ମୁମ୍ବାଇ : ପ୍ରଥମ ଥର ଲାଗି ଆୟୋଜିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଏହି ଦଳ ୭ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡବ୍ଲ୍ୟୁପିଏଲ୍ ପ୍ରଥମ ସଂସ୍କରଣ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ୧୩୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ପ୍ରଥମ ୱିକେଟ୍ ଭାବେ ୧୩ ରନ୍ରେ ଓପନର୍ ୟାସ୍ତିକ ଭାଟିଆ (୪)ଙ୍କୁ ହରାଇଥିଲା। ଏହାପରେ ଦଳୀୟ ସ୍କୋର୍ ୨୩ ରନ୍ରେ ହାଲି ମାଥ୍ୟୁସ (୧୩)ଙ୍କୁ ହରାଇ ସଂକଟରେ ପଡ଼ିଥିଲା। ହେଲେ ତୃତୀୟ ୱିକେଟ୍ରେ ଅଧିନାୟିକା ହର୍ମନପ୍ରୀତ କୌର (୩୭ ରନ୍, ୩୯ ବଲ୍, ୫ ଚୌକା) ଓ ନାଟ୍ ଶ୍ଚିଭର ବ୍ରଣ୍ଟ ୭୨ ରନ୍ ଯୋଡ଼ି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ୧୬.୧ ଓଭରରେ ଦଳୀୟ ସ୍କୋର୍ ୯୫ ଥିଲା ବେଳେ ହର୍ମନପ୍ରୀତ ରନ୍ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ହେଲେ ବ୍ରଣ୍ଟ (୬୦* ରନ୍, ୫୫ ବଲ୍, ୭ ଚୌକା) ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଅମେଲିଆ କେର୍ (୧୪*, ୮ ବଲ୍, ୨ ଚୌକା)ଙ୍କୁ ସାଥୀ କରି ଦଳକୁ ୩ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦୁଇ ଓଭର ମଧ୍ୟରେ ୧୨ ରନ୍ରେ ଶେଫାଳି ବର୍ମା (୧୧) ଓ ଆଲିସେ କ୍ୟାପ୍ସି (୦)ଙ୍କୁ ହରାଇଥିଲା। ଅଧିନାୟିକା ମେଗ୍ ଲାନିଙ୍ଗ ତୃତୀୟ ୱିକେଟ୍ରେ ୨୫ ରନ୍ ଯୋଡ଼ି ଆଗକୁ ବଢ଼ୁଥିଲା ବେଳେ ଜେମିମା ରଡ୍ରିଗୁଏଜ (୯) ଆଉଟ୍ ହୋଇଥିଲେ। ଲାନିଙ୍ଗ ଓ ମାରିଜାନ୍ କାପ୍ (୧୮) ଚତୁର୍ଥ ୱିକେଟ୍ରେ ୩୮ ରନ୍ ଯୋଡ଼ିଥିଲେ। କାପ୍ ଓ ଲାନିଙ୍ଗ (୩୫, ରନ୍ ଆଉଟ୍) ଗୋଟିଏ ରନ୍ ବ୍ୟବଧାନରେ ଆଉଟ୍ ହୋଇଯାଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଏପରିକି ୧୬ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୭୯ କରିଥିଲା। ହାଲି