ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ଲାଗି ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ର ପରବର୍ତୀ ସଂସ୍କରଣ ଆସନ୍ତାବର୍ଷ ଫେବ୍ରୁଆରିରେ ଆୟୋଜିତ ହେବ। ଏଥିପାଇଁ ବିସିସିଆଇ ଲମ୍ବା ସମୟ ବାହାର କରିଛି। ତେବେ ଚଳିତ ବର୍ଷ ଡବ୍ଲୁପିଏଲ୍‌ କେବଳ ମୁମ୍ବାଇର ଦୁଇଟି ଭେନ୍ୟୁରେ ସୀମିତ ରହିଥିଲା ବେଳେ ଆସନ୍ତା ସଂସ୍କରଣ ପୁରୁଷ ଆଇପିଏଲ୍‌ ଭଳି ଘରେ ଓ ବାହାର ଫର୍ମାଟ୍‌ରେ ଖେଳାଯିବ। ଏନେଇ ଶୁକ୍ରବାର ବିସିସିଆଇ ସୂତ୍ରରୁ ସୂଚନା ମିଳିଛି। ଅବଶ୍ୟ ଚଳିତ ମାସ ଆରମ୍ଭରୁ ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୁମାଲ କହିଥିଲେ, ଡବ୍ଲୁପିଏଲ୍‌ ପରବର୍ତୀ ୩ ସଂସ୍କରଣ ପାଇଁ ୫ ଦଳୀୟ ରହିବ ଏବଂ ଘରେ ଓ ବାହାର ଫର୍ମାଟ୍‌ରେ ଖେଳାଯିବ। ଫଳରେ ଧୂମାଲଙ୍କ ପ୍ରସ୍ତାବ ଉପରେ ବିସିସିଆଇ ମୋହର ଲଗାଇଛି। ଏପରିକି ଇନ୍ଦୋରକୁ ମଧ୍ୟ ଏକ ଭେନ୍ୟୁ କରିବା ପାଇଁ ବିସିସିଆଇ ଚିନ୍ତା କରିଛି।

Advertisment

ଭାରତ-ପାକ୍‌ ବିଶ୍ବକପ୍‌ ଭେନ୍ୟୁ ଓ ଏସିଆ କପ୍‌ ଆଲୋଚନା
ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଅଂଶଗ୍ରହଣ ନେଇ ଆଶଙ୍କା ପ୍ରକାଶ ପାଇଛି। ସେହିପରି ପାକିସ୍ତାନ ଆୟୋଜନ କରୁଥିବା ଏସିଆ କପ୍‌ରେ ମଧ୍ୟ ଭାରତ ଅଂଶଗ୍ରହଣ କରିବନି ବୋଲି ଧମକ ଦେଇଛି। ଏପରିସ୍ଥଳେ ପାକିସ୍ତାନ ସହ ଭାରତର ମ୍ୟାଚ୍‌ ପାଇଁ ବିକଳ୍ପ ଭେନ୍ୟୁ ନିର୍ଦ୍ଧାରଣ କରିବାକୁ ବିସିସିଆଇ ଯୋଜନା କରୁଥିଲା ବେଳେ ଏସିଆ କପ୍‌ରେ ମଧ୍ୟ ଭାରତ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ପ୍ରସ୍ତାବ ଦେଇଛି। ଏହି ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି ଏବଂ ଏହାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଏପରିକି ଏସିଆ କପ୍‌ରେ ଅଂଶଗ୍ରହଣ ନେଇ ଭାରତ ସରକାରଙ୍କଠୁ ଅନୁମତିକୁ ଅପେକ୍ଷା କରିଛି ବିସିସିଆଇ। ସେହିପରି ବିଶ୍ବକପ୍‌ ବେଳେ ନିରାପଦ ଭେନ୍ୟୁ ଭାବେ ଚେନ୍ନାଇ କିମ୍ବା କୋଲ୍‌କାତାକୁ ପାକିସ୍ତାନ ଅଧିକ ପସନ୍ଦ କରିବାର ସମ୍ଭାବନା ରହିଥିବା କୁହାଯାଇଛି।

ଆଫ୍‌ଗାନିସ୍ତାନ ଶୃଙ୍ଖଳା ପୂର୍ବରୁ ଚୟନ କମିଟି ଅଧ୍ୟକ୍ଷ ଚୂଡାନ୍ତ ହେବ
ଚଳିତ ବର୍ଷ ଜୁନ୍‌ରେ ଲଣ୍ଡନର ଦ ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସ ପରେ ବିସିସିଆଇ ତା’ର ଚୟନ କମିଟି ଅଧ୍ୟକ୍ଷ ନେଇ ଘୋଷଣା କରିବ। ବିଶେଷକରି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପରେ ପରେ ଭାରତର ଆଫ୍‌ଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପୂର୍ବରୁ ହିଁ ଚୟନ କମିଟି ଅଧ୍ୟକ୍ଷ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଚଳିତ ବର୍ଷ ଫେବ୍ରୁଆରିରେ ଚେତନ ଶର୍ମା ବିବାଦୀୟ ପ୍ରସଙ୍ଗକୁ ନେଇ ଇସ୍ତଫା ଦେବା ପରଠାରୁ ଏହି ପଦ ଖାଲି ରହିଛି। ଅବଶ୍ୟ ବରିଷ୍ଠତା ଭିତ୍ତିରେ ଓଡ଼ିଶାର ଅନ୍ତର୍ଜାତୀୟ ତାରକା ଶିବସୁନ୍ଦର ଦାସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି। ହେଲେ ସ୍ଥାୟୀ ଭାବେ ଏହି ପଦ ପାଇଁ ଚୂଡାନ୍ତ ଘୋଷଣା ଜୁନ୍‌ ମାସ ଶେଷ ଆଡ଼କୁ ହୋଇପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।