ମୁମ୍ବାଇ, ୨୩/୧୨: ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଟେଷ୍ଟ୍ର ପ୍ରଥମ ଦୁଇ ଦିନ ଘରୋଇ ଭାରତୀୟ ଦଳ ନିୟନ୍ତ୍ରଣରେ ରଖିଥିଲା। ଅଷ୍ଟ୍ରେଲିଆର ପ୍ରଥମ ପାଳିକୁ ୨୧୯ରେ ଅଟକାଇବା ପରେ ଭାରତ ୪୦୬ ରନ୍ କରିଥିଲା। ୧୮୭ ରନ୍ରେ ପଛୁଆ ଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ଭଲ ଆରମ୍ଭ କରିଥିଲା, ହେଲେ ଶେଷ ଅଧିବେଶନରେ ଅଧିନାୟକ ହର୍ମନପୀତ କୌର ୨ ୱିକେଟ୍ ନେଇ ଭାରତ ପାଇଁ ସୁଯୋଗ ଆଣିଛନ୍ତି। ଦୁଇ ଜଣ ଜମିଯାଇଥିବା ବ୍ୟାଟର୍ ତାହିଲା ମ୍ୟକ୍ଗ୍ରା (୭୩) ଓ ଅଲିସା ହିଲି (୩୨)ଙ୍କୁ ଆଉଟ୍ କରି ଦେଇଛନ୍ତି। ଫଳରେ ବଡ଼ ସ୍କୋର୍ ଅଭିମୁଖେ ଯାଉଥିବା ଅଷ୍ଟ୍ରେଲିଆ ଶନିବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ୱିକେଟ୍ ହରାଇ ୨୩୩ କରିବା ସହ ୪୬ ରନ୍ର ଅଗ୍ରଣୀ ପାଇଛି। ଅନ୍ନାବେଲ ସଦରଲାଣ୍ଡ ୧୨ ଓ ଆସ୍ଲେ ଗାର୍ଡନର ୭ ରନ୍ରେ ବ୍ୟାଟିଂ କରୁଛନ୍ତି। ପୂର୍ବରୁ ବେଥ ମୁନି (୩୩) ରନ୍ଆଉଟ୍ ହୋଇଥିଲା ବେଳେ ଅଲିସା ହିଲି (୩୨) ଓ ଫୋଏବେ ଲିଚ୍ଫିଲ୍ଡ (୧୮)ଙ୍କୁ ସ୍ନେହ ରଣା ଆଉଟ୍ କରିଥିଲେ।
ଭାରତ ୩୭୬/୭ରୁ ଖେଳ ଆରମ୍ଭ କରି ଏଥିରେ ଆଉ ମାତ୍ର ୩୦ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଥିଲା। ଶୁକ୍ରବାରର ଅପରାଜିତ ବ୍ୟାଟର୍ ପୂଜା ବସ୍ତ୍ରକାର ଆଉ ୧୫ ରନ୍ ଯୋଡ଼ି ଅର୍ଦ୍ଧଶତକ ଅର୍ଜନ କରିବା ପୂର୍ବରୁ (୪୭) ବିଦାୟ ନେଇଥିଲେ। ତାଙ୍କ ପରେ ପରେ ଦୀପ୍ତି ଶର୍ମା (୭୮) ନିଜ ସ୍କୋର୍ରେ ଆଉ ମାତ୍ର ୮ ରନ୍ ଯୋଡ଼ି କିମ୍ ଗାର୍ଥଙ୍କ ଦ୍ବାରା ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିବାରୁ ବଡ଼ ସ୍କୋର୍ରୁ ଭାରତ ବଞ୍ଚିତ ହୋଇଛି। ଆସ୍ଲେ ଗାର୍ଡନର ୪, କିମ୍ ଗାର୍ଥ ଓ ଅନ୍ନାବେଲ ସଦରଲାଣ୍ଡ ୨ ଲେଖାଏଁ ୱିକେଟ୍ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି-୨୧୯ (ତାହଲିଆ ମ୍ୟାକ୍ଗ୍ରା-୫୦, ବେଥ ମୁନି-୪୦, ଆଲିସା ହିଲି-୩୮, କିମ ଗାର୍ଥ-୨୮*, ପୂଜା ବସ୍ତ୍ରକାର-୪/୫୩, ସ୍ନେହ ରଣା-୩/୫୬, ଦୀପ୍ତି ଶର୍ମା-୨/୪୫)। ଭାରତ ପ୍ରଥମ ପାଳି: ୧୨୬.୩ ଓଭରରେ ୪୦୬ (ଦୀପ୍ତି ଶର୍ମା-୭୮,ସ୍ମୃତି ମନ୍ଧାନା-୭୪, ଜେମିମା ରଡ୍ରିଗ୍ବେଜ-୭୩, ରିଚା ଘୋଷ-୫୨, ପୂଜା ବସ୍ତ୍ରକାର-୪୭, ଶେଫାଳି ବର୍ମା-୪୦, ଆସଲେ ଗାର୍ଡନର-୪/୧୦୦, ଅନ୍ନାବେଲ ସଦରଲାଣ୍ଡ-୨/୪୧, କିମ୍ ଗାର୍ଥ-୨/୫୮)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୯୦ ଓଭରରେ ୨୩୫/୫ (ତାହଲିଆ ମ୍ୟାକ୍ଗ୍ରା-୭୩, ଏଲିସ ପେରି-୪୫, ବେଥ ମୁନି-୩୩, ଆଲିସା ହିଲି-୩୨, ସ୍ନେହ ରଣା-୨/୫୪, ହର୍ମନପ୍ରୀତ କୌର-୨/୨୩)।