ଭୁବ‌ନେଶ୍ବର ଆସିବନି ନେଦରଲାଣ୍ଡ୍ସ ମହିଳା ହକି ଦଳ: ଭାରତ ବିପକ୍ଷ ମ୍ୟାଚ୍‌ରୁ ଓହରିଲା

ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ମହିଳା ହକି ଦଳ ଭାରତ ବିପକ୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ରୁ ଓହରି ଯାଇଛି। ଚଳିତ ମାସ ୧୯ ଓ ୨୦ ତାରିଖରେ ଏହି ଦୁଇଟି ମ୍ୟାଚ୍‌ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ନେଇ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ କୋଭିଡ ଯୋଗୁଁ ଏହି ଗସ୍ତ ବାତିଲ କରିଥିବାରୁ ହକି ଇଣ୍ଡିଆ ବିସ୍ମିତ ହୋଇଛି। କୋଭିଡକୁ ନଜରରେ ରଖି ‌କେଏନ୍‌ଏଚ୍‌ବି (ରୟାଲ ଡଚ୍‌ ହକି ସଂଘ) ମେଡିକାଲ କମିଟି ଗସ୍ତ ନ କରିବା ଲାଗି ପରମର୍ଶ ଦେବା ଏବଂ ମେଡିକାଲ୍‌ ଷ୍ଟାଫ୍‌ ପକ୍ଷରୁ ଏନ୍‌ଓସି ନ ମିଳିବାରୁ ଭାରତ ଗସ୍ତକୁ ନେଦରଲାଣ୍ଡ ବାତିଲ କରିଛି। ‘‘ଭୁବନେଶ୍ବରରେ ୧୯ ଓ ୨୦ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ର ଡବଲ ହେଡର ମ୍ୟାଚ୍‌ରେ ନେଦରଲାଣ୍ଡ୍ସର ନ ଖେଳିବା ନିଷ୍ପତ୍ତିରେ ହକି ଇଣ୍ଡିଆ ଦୁଃଖିତ ଏବଂ ବିସ୍ମିତ। ଭାରତରେ ସଂପ୍ରତି କୋଭିଡ୍‌ ପଜିଟିଭ୍‌ ହାର ହ୍ରାସ ପାଇ ୫ ପ୍ରତିଶତ‌ ତଳେ ରହିଛି। ଆମେ ମଧ୍ୟ ୧୬ ଦଳୀୟ ପୁରୁଷ ଏଫ୍‌ଆଇଏଚ୍‌ କନିଷ୍ଠ ବିଶ୍ବକପ୍‌ ୩ ମାସ ତଳେ ସୁରକ୍ଷିତ ଏବଂ ଜୈବ ବଳୟ ମଧ୍ୟରେ ସଫଳତାର ସହ ଆୟୋଜନ କରିଥିଲୁ। ଏବେ ବି ସୁରକ୍ଷିତ ଏବଂ ଜୈବ ବଳୟ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରିବା ନେଇ ପ୍ରତିଶୃତିବଦ୍ଧ ଥିଲୁ’’ ବୋଲି ନେଦରଲାଣ୍ଡ୍ସ ଓହରିବା ନିଷ୍ପତ୍ତି ପରେ ହକି ଇଣ୍ଡିଆ ସଭାପତି ‌ଜ୍ଞାନେନ୍ଦ୍ରୋ ନିଙ୍ଗୋମବାମ କହିଛନ୍ତି। ‌ନେଦରଲାଣ୍ଡ୍ସ ଦଳ ଭାରତ ନ ଆସିବା ନିଷ୍ପତ୍ତି ନେଇ ଏଫଆଇଏଚ୍‌ର ଦ୍ବାରସ୍ଥ ହେବ ବୋଲି ହକି ଇଣ୍ଡିଆ କହିଛି।

ସମ୍ବନ୍ଧିତ ଖବର