ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଜିତିଲା ଇଣ୍ଡିଆ-ଡି

ଭୁବନେଶ୍ବର: ଇଣ୍ଡିଆ-ଡି ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଟ୍ରଫିର ବିଜେତା ହୋଇଛି। ସହିଦ ବୀରନାରାୟଣ ସିଂହ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ସ୍ନେହା ରାଣାଙ୍କ ନେତୃତ୍ବାଧୀନ ଏହି ଦଳ ୭ ୱିକେଟ୍‌ରେ ପୂନମ ଯାଦବଙ୍କ ଇଣ୍ଡିଆ-ଏ ଦଳକୁ ପରାସ୍ତ କରିଛି। ‘ଡି’ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ‘ଏ’କୁ ୧୪୪/୫ରେ ସୀମିତ ରଖିଥିଲା। ଓପ୍‌ନର ନୂଝାତ ପରବିନ୍‌ (୫୦) ଓ ହର୍ଲିନ୍‌ ଦେଓଲ୍‌ (୬୧) ଅର୍ଦ୍ଧଶତକ ହାସଲ କରିଥିଲେ। ‘ଡି’ ପକ୍ଷରୁ ରେଣୁକା ସିଂହ ୩, ରାଜେଶ୍ବରୀ ୨ ୱିକେଟ୍‌ ଅକ୍ତିଆର କିରଥିଲେ।

ଜବାବ‌ରେ ‘ଡି’ ଗୋଟିଏ ଓଭର ଓ ୭ ୱିକେଟ୍‌ ବାକି ଥାଇ ମ୍ୟାଚ୍‌ ଜିତିଥିଲା। ୟାସ୍ତିକା ଭାଟିଆ ଅପରାଜିତ ୮୦ ରନ୍‌ କରି ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜସିଆ ଅଖତର ୪୭, ସୁଷମା ବର୍ମା ୧୩* ରନ୍‌ କରିଥିଲେ। ବିଜେତା ଦଳ ୧୯ତମ ଓଭରରେ ୩ ୱିକେଟ୍‌ ବିନିମୟରେ ୧୪୮ ରନ୍‌ କରିନେଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଥାନ ପାଇଥିଲେ। ସେ ଫାଇନାଲ୍‌ରେ ଖେଳିନଥିଲେ ବି ଟ୍ରଫି ଧରିବା ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର