ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ଗାଙ୍ଗୁଲି

ମୁମ୍ବାଇ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି ।

ଆଜି ବିସିସିଆଇର ଗଭର୍ଣ୍ଣିଂ କାଉନସିଲ ବୈଠକ ପୂର୍ବରୁ ସେ କହିଛନ୍ତି ଯେ ଭାରତରେ ମହିଳା କ୍ରିକେଟର ବିକାଶ ପାଇଁ ବିସିସିଆଇ ପ୍ରତିଶ୍ରୁତିବଦ୍ଧ । ମହିଳା ଆଇପିଏଲ ନିଶ୍ଚିତ ଭାବରେ ହେବ । ଜାତୀୟ ମହିଳା ଟିମ ପାଇଁ ମଧ୍ୟ କେତେକ ଯୋଜନା କରାଯାଉଛି । କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ମହିଳା କ୍ରିକେଟିୟରଙ୍କ ପାଇଁ ଏକ କ୍ୟାମ୍ପ ଆୟୋଜନ କରିବାକୁ ଯୋଜନା କରାଯାଉଛି ।

ଗତ ସପ୍ତାହରେ ୟୁଏଇରେ ପୁରୁଷ ଆଇପିଏଲ ଆୟୋଜନ ବିଷୟରେ ବିସିସିଆଇ ଘୋଷଣା କରିଥିଲା । ତେବେ ମହିଳା ଆଇପିଏଲ ବାବଦରେ କୌଣସି ଘୋଷଣା କରାଯାଇନଥିଲା । ଏହାକୁ ନେଇ ସବୁଆଡ଼େ ବିସିସିଆଇକୁ ସମାଲୋଚନା କରାଯାଇଥିଲା ।

ଆଇପିଏଲ ସାଧାରଣତଃ ମାର୍ଚ୍ଚରୁ ଏପ୍ରିଲ ମାସରେ ହୋଇଥାଏ । କିନ୍ତୁ ଭାରତରେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ ରହିଛି । ଭାରତରେ ନିକଟ ଭବିଷ୍ୟତରେ କରୋନା ସ୍ଥିତି ସୁଧୁରିବା ଭଳି ଲାଗୁନାହିଁ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବିଦେଶରେ ଏହାକୁ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର