ଏସିଆ କପ୍‌ ପାଇଁ ମହିଳା ହକି ଦଳ: ସବିତାଙ୍କୁ ନେତୃତ୍ବ

ଓଡ଼ିଶାରୁ ଦୀପ୍‌ଗ୍ରେସ, ମାରିଆନା

ନୂଆଦିଲ୍ଲୀ: ଅଭିଜ୍ଞ ଗୋଲ୍‌ରକ୍ଷିକା ସବିତା ଆଗାମୀ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ନେବେ। ବୁଧବାର ସବିତାଙ୍କ ନେତୃତ୍ବରେ ଘୋଷିତ ୧୮ ଜଣିଆ ଦଳରେ ଟୋକିଓ ଅଲିମ୍ପିକ୍ସ ଖେଳିଥିବା ୧୬ ‌େଖଳାଳି ନିଜ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଏହି ଦଳରେ ଓଡ଼ିଶାରୁ ଦୀପ୍‌ଗ୍ରେସ ଏକ୍କା ଏବଂ ମାରିଆନା କୁଜୁରଙ୍କୁ ସ୍ଥାନ ମିଳିଛି। ଦୀପ୍‌ଗ୍ରେସଙ୍କୁ ଉପଅଧିନାୟିକା ଦାୟିତ୍ବ ମିଳିଛି। ରାଣୀ ରାମପାଲ ଆହତ ହୋଇଥିବାରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ଏହି ପ୍ରତିଯୋଗିତା ମସ୍କାଟର ସୁଲତାନ କ୍ବାବୋସ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଚଳିତ ମାସ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଭାରତ ପୁଲ୍‌-ଏ’ରେ ଜାପାନ, ମାଲେସିଆ ଓ ସିଙ୍ଗାପୁର ସହ ରହିଛି। ଭାରତ ଉଦ୍‌ଘାଟନୀ ଦିବସରେ ମାଲେସିଆକୁ, ୨୩ରେ ଜାପାନକୁ ଏବଂ ୨୪ରେ ସିଙ୍ଗାପୁର ବିପକ୍ଷରେ ପୁଲ୍‌ ମ୍ୟାଚ୍‌ ଖେଳିବ। ସେମିଫାଇନାଲ୍‌ ୨୬ରେ ଏବଂ ଫାଇନାଲ୍‌ ୨୮ରେ ଖେଳାଯିବ। ଏହି ପ୍ରତିଯୋଗିତାର ଶୀର୍ଷ ୪ ଦଳ ସ୍ପେନ୍‌ ଓ ନେଦରଲାଣ୍ଡ୍ସରେ ଆୟୋଜିତ ହେବାକୁ ଥିବା ୨୦୨୨ ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ୨୦୧୭ରେ ଭାରତ ୫-୪ରେ ଚୀନ୍‌କୁ ହରାଇ ଏସୀୟ ବିଜେତା ହୋଇଥିଲା।

ଭାରତୀୟ ଦଳ: ସବିତା (ଅଧିନାୟିକା), ରଜନୀ ଈଟିମାର୍ପୁ (ଗୋଲ୍‌ରକ୍ଷିକା), ଦୀପ୍‌ଗ୍ରେସ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା (ରକ୍ଷଣଭାଗ), ନିଶା, ସୁଶିଳା ଚାନୁ, ମୋନିକା, ନେହା, ସଲିମା ଟେଟେ, ଜ୍ୟୋତି, ନଭ୍‌ଜୋତ କୌର (ମଧ୍ୟଭାଗ), ନବନୀତ କୌର, ଲାଲରେମସିଆମି, ବନ୍ଦନା କାଟାରିୟା, ମାରିଆନା କୁଜୁର, ଶର୍ମିଳା ଦେବୀ (ଅଗ୍ରଭାଗ)।

ସମ୍ବନ୍ଧିତ ଖବର