ଇତିହାସ ରଚିଲା ମହିଳା ହକି ଦଳ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଅଲିମ୍ପିକ୍ସ ସେମିରେ

ଗୁରଜିତଙ୍କ ଗୋଲ୍‌ରେ ଲେଖିଲା ଗୌରବ ଗାଥା
କଳିଙ୍ଗ ଷ୍ଟାଡିୟମ୍‌ରେ ମିଳିଥିଲା ଅଲିମ୍ପିକ୍ସ ଯୋଗ୍ୟତା
ପୁରୁଷ ଦଳ ସେମିରେ ଆଜି ବେଲଜିୟମକୁ ଭେଟିବ
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ‘ବେଷ୍ଟ ଅଫ୍‌ ଲକ୍‌’

ଟୋକିଓ : ଭାରତୀୟ ହକିରେ ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଦୁଇ ଦିନରେ ଦୁଇଟି ଅଲିମ୍ପିକ୍ସ ମାଇଲଖୁଣ୍ଟ ଛୁଇଁଛି ଭାରତ। ପ୍ରଥମେ ପୁରୁଷ ଦଳ ପାଖାପାଖି ପାଞ୍ଚ ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କଲା। ଏବେ ମହିଳା ଦଳ ତିନି ଥର ବିଜେତା ତଥା ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ମହାଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇବାର ଐତିହାସିକ ସଫଳତା ସହ ପ୍ରଥମ ଥର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର ଦିନ ମୁକାବିଲାର ୨୨ତମ ମିନିଟ୍‌ରେ ଡ୍ରାଗ୍ ଫ୍ଲିକର ଗୁରଜିତ କୌରଙ୍କ କମାଲ ବଳରେ ହିଁ ଭାରତ ଏହି ସ୍ମରଣୀୟ ସଫଳତା ଲାଭ କରିଛି। ଉତ୍କଣ୍ଠା, ଉତ୍ସାହ ଏବଂ କଡ଼ା ସଂଘର୍ଷଭରା ସୋମବାରର ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌କୁ ଜିତି ଭାରତୀୟ ମହିଳା ଦଳ ବି ବିଶ୍ବ ହକିର ନୂଆ ମହାଶକ୍ତି ଭାବେ ଉଭା ହୋଇଛି। କୋଟି କୋଟି ଭାରତୀୟ ମହିଳା ହକି ପ୍ରେମୀ ଦେଖି ଆସୁଥିବା ଅଲିମ୍ପିକ୍ସ ପଦକ ସ୍ବପ୍ନକୁ ସାକାର କରିବା ଦିଗରେ ଆତ୍ମବିଶ୍ବାସର ସହ ଅଗ୍ରସର ହୋଇଛି। ସେହିଭଳି ଚଳିତ ଅଲିମ୍ପିକ୍ସରେ ଅପରା‌ଜେୟ ଥିବା ଅଷ୍ଟ୍ରେଲିଆ ମହିଳା ଦଳକୁ ଶକ୍ତ ଝଟ୍‌କା ‌ଦେଇ ବିଦାୟ ପଥ ଦେଖାଇ ଦେଇଛି ଭାରତ।

ସୋମବାର ଦିନ ଦ୍ବିତୀୟ କ୍ବାର୍ଟରରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଗୁରଜିତ ଭାରତକୁ ଆଗୁଆ କରିବା ପରେ ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କାଙ୍କୁ ନେଇ ଗଠିତ ଭାରତୀୟ ରକ୍ଷଣଭାଗ ଫାଷ୍ଟ ହକି ପାଇଁ ପ୍ରସିଦ୍ଧ ଅଷ୍ଟ୍ରେଲିଆକୁ ଗୋଟିଏ ହେଲେ ଗୋଲ୍ ଦେବାର ସୁଯୋଗ ଦେଇ ନଥିଲେ। ପରବର୍ତ୍ତୀ ମିନିଟ୍‌ରେ ଭାରତୀୟ ମହିଳା ହକି ଦଳ ଯେଉଁ ସାହସିକ, କୁଶଳୀ ଓ ଚମକପ୍ରଦ ହକି ଖେଳିଥିଲା ସେଥିରେ ଅଷ୍ଟ୍ରେଲିଆ ଏକପ୍ରକାର ସ୍ତବ୍ଧ ହୋଇଯାଇଥିଲା। ଗୋଲ୍ ରକ୍ଷିକା ସବିତା ମଧ୍ୟ ଅଷ୍ଟ୍ରେଲିଆର ଅନ୍ୟୂନ ୧୪ଟି ପ୍ରୟାସକୁ ନିଷ୍ଫଳ କରି ମହିଳା ହକି ଦୁନିଆର ନୂଆ ରକ୍ଷାପ୍ରାଚୀର ଭାବେ ଉଭା ହୋଇଥିଲେ। ମାତ୍ର ତୃତୀୟ ଥର ଅଲିମ୍ପିକ୍ସ ଖେଳୁଥିବା ଭାରତୀୟ ମହିଳା ହକି ଦଳର ଏହି ଅସାଧାରଣ, ଅନନ୍ୟ ଓ ନାଟକୀୟ ବିଜୟକୁ ଅଲିମ୍ପିକ୍ସ ଇତିହାସର ଅନ୍ୟତମ ବୃହତ୍ ବିପର୍ଯ୍ୟୟ ଭାବେ ବି ବିବେଚନା କରାଯାଉଛି। ଚଳିତ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ପରାଜୟ ବରଣ କରିବା ପରେ ଅପୂର୍ବ ଏକାଗ୍ରତା, ଅବିଶ୍ବସନୀୟ ତାଳମେଳ ଏବଂ ଦୃଢ଼ ଆତ୍ମବଳର ପରିଚୟ ଦେଇ ପ୍ରଭାବୀ ଓ ପ୍ରେରଣାଦାୟୀ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ହକିର ମହନୀୟ ଇତିହାସକୁ ଆହୁରି ଋଦ୍ଧିମନ୍ତ କରିଛି ଭାରତୀୟ ମହିଳା ହକି ଦଳ। ଦଳର ଏହି ସଫଳତା ମଧ୍ୟ କୋଟି କୋଟି ଭାରତୀୟ ହକିପ୍ରେମୀଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳାଇ ଦେଇଛି। ପ୍ରତ୍ୟେକ ଭାରତୀୟ ଚାତକ ଭଳି ଅପେକ୍ଷା କରି ରହିଥିବା ଏହି ମ୍ୟାଚ୍ ବୁଧବାର ଖେଳାଯିବ। ବଡ଼ କଥା ହେଲା ଭାରତୀୟ ମହିଳା ହକି ଦଳ ଦୁଇ ବର୍ଷ ତଳେ କଳିଙ୍ଗ ଷ୍ଟାଡିୟମରେ ଆମେରିକାକୁ ରୋମାଞ୍ଚକର ଭାବେ ୬-୫ ଗୋଲ୍‌ରେ ହରାଇ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲା।

ଉଭୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସର ପଦକ ଦୌଡ଼ରେ ରହିବାର ସଂଯୋଗ ଭାରତୀୟ ହକିରେ ଦୀର୍ଘ ୪୧ ବର୍ଷ ପରେ ଆସିଛି। ଶେଷ ଥର ପାଇଁ ୧୯୮୦ ମସିହାରେ ଭାରତୀୟ ମହିଳା ଓ ପୁରୁଷ ଦଳ ପଦକ ଦୌଡ଼ରେ ସାମିଲ ଥିଲେ। ସେହିବର୍ଷ ମସ୍କୋରେ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପ୍ରଥମ ଥର ଅଲିମ୍ପିକ୍ସ ଖେଳୁଥିବା ମହିଳା ଦଳ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା। ମସ୍କୋ ଅଲିମ୍ପିକ୍ସର ହକି ରାଉଣ୍ଡରବିନ ପଦ୍ଧତିରେ ଖେଳାଯାଇଥିବାରୁ ସେମିଫାଇନାଲ୍ ଖେଳାଯାଇ ନଥିଲା। ଏବେ ସେହି ଦୁଃଖକୁ ଦୂର କରିବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚି ଯାଇଛି। ଭାରତୀୟ ମହିଳା ହକି ଦଳକୁ ତାର ପ୍ରତୀକ୍ଷିତ ସେମିଫାଇନାଲ୍ ଟିକେଟ ପାଇଁ ଅଭିନନ୍ଦନର ସୁଅ ଛୁଟିଛି। ସେହିଭଳି ମଙ୍ଗଳବାର ନିଜ ଇତିହାସର ଅନ୍ୟତମ ମହତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଯାଉଛି ଭାରତୀୟ ପୁରୁଷ ହକି ଦଳ। ସେମିଫାଇନାଲ୍‌ରେ ଆସନ୍ତାକାଲି ମନପ୍ରୀତ ସିଂହ ଦଳ ବିଶ୍ବବିଜେତା ବେଲଜିୟମକୁ ଭେଟିବ। ଏଥିଲାଗି ସମଗ୍ର ଦେଶ ଭାରତୀୟ ପୁରୁଷ ଦଳକୁ ଶୁଭେଚ୍ଛା ଓ ଶୁଭକା‌ମନା‌ରେ ପୋତି ଦେଇଛି। ଭାରତୀୟ ପୁରୁଷ ଦଳ ଏହି ପ୍ରତୀକ୍ଷିତ ଲଢ଼େଇ‌େୀ ଟୋକିଓ ମାଟିରେ ସଫଳତାର ସ୍ମରଣୀୟ ଛାପ ଛାଡ଼ିବାକୁ ଚେଷ୍ଟା କରିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ହକି ଦଳକୁ ଆଜିର ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ଟିମ୍‌ ପ୍ରଦର୍ଶନ ଆଜି ଚମତ୍କାର ଥିଲା। ସେମିଫାଇନାଲ୍‌ରେ ଏହି ଟିମ୍‌ ନିଶ୍ଚିତରୁପେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିବା ସହିତ ‘ବେଷ୍ଟ ଅଫ୍‌ ଲକ୍‌’ କହିଛନ୍ତି।

ସମ୍ବନ୍ଧିତ ଖବର