ମାଥ୍ୟୁସ, ଇସ୍ ୱଙ୍ଗ ୩ ଲେଖାଏଁ ଏବଂ କେର ୨ ୱିକେଟ୍ ନେଇ ଦିଲ୍ଲୀକୁ ବଡ଼ ସ୍କୋର୍ରୁ ଅଟକାଇଥିଲେ। ତେବେ ଶେଷ ୪ ଓଭରରେ ଶିଖା ପାଣ୍ଡେ (୨୭*, ୧୭ ବଲ୍, ୩ ଚୌକା, ୧ ଛକା) ଏବଂ ରାଧା ଯାଦବ (୨୭*, ୧୨ ବଲ୍, ୨ ଚୌକା, ୨ ଛକା) ବିସ୍ଫୋରକ ପାଳି ଖେଳି ଦଶମ ୱିକେଟ୍ରେ ଅବିଭାଜିତ ୫୪ ରନ୍ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍ ୧୩୧ରେ ପହଞ୍ଚାଇ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୩୧/୯ (ମେଗ୍ ଲାନିଙ୍ଗ-୩୫, ଶିଖା ପାଣ୍ଡେ-୨୭*, ରାଧା ଯାଦବ-୨୭*, ହାଲି ମାଥ୍ୟୁସ-୩/୫, ଇସ୍ ୱଙ୍ଗ- ୩/୪୨, ଆମେଲିଆ କେର-୨/୧୮)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୩ ଓଭରରେ ୧୩୪/୩ (ନାଟ ଶ୍ଚିଭର ବ୍ରଣ୍ଟ-୬୦*, ହର୍ମନପ୍ରୀତ କୌର-୩୭, ଆମେଲିଆ କେର-୧୪*, ରାଧା ଯାଦବ-୧/୨୪, ଜେସ୍ ଜୋନାସେନ୍-୧/୨୮)।
ଡବ୍ଲ୍ୟୁପିଏଲ୍ ପୁରସ୍କାର ତାଲିକା
ବିଜେତା: ମୁମ୍ବାଇ ଇଣ୍ଡିଆନ୍ସ (୬ କୋଟି ଟଙ୍କା)
ଉପ ବିଜେତା: ଦିଲ୍ଲୀ କ୍ୟାପିଟାଲ୍ସ (୩ କୋଟି ଟଙ୍କା)
ତୃତୀୟ: ୟୁପି ୱାରିୟର୍ସ (୧ କୋଟି ଟଙ୍କା)
ଅରେଞ୍ଜ୍ କ୍ୟାପ୍: ମେଗ୍ ଲାନିଙ୍ଗ (୩୪୫ ରନ୍)
ପର୍ପଲ୍ କ୍ୟାପ୍: ହେଲି ମାଥ୍ୟୁସ (୧୬ ୱିକେଟ୍)
ସବୁଠୁ ମୂଲ୍ୟବାନ ଖେଳାଳି: ହେଲି ମାଥ୍ୟୁସ
ଶ୍ରେଷ୍ଠ ଉଦୀୟମାନ ଖେଳାଳି: ୟାସ୍ତିକା ଭାଟିଆ
କ୍ୟାଚ୍ ଅଫ୍ ଦ ସିଜନ୍: ହର୍ମନପ୍ରୀତ୍ କୌର୍ଡବ୍ଲ୍ୟୁପିଏଲ୍ ପ୍ରଥମ ସଂସ୍କରଣ ପରିସଂଖ୍ୟାନ
ସର୍ବାଧିକ ରନ୍: ମେଗ୍ ଲାନିଙ୍ଗ (୩୪୫ ରନ୍)
ସର୍ବୋଚ୍ଚ ହାରାହାରି: ନାଟ୍ ଶ୍ଚିଭର ବ୍ରଣ୍ଟ୍ (୬୬.୪)
ସର୍ବୋଚ୍ଚ ଷ୍ଟ୍ରାଇକ୍ ରେଟ୍: ଶେଫାଳି ବର୍ମା (୧୮୫.୨୯)
ସର୍ବୋଚ୍ଚ ସ୍କୋର୍: ସୋଫି ଡିଭାଇନ୍ (୯୯, ୩୬ ବଲ୍)
ସର୍ବାଧିକ ଛକା: ଶେଫାଳି ବର୍ମା (୧୩), ସୋଫି ଡିଭାଇନ୍ (୧୩)
ସର୍ବାଧିକ ୱିକେଟ୍: ହେଲି ମାଥ୍ୟୁସ (୧୬), ସୋଫି ଏସେଲଷ୍ଟୋନ୍ (୧୬)
ଶ୍ରେଷ୍ଠ ବୋଲିଂ ଚିତ୍ର: ମାରିଜାନ୍ କାପ୍ (୫/୧୫)