ମହିଳା ହକି: ଆର୍ଜେଣ୍ଟିନାରେ ପୁଣି ‌ହାରିଲା ଭାରତ

ବୁଏନସ ଏୟାର୍ସ : ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ସେଠାକାର ବରିଷ୍ଠ ଦଳ ବିପକ୍ଷରେ ପୁଣି ହାରିଛି। ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଆଜେଣ୍ଟିନା ବରିଷ୍ଠ ଦଳ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୩-୨ରେ ହାରିଥିବା ଭାରତ ଶୁକ୍ରବାର ଏହି ଆୟୋଜକ ଦଳ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ୦-୨ ଗୋଲ୍‌ରେ ପରାସ୍ତ ହୋଇଛି।

ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ସିଲ୍‌ଭିନା ଡି’ଏଲିଆଙ୍କ ପେନାଲ୍‌ଟି କର୍ଣ୍ଣର ଗୋଲ୍‌ ବଳରେ ଆୟୋଜକ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଆରମ୍ଭରୁ ଗୋଲ୍‌ ବରଣ କରିବା ପରେ ଭ୍ରମଣକାରୀ ଦଳର ମନୋବଳ କମିଯାଇଥିଲା। ତଥାପି ଭାରତୀୟ ଖେଳାଳି ଦ୍ବିତୀୟ ଓ ତୃତୀୟ କ୍ବାର୍ଟର୍‌ରେ ଆର୍ଜେଣ୍ଟିନାକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ଚତୁର୍ଥ କ୍ବାର୍ଟର୍‌ରେ ଆର୍ଜେଣ୍ଟିନାକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଅଗୁଷ୍ଟିନା ଅଲ୍‌ବର୍ଟାରିଓ (୫୪ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ୨-୦‌ରେ ବିଜୟ ଭେଟି ଦେଇଥିଲେ। ପୂର୍ବରୁ ଏହି ଗସ୍ତରେ କନି‌ଷ୍ଠ ଦଳ ବିପକ୍ଷରେ ଖେଳିଥିବା ପ୍ରଥମ ଦୁଇ ମ୍ୟାଚ୍‌ ଅମୀମାଂସିତ ରଖିବା ପରେ ଭାରତୀୟ ବରିଷ୍ଠ ମହିଳା ଦଳ ଆର୍ଜେଣ୍ଟିନା ବି’ ବିପକ୍ଷ‌ ଦୁଇଟି ମ୍ୟାଚ୍‌ ହାରିଯାଇଥିଲା।

ସମ୍ବନ୍ଧିତ ଖବର