ଆମଷ୍ଟଲଭିନ : ପରାଜୟ ସତ୍ତ୍ବେ ଭାରତ ଚଳିତ ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ରେ ଗୋଲ୍ ବ୍ୟବଧାନରେ ଚୀନ୍କୁ ପଛରେ ପକାଇ କ୍ରସଓଭରକୁ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମ ଦୁଇ ମ୍ୟାଚ୍ ଅମୀମାଂସିତ ରଖିଥିବା ଭାରତ ଗୁରୁବାର ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠୁ ୩-୪ ଗୋଲ୍ରେ ହାରି ଯାଇଥିଲା। ହେଲେ ୩ ମ୍ୟାଚ୍ରୁ ୨ ଅମୀମାଂସିତ ଓ ୧ ପରାଜୟରୁ ୨ ପଏଣ୍ଟ ପାଇ ଚୀନ୍ ସହ ସମାନ ସ୍ଥରରେ ରହିଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଆଗୁଆ ରହି ଟେବୁଲର ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ଭାରତ ପକ୍ଷରୁ ବନ୍ଦନା କଟାରିଆ (୪ ମିନିଟ୍), ଲାଲରେମସିଆମି (୪୪ ମିନିଟ୍) ଓ ଗୁରଜିତ କୌର (୫୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ନ୍ୟୁଜିଲାଣ୍ଡର ଓଲିଭିଆ ମେରି (୧୨, ୫୪ ମିନିଟ୍) ଦୁଇଟି, ଟେସା ଜୋପ (୨୯ ମିନିଟ୍) ଓ ଫ୍ରାନ୍ସିସି ଡେଭିସ (୩୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ସିଧାସଳଖ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲା। କ୍ବାର୍ଟର ଫାଇନାଲ୍କୁ ଯୋଗ୍ୟତା ହାସଲ ପାଇଁ ଭାରତ ରବିବାର କ୍ରସଓଭର ମ୍ୟାଚ୍ରେ ଗିଲ୍-ସି’ର ଦ୍ବିତୀୟ ଦଳ ତଥା ସହଆୟୋଜକ ସ୍ପେନ୍ ସହ ମୁକାବିଲା କରିବ।