ପ୍ୟାରିସ୍: ଫର୍ମୁଲା ୱାନ୍ କାର୍ ରେସିଂ ବିଶ୍ବର ଅନ୍ୟତମ ବିପଜ୍ଜନକ ଓ ଦୁଃସାହସିକ ଖେଳ ଭାବେ ପରିଚିତ। ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ସର୍କିଟ୍ରେ ଘଣ୍ଟା ପ୍ରତି ୩୫୦ରୁ ଅଧିକ କିଲୋମିଟର ବେଗରେ ଯେତେବେଳେ କୌଣସି ଚାଳକ ଫର୍ମୁଲା ୱାନ୍ କାର୍ ଚଳାଇ ପ୍ରତିଦ୍ବନ୍ଦ୍ବୀକୁ ପଛରେ ପକାଇବାକୁ ଚେଷ୍ଟା କରନ୍ତି, ସେତେବେଳେ ପ୍ରଶଂସକ ଓ ଦର୍ଶକଙ୍କ ହୃଦ୍ସ୍ପନ୍ଦନ ଏକପ୍ରକାର ବନ୍ଦ ହୋଇଯାଇଥାଏ। ଏଭଳି ଏକ ସାହସିକ ଓ ଆହ୍ବାନପୂର୍ଣ୍ଣ ଖେଳରେ ମହିଳାମାନେ ମଧ୍ୟ ପଛୁଆ ନାହାନ୍ତି। ଅବଶ୍ୟ ସେମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଯଥେଷ୍ଟ କମ୍। ଯେଉଁ କେତେଜଣ ମହିଳା ରେସର୍ ଫର୍ମୁଲା ୱାନ୍ ସର୍କିଟ୍ରେ ପାଦ ଦେବାର ଆତ୍ମବିଶ୍ବାସ ଦେଖାଇଛନ୍ତି, ସେମାନେ କିନ୍ତୁ ଏଥିରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ଏହି କ୍ରମରେ ନେଦରଲାଣ୍ଡର ମାୟା ୱେଗ୍ ଖୁବଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ୧୬ ବର୍ଷୀୟା ମାୟା ପ୍ରଥମ ମହିଳା ରେସର୍ ଭାବେ ପ୍ରତିଷ୍ଠିତ ଫର୍ମୁଲା ୱାନ୍ ଦଳ ଫେରାରିର ନଜସ୍ବ ଏକାଡେମି ପାଇଁ ମନୋନୀତ ହୋଇଛନ୍ତି। ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଫେରାରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରି ଅଳ୍ପ କିଛି ଦିନ ଭିତରେ ଫର୍ମୁଲା ଫୋର୍ କାର ଚାଳନା ପ୍ରତିଯୋଗିତାରେ ଫେରାରିର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ସେ । ମାୟା ଅଧିକରୁ ଅଧିକ ମହିଳା ଚାଳକଙ୍କୁ ଫର୍ମୁଲା ୱାନ୍ ରେସିଂ ଜଗତରେ ପାଦ ଦେବାକୁ ଅନୁପ୍ରେରିତ କରିବ ବୋଲି ଫେରାରି ଦଳର ମୁଖ୍ୟ ମାତିଆ ବିନୋତୋ ଦୃଢ଼ ଆଶା ପୋଷଣ କରିଛନ୍ତି। ଫେରାରି ଏକାଡେମିରୁ ମାଇକେଲ୍ ସୁମାକର, ମିକ୍ ସୁମାକର, କାର୍ଲସ ଲେକଲେର୍କଙ୍କ ଭଳି ରେସର୍ ସୃଷ୍ଟି ହୋଇଥଇବାରୁ ମାୟା ମଧ୍ୟ ଆଗାମୀ ସମୟରେ ଫର୍ମୁଲା ୱାନ୍ ସର୍କିଟରେ ଧମାକା କରିବେ ବୋଲି ସେ ଦୃଢ଼ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଫର୍ମୁଲା ୱାନ୍ ସର୍କିଟରେ ଶେଷ ଥର ପାଇଁ ୧୯୭୬ ମସିହାରେ କୌଣସି ମହିଳା ରେସର୍ଙ୍କୁ ଦେଖିବାକୁ ମିଳିଥିଲା। ଇଟାଲିର ଲିଲା େଲାମ୍ବାର୍ଡି ଶେଷ ମହିଳା ରେସର୍ ଭାବେ ଏହି ବର୍ଷ କୌଣସି ଫର୍ମୁଲା ୱାନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଜି ପର୍ଯ୍ୟନ୍ତ ୫ ଜଣ ମହିଳା ରେସର୍ ଅନ୍ୟୂନ ଗୋଟିଏ ଫର୍ମୁଲା ୱାନ୍ ରେସ୍ରେ ପ୍ରବେଶ କରିଛନ୍ତି। ସେଥିମଧ୍ୟରୁ କେବଳ ୨ ଜଣ ମୁଖ୍ୟ ଡ୍ର’ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଲିଲା ଲୋମ୍ବାର୍ଡି ସର୍ବାଧିକ ୧୭ ଫର୍ମୁଲା ୱାନ୍ ରେସ୍ରେ ଏଣ୍ଟ୍ରି ପାଇଥିଲା ବେଳେ ୧୨ଟି ରେସ୍ରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପ୍ରଥମ ଓ ଶେଷ ମହିଳା ରେସର୍ ଭାବେ ୧୯୮୦ ଏପ୍ରିଲ ୭ ତାରିଖରେ ଦକ୍ଷିଣ ଆଫ୍ରିକାର ଡିଜାୟାର୍ସ ୱିଲସନ୍ ବ୍ରିଟିସ୍ ଅରୋରା ଫର୍ମୁଲା ୱାନ୍ ଚାମ୍ପିଅନସିପ୍ ଜିତିଥିଲେ। ସୁଜି ଉଲ୍ଫଙ୍କ ଭଳି କେତେକ ମହିଳା ରେସର୍ ଟେଷ୍ଟ୍ ଡ୍ରାଇଭର୍ ହୋଇପାରିଛନ୍ତି, ହେଲେ ଫର୍ମୁଲା ୱାନ୍ ସର୍କିଟ୍ରେ ଆନୁଷ୍ଠାନିକ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି।