ଟୋକିଓ: ଗ୍ରୁପ୍ ପର୍ଯ୍ୟାୟରେ ଶେଷ ଦୁଇ ମ୍ୟାଚ୍‌ (ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକା) ଜିତି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ପ୍ରଥମ ଥର ଲାଗି ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଟିମ୍‌ ଇଣ୍ଡିଆ ସୋମବାର କ୍ବାର୍ଟର ଫାଇନାଲ୍‌ରେ ଗ୍ରୁପ୍‌-ବି’ ଶୀର୍ଷ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ରୁ ୫ ଜିତି ୧୦୦ ପ୍ରତିଶତ ସଫଳତା ସହ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ଭାରତର ଅଲିମ୍ପିକ୍ସ ଅଭିଯାନ ନେଦରଲାଣ୍ଡ (୧-୫), ଜର୍ମାନି (୦-୨) ଓ ଗ୍ରେଟ୍‌ ବ୍ରିଟେନ୍‌ (୧-୪) ପରାଜୟରୁ ଆରମ୍ଭ ହୋଇଥିଲା। ଏହା ପରେ ଭାରତ ଆୟର୍ଲାଣ୍ଡ (୧-୦) ଓ ଦକ୍ଷିଣ ଆଫ୍ରିକା (୪-୩)କୁ ହରାଇଥିଲା। ଭାରତ ମୋଟ ୧୪ ଗୋଲ୍‌ ବରଣ କରିଥିଲା ବେଳେ ମାତ୍ର ୬ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲା। ଭାରତର ଦୁର୍ବଳତା ହେଉଛି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତରିତ କରିବା। ଲିଗ୍‌ ପର୍ଯ୍ୟାୟରେ ଭାରତ ୩୩ ପେନାଲ୍‌ଟି କର୍ଣ୍ଣର ପାଇଥିଲା କେବଳ ୪ଟିକୁ ଗୋଲ୍‌ କରିବାରେ ସଫଳ ହୋଇଥିଲା। ଏହି ବିଫଳତା ଦଳକୁ ପ୍ରଥମେ ସଜାଡ଼ିବାକୁ ପଡ଼ିବ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚ୍‌ରେ ହ୍ୟାଟ୍ରିକ ହାସଲ କରିଥିବା ବନ୍ଦନା କଟାରିଆ ନିଜର ଚମତ୍କାର ପ୍ରଦର୍ଶନକୁ କ୍ବାର୍ଟର ଫାଇନାଲ୍‌ରେ ଜାରି ରଖିବାକୁ ଚେଷ୍ଟା କରିବେ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ (ଟୋକିଓ ଅଲିମ୍ପିକ୍ସ ଟେଷ୍ଟ୍‌ ଇଭେଣ୍ଟ୍‌, ଅଗଷ୍ଟ ୨୦୧୯) ୨-୨ରେ ଅମୀମାଂସିତ ରହିଥିଲା। ଅଷ୍ଟ୍ରେଲିଆ ଉଚ୍ଚ ମାନ୍ୟତା ଦଳ ହୋଇଥିଲେ ମଧ୍ୟ ଶେଷ ପ୍ରଦର୍ଶନ ଦେଖିଲେ ଭାରତ ସହଜରେ ବାଟ ଛାଡ଼ିବନି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଭାରତୀୟ ମହିଳା ଦଳ ସେହି ୬ ଦଳୀୟ ସଂସ୍କରଣରେ ଚତୁର୍ଥ ସ୍ଥାନରେ ରହିଥିଲା। ଯାହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଏବଂ ସେତେବେଳେ କ୍ବାର୍ଟର ଫାଇନାଲ୍‌ ବ୍ୟବସ୍ଥା ନଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରକ୍ଷଣଭାଗ ଚମତ୍କାର ରହିଛି। ଏହି ଦଳ ‌ଗ୍ରୁପ୍‌ ପର୍ଯ୍ୟାୟରେ କେବଳ ଗୋଟିଏ ଗୋଲ୍‌ ବରଣ କରିଛି ଏବଂ ୧୩ ଗୋଲ୍‌ ଦେଇଛି। ‌

Advertisment

ବିନା ଚାପରେ ଖେଳିବୁ: ମାରିନ
ଏହା ଆମର ପଦାର୍ପଣ ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍‌ ହୋଇଥିଲେ ‌ମଧ୍ୟ ଆମେ ବିନା ଚାପରେ ଖେଳିବୁ। ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇଥିବାରୁ ତା’ ଉପରେ ନିଶ୍ଚିତ ଚାପ ରହିବ। ତେଣୁ ଆମେ ମୁକ୍ତ ଭାବେ ଖେଳିବା ଲାଗି ସମର୍ଥ‌ ହେବୁ। ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ପ୍ରତି ମ୍ୟାଚ୍‌ ଉପରେ ନଜର ରଖଛୁ। ପ୍ରତ୍ୟେକ ମ୍ୟାଚ୍‌ରେ ଭଲ କରିବାକୁ ଚେଷ୍ଟା କରୁଛୁ। ଆଜି ଭଲ ‌ଅଭ୍ୟାସ ହୋଇଛି। ଆସନ୍ତାକାଲି ପଡ଼ିଆରେ ଶତପ୍ରତିଶତ ଦେବାକୁ ପ୍ରସ୍ତୁତ ରହିଛୁ। ବିପକ୍ଷ ଦଳର ଶକ୍ତି ଓ ସାମର୍ଥ୍ୟକୁ ନେଇ ବ୍ୟସ୍ତ ହେଉନୁ। ଗ୍ରୁପ୍‌ ପର୍ଯ୍ୟାୟରେ ଆରମ୍ଭରୁ ହାରିଥିଲେ ମଧ୍ୟ ହୋଇଥିବା ଭୁଲ୍‌କୁ ସୁଧାରି ଶେଷ ଦୁଇ ମ୍ୟାଚ୍‌ ଜିତି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛୁ। ପୂରା ପ୍ରତିଯୋଗିତାରେ ଅନେକ ସୁଯୋଗ ସୃଷ୍ଟି କରିଥିଲୁ, କିନ୍ତୁ ଗୋଲ୍‌ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲୁ। ସୁଯୋଗକୁ ‌ଗୋଲ୍‌ ରୂପାନ୍ତର କରିବାକୁ ଚେଷ୍ଟା କରିବୁ ଏବଂ ବିପକ୍ଷ ଦଳକୁ କମ୍ ସୁଯୋଗ ଦେବା ଲାଗି ରକ୍ଷଣଭାଗକୁ ଦୃଢ଼ କରିବୁ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ କହିଛନ୍ତି।

ବିଜୟ ପାଇଁ ପୂରା ଆତ୍ମବିଶ୍ବାସ ରହିଛି: ରାଣୀ
ଗ୍ରୁପ୍ ପର୍ଯ୍ୟାୟରେ ଅରମ୍ଭରୁ ନିରାଶାର ସମ୍ମୁଖୀନ ହେବା ପରେ ଶେଷ ଦୁଇ ମ୍ୟାଚ୍‌ ଜିତିବା ଆମର ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରିଛି। ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଜିତିବା ଦଳର ନିଷ୍ଠା ଓ ମାନସିକତାକୁ ଆଗକୁ ଆଣିଛି। ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ପରି ଏକ ବିଶ୍ୱସ୍ତରୀୟ ଦଳ ବିପକ୍ଷରେ ଆମେ ଖେଳିବାକୁ ଯାଉଛି। ଏଥିଲାଗି ଦଳକୁ ଅବିଶ୍ବାସନୀୟ ପ୍ରଦର୍ଶନ ଦେବାକୁ ପଡ଼ିବ। ମୋର ବିଶ୍ବାସ ଯେ ବିଜୟ ହାସଲ କରିବା ଲାଗି ଆମ ନିକଟରେ ସାମର୍ଥ୍ୟ ଅଛି। ଅଧିକ ଚାପ ନ ନେଇ ପଡ଼ିଆକୁ ଓହ୍ଲାଇବୁ। ନିଜ ନିଜର ଶତପ୍ରତିଶତ ଦେବାକୁ ଜାନ୍‌ ଲଗାଇଦେବୁ ବୋଲି ଅଧିନାୟିକା ରାଣୀ ରାମପାଲ କହିଛନ୍ତି।