀରିକ ଗଢ଼ଣ ଭିନ୍ନ ଥିବାରୁ ଆମେ ବିଶ୍ବସ୍ତରରେ ଟିକେ ପଛରେ ରହିଯାଉଛୁ। ଏସୀୟସ୍ତରରେ ଠିକ୍ ଠାକ୍ ରହୁଛି। ଆମ ଖେଳର ମୌଳିକତା କିନ୍ତୁ ଭଲ ଅଛି ବୋଲି ପ୍ରକାଶ କରିଥିଲେ ଏହି ମଣିପୁର ଖେଳାଳି। ପିଲାଦିନେ ସ୍କୁଲ୍ରୁ ଲୁଚି ଫୁଟ୍ବଲ୍ ଖେଳିଥିବା ଆଶାଲତା ଦେବୀ କ୍ରମେ ଭାରତୀୟ ଦଳର ଅଧିନାୟିକା ହୋଇ ଶିଖର ଛୁଇଁ ପାରିଛନ୍ତି। ବ୍ୟକ୍ତିଗତ ଜୀବନର ଫୁଟ୍ବଲ୍ ଯାତ୍ରାକୁ ନେଇ ଆତ୍ମପ୍ରସନ୍ନ ନୁହନ୍ତି। ଖେଳାଳି ଭାବେ କେବେ ସନ୍ତୁଷ୍ଟ ହୋଇପାରିନାହିଁ, ଅଧିକ ଉନ୍ନତ ପ୍ରଦର୍ଶନ କରିବାକୁ ସର୍ବଦା ଚେଷ୍ଟା କରିଥାଏ। ଭାରତକୁ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟନ୍ତ ନେବା ଆମ ସମସ୍ତଙ୍କ ସ୍ବପ୍ନ ରହିଛି। ମୋ ବୟସ ଦୃଷ୍ଟିରୁ ଏହା ସମ୍ଭବ ନ ହେଲେ ବି ଯୁବ ଖେଳାଳିଙ୍କୁ ସେ ପର୍ଯ୍ୟନ୍ତ ପହଞ୍ଚାଇବାରେ ଯୋଗଦାନ ରଖିବାକୁ ଚେଷ୍ଟା କରିବି। ଆମ ପାଇଁ ଏହା ଅବାସ୍ତବ ସ୍ବପ୍ନ ନୁହେଁ ବୋଲି କହିଥିଲେ ଆଶାଲତା।
ମଣିପୁରର ବେମବେମ ଦେବୀ, ତବାବୀ ଦେବୀ, ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଖେଳ ମୋତେ ବିଶେଷ ଭାବେ ପ୍ରଭାବିତ କରିଥିଲା। ଶ୍ରଦ୍ଧାଞ୍ଜଳିଙ୍କ ଗତି, ଶାନ୍ତ ସ୍ବଭାବ ଓ ଫିନିସିଂ ଭଲ ରହୁଥିଲା। ତେବେ ଇଂଲଣ୍ଡ ଡିଫେଣ୍ଡର ଆଲେକ୍ସ ସ୍କଟ୍ଙ୍କ ଖେଳଦ୍ବାରା ମୁଁ ଅଧିକ ଅନୁପ୍ରାଣିତ ହୋଇଥିଲି ବୋଲି ଏକଦା ଏଆଇଏଫ୍ଏଫ୍ ଓ ଏଏଫ୍ସିର ଶ୍ରେଷ୍ଠ ଖେଳାଳି (ମନୋନୀତ) ବିବେଚିତ ଆଶାଲତା ପ୍ରକାଶ କରିଥିଲେ। ମୁଁ ଖେଳ ଆରମ୍ଭ କଲା ବେଳେ ପରିବାର ଲୋକ ଗାଳି ଦେଉଥିଲେ, ଏବେ ଖେଳ ଛାଡ଼ିବା କଥା କହିଲେ, ମାମା ଗାଳି ଦେଉଛନ୍ତି। ସମ୍ପର୍କୀୟମାନେ ‘ବହୁତ ହୋଇଗଲା’ କହି ଭବିଷ୍ୟତ ଚିନ୍ତା କରିବାକୁ ପରାମର୍ଶ ଦେଉଛନ୍ତି। ମାମା କିନ୍ତୁ ସେସବୁକୁ ରୋକି ଉପଭୋଗ କରୁଥିବା ଯାଏ ଖେଳ ଜାରି ରଖିବାକୁ କହୁଛନ୍ତି। ଭାରତ ପାଇଁ ୧୨ ବର୍ଷ ଧରି ଖେଳୁଥିବା ଆଶାଲତା ୮୯ ମ୍ୟାଚ୍ ପ୍ରତିନିଧିତ୍ବ କରିବା ସହ ୨ ଥର ଦକ୍ଷିଣ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେଥୁ ଏଫ୍ସି ଓ ଗୋକୁଳମ ଏଫ୍ସି ପାଇଁ ମିଳିତ ଭାବେ ୩ ଥର ଆଇଡବ୍ଲ୍ୟୁଏଲ୍ ଟ୍ରଫି ମଧ୍ୟ ହାସଲ କରିଛନ୍ତି।
ଗୋକୁଳମ କେରଳଠୁ ହାରିଲା ସ୍ପୋର୍ଟ୍ସ ଓଡ଼ିଶା
ଭୁବନେଶ୍ବର: ଚଳିତ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍)ରେ ସ୍ପୋର୍ଟ୍ସ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ରବିବାର ସ୍ଥାନୀୟ କ୍ୟାପିଟାଲ୍ ଫୁଟ୍ବଲ୍ ଏରିନାରେ ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଦଳ ୦-୫ ଗୋଲ୍ରେ ଗୋକୁଳମ କେରଳଠୁ ହାରି ଯାଇଛି। ଭ୍ରମଣକାରୀ ଦଳ ପକ୍ଷରୁ ସନ୍ଧ୍ୟା ରଙ୍ଗନାଥନ (୩)ଙ୍କ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ଫଜିଲା ଇୱାପୁତ (୪୪, ୮୩, ୮୪, ୮୫) ୪ଟି ଗୋଲ୍ ଦେଇ ଦଳକୁ ୫-୦ କ୍ଲିନ୍ ସିଟ୍ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଗୋକୁଳମ କେରଳ ୨୩ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି। ଓଡ଼ିଶା ଏଫ୍ସି (୨୨ ପଏଣ୍ଟ୍) ଦ୍ବିତୀୟରେ ରହିଥିଲା ବେଳେ ବିଜୟ ଶୂନ୍ୟ ଥିବା ସ୍ପୋର୍ଟ୍ସ ଓଡ଼ିଶା (୨) ଦଶମ ମ୍ୟାଚ୍ରୁ ଅଷ୍ଟମ ପରାଜୟ ସହ ଟେବୁଲର ଶେଷ ସ୍ଥାନରେ ରହିଛି।