ମହିଳା ପ୍ରିମିୟର୍ ଲିଗ୍: ମୁମ୍ବାଇ-ଦିଲ୍ଲୀ ଫାଇନାଲ୍
ୱଙ୍ଗ୍ଙ୍କ ନାମରେ ପ୍ରଥମ ହ୍ୟାଟ୍ରିକ୍ ୱିକେଟ୍
ମୁମ୍ବାଇ : ଯୁବ ଦ୍ରୁତ ବୋଲର ଇସି ୱଙ୍ଗ୍ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ର ପ୍ରଥମ ହ୍ୟାଟ୍ରିକ୍ ହାସଲ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଏହି ୨୦ ବର୍ଷୀୟ ଇଂଲିସ୍ ବୋଲର ମଧ୍ୟ ତାଙ୍କ ଦଳକୁ ଫାଇନାଲ୍ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର୍ରେ ମୁମ୍ବାଇ ଇଣ୍ଡିଆନ୍ସ ୭୨ ରନ୍ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା। ନାଟ୍ ଶ୍ଚିଭର ବ୍ରଣ୍ଟଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୩୮ ବଲ୍ରୁ ୭୨* ରନ୍, ୯ ଚୌକା, ୨ ଛକା) ବଳରେ ମୁମ୍ବାଇ ୧୮୨ ରନ୍ କରିଥିଲା। ଜବାବରେ ୟୁପି ୱାରିୟର୍ସ ୧୧୦ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା।
ମ୍ୟାଚ୍ର ୧୩ତମ ଓଭରରେ ସିମ୍ରନ୍ ସେଖ୍, ସୋଫି ଏସେଲଷ୍ଟୋନ୍, ଦୀପ୍ତି ଶର୍ମାଙ୍କୁ ଆଉଟ୍ କରି ୱଙ୍ଗ୍ ହ୍ୟାଟ୍ରିକ୍ ପୂର୍ଣ୍ଣ କରିଥିଲେ। ଏଥି ସହିତ ୪-୦-୧୫-୪ ଚମତ୍କାର ବୋଲିଂ ଚିତ୍ର ମଧ୍ୟ ୱଙ୍ଗ ଅର୍ଜନ କରିଥିଲେ। ପଶ୍ଚାତଧାବନ ବେଳେ ୟୁପି ୱାରିୟର୍ସକୁ ଝଟକା ଦେଇଥିଲେ ବେଙ୍ଗଲ ସ୍ପିନର୍ ସାଇକା ଇସାକ୍। ଦ୍ବିତୀୟ ଓଭରରେ ଶ୍ବେତା ସେରାୱତଙ୍କୁ ସେ ପ୍ୟାଭିଲିଅନ୍ ପଠାଇବା ପରେ ଅଧିନାୟିକା ଆଲିସା ହିଲି (୧୧)ଙ୍କ ଜନ୍ମଦିନକୁ ଫିକା ପକାଇ ଦେଇଥିଲେ ୱଙ୍ଗ୍। ମଧ୍ୟକ୍ରମରେ ଝାନସୀ ରାଣୀ ଭାବେ ଉଭା ହୋଇ କିରଣ ନଭଗିରେ ସାମୟିକ ଲଢ଼େଇ କରିଥିଲେ ମଧ୍ୟ ବିଜୟ ସମ୍ଭାବନା ସୃଷ୍ଟି କରିପାରିନଥିଲେ। କିରଣ ୨୭ ବଲ୍ରୁ ୪ ଚୌକା, ୩ ଛକା ବଳରେ ୪୩ ରନ୍ କରିଥିଲେ। ତେବେ ଲିଗ୍ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ପ୍ଲେ ଅଫ୍ ଆସିଥିବା ୟୁପି ୱାରିୟର୍ସ ନିଜ ସ୍ଥିତି ଅନୁସାରେ ଏଲିମିନେଟ୍ ହୋଇ ବିଦାୟ ନେଇଛି। ପୂର୍ବ ଆକଳନ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଫାଇନାଲ୍ ଖେଳିବେ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୨/୪ (ନାଟ୍ ଶ୍ଚିଭର ବ୍ରଣ୍ଟ୍-୭୨*, ଆମେଲିଆ କେର୍-୨୯, ହେଲେ ମାଥ୍ୟୁସ୍-୨୬, ୟାସ୍ତିକା ଭାଟିଆ-୨୧, ହର୍ମନପ୍ରୀତ୍ କୌର୍-୧୪, ସୋଫି ଏସେଲଷ୍ଟୋନ୍-୨/୩୯, ଅଞ୍ଜଳି ସାର୍ବଣୀ-୧/୧୭, ପାର୍ଶ୍ବବୀ ଚୋପ୍ରା-୧/୨୬)। ୟୁପି ୱାରିୟର୍ସ ୧୭.୪ ଓଭରରେ ୧୧୦/୧୦ (କିରଣ ନଭଗିରେ-୪୩, ଦୀପ୍ତି ଶର୍ମା-୧୬, ଇସି ୱଙ୍ଗ୍-୪/୧୫, ସାଇକା ଇସାକ୍-୨/୨୪, ଜିନ୍ତିମଣି କାଲିଟା-୧/୨, ନାଟ୍ ଶ୍ଚିଭର ବ୍ରଣ୍ଟ-୧/୨୧, ହାଲେ ମାଥ୍ୟୁସ-୧/୨୧)।