ମାଉଣ୍ଟ୍ ମଙ୍ଗନୁଇ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ଦିନିକିଆ ବିଶ୍ବକପ୍ରେ ରବିବାର ଭାରତ ବଡ଼ ବ୍ୟବଧାନରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଗତଥରର ଉପବିଜୟିନୀ ଭାରତ ଚଳିତ ବିଶ୍ବକପ୍ରେ ତା’ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ୧୦୭ ରନ୍ରେ ଧୂଳି ଚଟାଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ତିନିଟି ଅର୍ଦ୍ଧଶତକ ସହାୟତାରେ ୭ ୱିକେଟ୍ ବିନିମୟରେ ୨୪୪ ରନ୍ କରିଥିଲା। ଜବାବରେ ବୋଲରଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ପାକିସ୍ତାନ ପାଳି ୧୩୭ (୪୩ ଓଭର)ରେ ସଫା ହୋଇଯାଇଥିଲା। ପୂଜା ଭସ୍ତ୍ରକାରଙ୍କ ଧୂଆଁଧାର ବ୍ୟାଟିଂ ପରେ ରାଜେଶ୍ବରୀ ଗାଏକ୍ବାଡଙ୍କ ମାରାତ୍ମକ ବୋଲିଂ ବଳରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ପୂଜା ଭସ୍ତ୍ରକାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏଥି ସହିତ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ଦୁଇ ପଡୋଶୀ ପ୍ରତିଦ୍ବନ୍ଦ୍ବୀ ୧୧ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ଶତକ ପ୍ରତିଶତ ସଫଳତା ସହ ଅପରାଜେୟ ରହିଛି। ପାକିସ୍ତାନ ୧୧ ମ୍ୟାଚ୍ ଖେଳି ଭାରତଠୁ ସବୁଥର ହାର୍ ମାନିଛି। ସଂଯୋଗବଶତଃ ଭାରତର ଏହି ସମସ୍ତ ବିଜୟରେ ମିତାଲି ରାଜଙ୍କୁ ଦେଖିବାକୁ ମିଳିଛି। ଭାରତ ବ୍ୟତୀତ ଅନ୍ୟ ତିନି ଦଳ କେବଳ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ଶତପ୍ରତିଶତ ବିଜୟ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଆୟର୍ଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆ ୧୫, ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୧୨ ଏବଂ ଆୟର୍ଲାଣ୍ଡ୍ ବିପକ୍ଷରେ ଭାରତ ୧୨ ମ୍ୟାଚ୍ ଜିତି ଅପରାଜେୟ କୀର୍ତ୍ତି ପାଇଛନ୍ତି।
ପୂଜା-ସ୍ନେହାଙ୍କ କେରର୍ଡ ଭାଗୀଦାରୀ; ରାଜେଶ୍ବରୀଙ୍କ କମାଲ ଭାରତର ୨୪୪ ସ୍କୋର୍ରେ ସବୁଠୁ ବଡ଼ ଅବଦାନ ପୂଜାଙ୍କର ରହିଥିଲା।
ସେ ୫୯ ବଲ୍ରୁ ୮ ଚୌକା ବଳରେ ୬୭ ରନ୍ କରିଥିଲେ। ସପ୍ତମ ତଥା ଶେଷ ବ୍ୟାଟର୍ ଭାବେ ଆଉଟ୍ ହେବା ପୂର୍ବରୁ ପୂଜା ସାଥୀ ସ୍ନେହ ରାଣା (୫୩, ୪୮ ବଲ୍, ୪ ଚୌକା)ଙ୍କ ସହ ସପ୍ତମ ୱିକେଟ୍ରେ ୧୨୨ ରନ୍ ଯୋଡ଼ି ପାକିସ୍ତାନ ବୋଲରଙ୍କୁ ନୟାନ୍ତ କରିଦେଇଥିଲେ। ଏହା ମଧ୍ୟ ମହିଳା ଦିନିକିଆରେ ସପ୍ତମ ୱିକେଟ୍ରେ ରେକର୍ଡ ଭାଗୀଦାରି ଥିଲା। ପୂର୍ବରୁ ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ନିକୋଲା ବ୍ରାଉନ ଓ ସାରା ସୁକିଗାୱାଙ୍କ ୧୦୪* ଏବଂ ଶ୍ରୀଲଙ୍କା ବିପକ୍ଷରେ ଡାନିଏଲା ହାଜେଲ ଓ ନାଟ୍ ସିଭର୍ଙ୍କ ୧୦୪ ସର୍ବୋଚ୍ଚ ଭାଗିଦାରି ରେକର୍ଡ ରହିଥିଲା। ପୁଣି ପୂଜା-ସ୍ନେହାଙ୍କ ୧୨୨ ମହିଳା ବିଶ୍ବକପ୍ରେ ସପ୍ତମ ୱିକେଟ୍ରେ ପ୍ରଥମ ଶତକୀୟ ଭାଗୀଦାରି ରେକର୍ଡ ହୋଇଛି। ସେହିପରି ମହିଳା ବିଶ୍ବକପ୍ରେ ଗୋଟିଏ ମ୍ୟାଚ୍ରେ ୭ କିମ୍ବା ନିମ୍ନକ୍ରମରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବାରେ ପୂଜା ଓ ସ୍ନେହା ମଧ୍ୟ ପ୍ରଥମ ଯୋଡ଼ି ହୋଇଛନ୍ତି। ପୁଣି ମହିଳା ବିଶ୍ବକପ୍ରେ ୮ ନମ୍ବରରେ ବ୍ୟାଟିଂ କରି ଅର୍ଦ୍ଧଶତକ ଜମାଇବାରେ ପୂଜା ପ୍ରଥମ ଖେଳାଳି ହୋଇଛନ୍ତି। ଏହି କ୍ରମରେ ମଧ୍ୟ ପୂଜାଙ୍କ ୬୭ ରନ୍ ମହିଳା ଦିନିକିଆରେ ଦ୍ବିତୀୟ ସର୍ବାଧିକ ରହିଛି।
ଭାରତ ପାଳିରେ ପୂଜା-ସ୍ନେହାଙ୍କ ବିସ୍ଫୋରଣ ପୂର୍ବରୁ ଓପ୍ନର ସ୍ମୃତି ମନ୍ଧାନା (୫୨, ୭୫ ବଲ୍, ୩ ଚୌକା, ୧ ଛକା) ମଧ୍ୟ ଅର୍ଦ୍ଧଶତକ ଜମାଇ ଭଲ ଆରମ୍ଭ ଦେଇଥିଲେ। ଶେଫାଳି ବର୍ମା (୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଯାଇଥିଲା ବେଳେ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା (୪୦, ୫୭ ବଲ୍, ୨ ଚୌକା) ଦ୍ବିତୀୟ ୱିକେଟ୍ରେ ମନ୍ଧାନାଙ୍କ ସହ ୯୬ ରନ୍ ଭାଗୀଦାରି ଗଢ଼ିଥିଲେ। ମଧ୍ୟକ୍ରମରେ ଅଧିନାୟିକା ମିତାଲି ରାଜ (୯) ଓ ହର୍ମନପ୍ରୀତ୍ କୌର (୫) ନିରାଶ କରିଥିଲେ ମଧ୍ୟ ସ୍ନେହ ଓ ପୂଜା ସ୍ଥିତି ସୁଧାରି ନେଇଥିଲେ। ୱିକେଟ୍ରକ୍ଷିକା ରିଚା ଘୋଷ (୧) ବି ବିଫଳ ହୋଇଥିଲେ। ପାକିସ୍ତାନ ପକ୍ଷରୁ ନିଦା ଦାର ଓ ନଶ୍ରା ସାନ୍ଧୁ ସଫଳ ବୋଲର ଭାବେ ୨-୨ ୱିକେଟ୍ ପାଇଥିଲେ।
ଜବାବରେ ରାଜେଶ୍ବରୀ ବୋଲିଂରେ କମାଲ ଦେଖାଇଥିଲେ। ସେ ୧୦ ଓଭରରେ ୩୧ ରନ୍ ଦେଇ ୪ ୱିକେଟ୍ ଦଖଲ କରି ପାକ୍ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତାଙ୍କୁ ସହଯୋଗ ଦେଇ ଅଭିଜ୍ଞ ଝୁଲଣ ଗୋସ୍ବାମୀ (୧୦-୧-୨୬-୨) ଓ ସ୍ନେହ ରାଣା (୯-୦-୨୭-୨) ପାକିସ୍ତାନକୁ ଅଡୁଆରେ ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଘନା ସିଂହ (୭-୩-୨୧-୧) ଏବଂ ଦୀପ୍ତି ଶର୍ମା (୭-୦-୩୧-୧) ଚମତ୍କାର ବୋଲିଂ କରିବାରୁ ପାକିସ୍ତାନ ସଂଘର୍ଷ କରିଥିଲା। ଦଳ ପୂରା ୫୦ ଓଭର ଖେଳିନପାରି ୭ ଓଭର ପୂର୍ବରୁ ଆତ୍ମସମର୍ପଣ କରିଥିଲା। ସିଦ୍ରା ଅମିନ (୩୦) ସର୍ବାଧିକ ୩୦ ରନ୍ କରିଥିଲେ।
ଭାରତୀୟ ଅଧିନାୟିକା ମିତାଲି ରାଜ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଓହ୍ଲାଇବା ପରେ ବିଶ୍ବକପ୍ରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଏହା ଥିଲା ମିତାଲିଙ୍କ ପାଇଁ ଷଷ୍ଠ ବିଶ୍ବକପ୍। ଆଉ ୬ଟି ବିଶ୍ବକପ୍ ଖେଳିବାରେ ସେ ପ୍ରଥମ ମହିଳା ଏବଂ ତୃତୀୟ କ୍ରିକେଟର୍ ବନି ଯାଇଥିଲେ। ଏକ୍ଷେତ୍ରରେ ମିତାଲି ଇଂଲଣ୍ଡର ଚାର୍ଲୋଟେ ଏଡ୍ୱାର୍ଡସ ଓ କ୍ଲାରେ ଟେଲରଙ୍କ ସହ ହକ୍ଲେ (ସମସ୍ତେ ୫ ବିଶ୍ବକପ୍)ଙ୍କୁ ପଛରେ ପକାଇ ଦେଇଥିଲେ। ମିତାଲିଙ୍କ ପୂର୍ବରୁ କେବଳ ପାକିସ୍ତାନର ଜାଭେଦ୍ ମିଆଦାଦ୍ ଏବଂ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପୁରୁଷ କ୍ରିକେଟର୍ ଭାବେ ଏହି କୀର୍ତ୍ତିମାନ ବହନ କରିଥିଲେ। ମିଆଦାଦ୍ ୧୯୭୫ରୁ ୧୯୯୬ ଏବଂ ସଚିନ୍ ୧୯୯୨ରୁ ୨୦୧୧ ପର୍ଯ୍ୟନ୍ତ ବିଶ୍ବକପ୍ ଖେଳିଥିଲେ। ମିତାଲି ମଧ୍ୟ ୪ ବିଶ୍ବକପ୍ରେ ନେତୃତ୍ବ ନେବାରେ ଅଷ୍ଟ୍ରେଲିଆର ବେଲିନ୍ଦା କ୍ଲାର୍କଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ମିତାଲି ଓ ବେଲିନ୍ଦା କେବଳ ଦୁଇ ଖେଳାଳି ଭାବେ ୨ରୁ ଅଧିକ ବିଶ୍ବକପ୍ରେ ନିଜ ନିଜ ଦେଶର ନେତୃତ୍ବ ନେଇଛନ୍ତି।