ଇନ୍ଦୋର: ଚଳିତ ଆଇେସିସି ଦିନିକିଆ ମହିଳା ବିଶ୍ବକପ୍ରେ ଭାରତ କ୍ରମାଗତ ତୃତୀୟ ପରାଜୟ ବରଣ କରି ଅଲୋଡ଼ା ହ୍ୟାଟ୍ରିକ୍ କରିଛି। ଏଥି ସହ ହର୍ମନପ୍ରୀତ୍ କୌରଙ୍କ ଦଳର ସେମିଫାଇନାଲ୍ ଆଶାରେ ବଡ଼ ଝଟ୍କା ଲାଗିଛି। ଦାୟିତ୍ବହୀନ ବ୍ୟାଟିଂ କରି ଭାରତୀୟ ମହିଳା ମାତ୍ର ୪ ରନ୍ରେ ଇଂଲଣ୍ଡ ନିକଟରୁ ହାରିଯାଇଛି। ଅନ୍ୟପକ୍ଷରେ ଅପରାଜିତ ଇଂଲଣ୍ଡର ସେମିଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଛି। ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଏକେ ଗୋଟିଏ ମାତ୍ର ସ୍ଥାନ ପାଇଁ ‘କର ବା ମର’ ସ୍ଥିତିରେ ପଡ଼ିଯାଇଛି ଭାରତ। ଘରୋଇ ଦଳ ନିଜ ଶେଷ ଦୁଇ ରାଉଣ୍ଡ୍ ରବିନ୍ ମ୍ୟାଚ୍ରେ ଅନ୍ୟତମ ଆଶାୟୀ ନ୍ୟୁଜିଲାଣ୍ଡ୍ (ଅକ୍ଟୋବର ୨୩) ଓ ବାଂଲାଦେଶ (ଅକ୍ଟୋବର ୨୬) ସହ ଖେଳିବ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୮ ରନ୍ର ଲଢ଼ୁଆ ସ୍କୋର୍ କରିଥିଲା। ହିଦର ନାଇଟ୍ (୯୧ ବଲ୍ରୁ ୧୦୯ ରନ୍) ଓ ଆମି ଜୋନ୍ସ (୬୮ ବଲ୍ରୁ ୫୬ ରନ୍) ତୃତୀୟ ୱିକେଟ୍ ପାଇଁ ୧୧୩ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା। ଦୀପ୍ତି ଶର୍ମା (୧୦-୦-୫୧-୪) ଅଙ୍କୁଶ ଲଗାଇବା ପରେ ଇଂଲଣ୍ଡର ସମ୍ଭାବ୍ୟ ୩୦୦ ରନ୍ ସମ୍ଭବ ହୋଇ ନଥିଲା। ଜବାବରେ ଦୁଇ ଅଭିଜ୍ଞା ବ୍ୟାଟର୍ ସ୍ମୃତି ମନ୍ଧାନା (୯୪ ବଲ୍ରୁ ୮୮ ରନ୍) ଓ ହର୍ମନପ୍ରୀତ୍ କୌର୍ (୭୦ ବଲ୍ରୁ ୭୦ ରନ୍) ତୃତୀୟ ୱିକେଟ୍ ପାଇଁ ୨୦.୨ ଓଭରରେ ୧୨୩ ରନ୍ ଯୋଡ଼ି ଦଳକୁ ବିଜୟ ପଥରେ ରଖିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା (୫୭ ବଲ୍ରୁ ୫୦ ରନ୍) ବି ଭଲ ଖେଳିଥିଲେ। ଦୀପ୍ତିଙ୍କ ବିଦାୟ ପରେ ଅମନଜୋତ୍ କୌର ଓ ସ୍ନେହ ରାଣା କିନ୍ତୁ ଭାରତକୁ ବିଜୟ ମଣ୍ଡିତ କରିପାରି ନଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୨୮୮/୮ (ହିଦର ନାଇଟ୍-୧୦୯, ଆମି ଜୋନ୍ସ-୫୬, ନାଟ୍ ଶ୍ଚିଭର ବ୍ରଣ୍ଟ୍-୩୮, ଦୀପ୍ତି ଶର୍ମା-୪/୫୧, ଶ୍ରୀ ଚରଣୀ-୨/୬୮)। ଭାରତ ୫୦ ଓଭରରେ ୨୮୪/୬ (ସ୍ମୃତି ମନ୍ଧାନା-୮୪, ହର୍ମନପ୍ରୀତ୍ କୌର୍-୭୦, ଦୀପ୍ତି ଶର୍ମା-୫୦, ଅମନଜୋତ କୌର୍-୧୮*, ସ୍ନେହ ରାଣା-୧୦*, ନାଟ୍ ଶ୍ଚିଭର ବ୍ରଣ୍ଟ୍-୨/୪୭)।