ମହିଳା ହକି ବିଶ୍ବକପ୍: ଜାପାନକୁ ୩-୧ରେ ହରାଇ ଭାରତ ନବମ

ଆମଷ୍ଟଲଭିନ୍: ମହିଳା ହକି ବିଶ୍ବକପ୍‌ରେ ଭାରତ ଦ୍ବିତୀୟ ବିଜୟ ହାସଲ କରିଛି। ବୁଧବାର ନବମରୁ ଦ୍ବାଦଶ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଜାପାନକୁ ୩-୧ ଗୋଲ୍‌ରେ ହରାଇ ସବିତା ପୁନିଆଙ୍କ ଦଳ ନବମ ସ୍ଥାନରେ ଅଭିଯାନ ଶେଷ କରିଛି। ଆଜିର ଏହି ମୁକାବିଲାରେ ପରାଜିତ ଜାପାନ କିନ୍ତୁ ପ୍ରଥମ ଗୋଲ୍ ଦେଇଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରର ପଞ୍ଚମ ମିନିଟ୍‌ରେ ଏହି ଗୋଲ୍‌ଟି ଆଶାଇ ୟୁ (୨୦ ମିନିଟ୍) ଦେଇ ଭାରତ ଉପରେ ଜାପାନ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ଆଶାଇ ଏହି ଗୋଲ୍‌ଟି ପେନାଲ୍ଟି କର୍ଣ୍ଣରରୁ ଅର୍ଜନ କରିଥିଲେ। ତେବେ ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍ ପୂର୍ବରୁ ନଭନୀତ କୌରଙ୍କ ଫିଲ୍ଡ ଗୋଲ୍ (୩୦ ମିନିଟ୍) ବଳରେ ଭାରତ ସ୍ଥିତି ୧-୧ କରିନେବା ସହ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ତା’ର ରଣନୀତି ବଦଳାଇ ଆକ୍ରମଣ ଉପରେ ଅଧିକ ଧ୍ୟାନ ଦେଇଥିଲା। ଯାହାର ଲାଭ ଦଳକୁ ମିଳିଥିଲା। ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା ପେନାଲ୍ଟି କର୍ଣ୍ଣରକୁ ଚତୁରତାର ସହ ଗୋଲ୍‌ (୩୮ ମିନିଟ୍)ରେ ରୂପାନ୍ତର କରିବା ପରେ ଭାରତ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଆଗୁଆ (୨-୧) ହୋଇଥିଲା।

ଏହାର ମାତ୍ର ୭ ମିନିଟ୍ ପରେ ନଭନୀତ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଫିଲ୍ଡ ଗୋଲ୍ ଏବଂ ଦଳ ପକ୍ଷରୁ ତୃତୀୟ ଗୋଲ୍ (୪୫ ମିନିଟ୍) ଦେଇଥି‌ଲେ। ଫଳରେ ଭାରତ ମ୍ୟାଚ୍‌କୁ ଏକପ୍ରକାର ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଶେଷ କିଛି ମିନିଟ୍‌ରେ ଜାପାନ ଭାରତ ଗୋଲ୍‌ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ସଜାଗ ଭାରତୀୟ ରକ୍ଷଣଭାଗ ଏବଂ ଅଧିନାୟିକା ତଥା ଗୋଲ୍‌ରକ୍ଷକ ସବିତା ପ୍ରତିପକ୍ଷର ସବୁ ପ୍ରୟାସକୁ ସଫଳତାର ସହ ନିଷ୍ଫଳ କରି ଦେଇଥିଲେ। ଭାରତ ଶେଷରେ ଦୁଇଟି ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହା ପୂର୍ବ ମ୍ୟାଚ୍‌ରେ ଭାରତ କାନାଡାକୁ ରୋମାଞ୍ଚକର ଭାବେ ୩-୨ରେ (ସୁଟଆଉଟ୍)ରେ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର