ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ରେ ଖେଳିବେ ନାଇଟ୍‌ ଓ କିଙ୍ଗ୍‌

ନୂଆଦିଲ୍ଲୀ : ପୁଣେରେ ଆସନ୍ତା ୨୩ ତାରିଖରୁ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌ରେ ୧୨ ଜଣ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସମସ୍ତେ ନିଜ ନିଜର ଅଂଶଗ୍ରହଣ ନେଇ ସହମତି ଜଣାଇ ସାରିଛନ୍ତି ବୋଲି ପ୍ରତିଯୋଗିତା ଆୟୋଜକ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ପ୍ରମୁଖ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡ ଅଧିନାୟିକା ହିଦର ନାଇଟ୍‌, ଅଷ୍ଟ୍ରେଲୀୟ ଲେଗ୍‌ ସ୍ପିନର ଆଲାନା କିଙ୍ଗ୍‌ ଏବଂ ବିଶ୍ବ ମାନ୍ୟତାର ଏକ ନମ୍ବର ବୋଲର ସୋଫି ଏକ୍‌ଲେଷ୍ଟୋନ ସାମିଲ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଂଲିସ୍‌ କ୍ରିକେଟର୍‌ ସୋଫିଆ ଡଙ୍କ୍‌ଲେ ଓ ଡାନିଏଲ୍‌ ୱାଟ୍‌, ଦକ୍ଷିଣ ଆଫ୍ରିକାର ତାରକା ଓପ୍‌ନର ଲୌରା ଉଲ୍‌ଭାର୍ଟ ଓ ମାରିଜାନେ କାପ୍‌, ୱେଷ୍ଟଇଣ୍ଡିଜ୍‌ର ଦେନ୍ଦ୍ରା ଡଟିନ୍‌ ଓ ହାଲେ ମାଥ୍ୟୁସ ମଧ୍ୟ ଏହି ପ୍ରତିଯୋଗିତା ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଖେଳାଳି ଚୟନ ଖୁବ୍‌ ଶୀଘ୍ର ହେବ ଏବଂ ନିକଟରେ ଶେଷ ହୋଇଥିବା ଘରୋଇ ଟ୍ବେଣ୍ଟି-୨୦ରେ ପ୍ରଦର୍ଶନକୁ ବିଚାରକୁ ନିଆଯିବ ବୋଲି ବିସିସିଆଇ କହିଛି। ଗତବର୍ଷ କୋଭିଡ୍‌ ପାଇଁ ଏହି ପ୍ରତିଯୋଗିତା ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର