କାରାରା ଓଭାଲ (କୁଇନ୍ସଲ୍ୟାଣ୍ଡ) : ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରକେଟ୍ ଦଳ ଆଜିଠାରୁ ଏକମାତ୍ର ଟେଷ୍ଟ୍ ଖେଳିଛି। ଦିବାରାତ୍ର ଖେଳାଯାଉଥିବା ଏହି ଗୋଲାପି ଟେଷ୍ଟ୍ର ପ୍ରଥମ ଦିବସ ଅବଶ୍ୟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ତେବେ ବର୍ଷା ବାଧକ ମଧ୍ୟରେ ଭ୍ରମଣକାରୀ ଭାରତୀୟ ଦଳ ପ୍ରଭାବୀ ପ୍ରଦର୍ଶନ କରି ଘରୋଇ ଦଳକୁ ଚିନ୍ତାରେ ପକାଇଦେଇଛି। ବର୍ଷା ଯୋଗୁଁ ମାତ୍ର ୪୪ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଭାରତ ଗୋଟିଏ ୱିକେଟ୍ ବିନିମୟରେ ୧୩୨ ରନ୍ କରି ଭଲ ସ୍ଥିତିରେ ରହିଛି। ଏକମାତ୍ର ୱିକେଟ୍ ଭାବେ ଓପ୍ନର ଶେଫାଳି ବର୍ମା ଆଉଟ୍ ହୋଇଥିଲା ବେଳେ ଅନ୍ୟତମ ଓପ୍ନର ସ୍ମୃତି ମନ୍ଧାନା ନିଜ ଖେଳ ଜୀବନର ଶ୍ରେଷ୍ଠ ପାଳି ଖେଳି ଅପରାଜିତ ରହିଛନ୍ତି। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ବ୍ରିଷ୍ଟଲ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ଅଲ୍ରାଉଣ୍ଡର ସ୍ନେହା ରାଣାଙ୍କୁ ବାଦ୍ ଦେଇ ଭାରତ ଚୂଡାନ୍ତ ଏକାଦଶରେ ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡଙ୍କୁ ସାମିଲ କରିଥିଲା ବେଳେ ୟାସ୍ତିକା ଭାଟିଆ ଏବଂ ମେଘନା ସିଂହଙ୍କୁ ପଦାର୍ପଣ ସୁଯୋଗ ଦେଇଛି।
ଗୁରୁବାର ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା। ଏହି ନିଷ୍ପତ୍ତିର ଦୃଢ଼ ଜବାବ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ଦେଇଥିଲେ। ମନ୍ଧାନା ଓ ଶେଫାଳି ପାଳି ଆରମ୍ଭ କରିଥିଲେ। ଉଭୟେ ମଧ୍ୟାହ୍ନ ବିରତି ପୂର୍ବରୁ ପ୍ରଥମ ୱିକେଟ୍ରେ ୨୫ ଓଭରରେ ୯୩ ରନ୍ ଯୋଡ଼ିଥିଲେ। ପେସର୍ମାନେ ଲକ୍ଷ୍ୟହୀନ ବୋଲିଂ କରି ନିରାଶ ହେବାରୁ ଅଧିନାୟିକା ମେଗ୍ ଲାନିଙ୍ଗ୍ ସ୍ପିନରଙ୍କୁ ଆକ୍ରମଣରେ ନିୟୋଜିତ କରିଥିଲେ। ଏହାର ଫଳ ୨୬ତମ ଓଭରର ପ୍ରଥମ ବଲ୍ରେ ଘରୋଇ ଦଳକୁ ମିଳିଥିଲା। ଶେଫାଳି (୩୧ ରନ୍, ୬୪ ବଲ୍, ୪ ଚୌକା)ଙ୍କୁ ଆଉଟ୍ କରି ସୋଫି ମୋଲିନୁକ୍ସ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ। ହେଲେ ଏହାପରେ ଆଉ ୧୯ ଓଭର ଖେଳ ସମ୍ଭବ ହୋଇଥିଲେ ମଧ୍ୟ ଘରୋଇ ଦଳର ବୋଲରଙ୍କୁ ନିରାଶ ହେବାକୁ ପଡ଼ିଥିଲା। ମନ୍ଧାନାଙ୍କ ସହ ଯୋଗଦେଇ ପୁନମ୍ ରାଉତ ଭାରତ ପାଳିକୁ ଆଗେଇ ନେଇଥିଲେ। ଦୁହେଁ ବର୍ଷା ଯୋଗୁଁ ଆଗୁଆ ଷ୍ଟମ୍ପ୍ସ ଅପସାରଣ ବେଳକୁ ଅସମାପ୍ତ ଦ୍ବିତୀୟ ୱିକେଟ୍ରେ ୩୯ ରନ୍ ଯୋଡ଼ିଛନ୍ତି। ଭାରତ ଏକ ସମୟରେ ୧୦୧/୧ କରିଥିଲା ବେଳେ ପ୍ରବଳ ବର୍ଷା ହୋଇଥିଲା। ଏହାପରେ ବର୍ଷା ସାମାନ୍ୟ ଥମିବାରୁ ଖେଳ ପୁଣି ଆରମ୍ଭ ହୋଇଥିଲା। ହେଲେ ୪୪.୧ ଓଭର ବୋଲିଂ ହୋଇଥିଲା ବେଳେ ପୁନର୍ବାର ବର୍ଷାର ଆଗମନ ହୋଇଥିଲା ଏବଂ ଆଉ ଛାଡ଼ିନଥିଲା। ଫଳରେ ସେହିଠାରୁ ହିଁ ପ୍ରଥମ ଦିବସ ଖେଳକୁ ବନ୍ଦ ରଖାଯାଇଥିଲା। ଭାରତ ପକ୍ଷରୁ ମନ୍ଧାନା ୮୦ (୧୪୪ ବଲ୍, ୧୫ ଚୌକା, ୧ ଛକା) ଏବଂ ପୁନମ୍ ୧୬ (୫୭ ବଲ୍, ୧ ଚୌକା) ରନ୍ କରି ଅପରାଜିତ ରହିଛନ୍ତି। ମନ୍ଧାନାଙ୍କର ଏହା ଥିଲା ଖେଳ ଜୀବନର ଶ୍ରେଷ୍ଠ ଟେଷ୍ଟ୍ ପାଳି। ଏହା ପୂର୍ବରୁ ଟେଷ୍ଟ୍ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିଲା ୭୮। ମନ୍ଧାନା ମଧ୍ୟ ଆକ୍ରମଣାତ୍ମକ ଶୈଳୀରେ ଆଜି ପାଳି ଆରମ୍ଭ କରିଥିଲେ। ଗୋଲାପୀ ବଲ୍ରେ ଅନଭିଜ୍ଞ ଏବଂ ଅଭ୍ୟାସ ଅଭାବ ସତ୍ତ୍ବେ ଭାରତ ଯେଭଳି ଢଙ୍ଗରେ ପାଳି ଆଗେଇ ନେଇଛି ତାହା ଦଳର ମନୋବଳ ବଢ଼ାଇଛି। ବିଶେଷକରି ମନ୍ଧାନା ଆରମ୍ଭରୁ ଅଷ୍ଟ୍ରେଲୀୟ ବୋଲରଙ୍କୁ ପ୍ରହାର କରିଥିଲେ। ଫଳସ୍ବରୂପ ସେ ୫୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାପରେ ବର୍ଷାର ଖେଳକୁ ଦେଖି ନିଜେ ଆଭିମୁଖ୍ୟ ବଦଳାଇଥିଲେ। ଅଷ୍ଟ୍ରେଲିଆ ପେସ୍ ଆକ୍ରମଣକୁ ଶକ୍ତିଶାଳୀ କରିବା ପାଇଁ ଆନାବେଲ ସଦରଲାଣ୍ଡ୍, ଡାର୍ସି ବ୍ରାଉନ୍ ଏବଂ ଷ୍ଟେଲା କାମ୍ପବେଲ୍ଙ୍କୁ ଖେଳାଇଥିଲା ବେଳେ ଲେଗ୍ ସ୍ପିନର ଜର୍ଜିଆ ୱାରେହାମ୍ଙ୍କୁ ସାମିଲ କରିଥିଲେ ମଧ୍ୟ ପ୍ରଥମ ଦିବସରେ କେହି ବି ଭାରତୀୟ ବ୍ୟାଟର୍ଙ୍କ ଉପରେ ପ୍ରଭାବ ପକାଇପାରିନଥିଲେ।