ବର୍ମିଂହାମ୍ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଜିତିବା ସ୍ଥିତିରୁ ହାତଛଡ଼ା କରିଦେଇଥିବା ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ଦ୍ବିତୀୟ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮ ୱିକେଟ୍ରେ ପରାସ୍ତ କରିଦେଇଛି। ପ୍ରଥମେ ବୋଲର ଏବଂ କ୍ଷେତ୍ରରକ୍ଷଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପାକିସ୍ତାନ ପାଳିକୁ ୯୯ ରନ୍ରେ ସଫା କରିଦେଇଥିବା ଭାରତ ଶେଫାଳି ବର୍ମା (୧୬ ରନ୍, ୯ ବଲ୍, ୨ ଚୌକା, ୧ ଛକା) ଏବଂ ସାବିନେନି ମେଘନା (୧୪ ରନ୍, ୧୬ ବଲ୍, ୨ ଚୌକା)ଙ୍କ ୱିକେଟ୍ ହରାଇ ୩୮ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ୧୦୦ ରନ୍ ଅତିକ୍ରମ କରିଯାଇଥିଲା। ଓପ୍ନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ହିଁ ଭାରତକୁ ବଡ଼ ବିଜୟ ଦେଇଥିଲା।
ଟସ୍ ଜିତି ପାକିସ୍ତାନ ଅଧିନାୟିକା ବିସ୍ମା ମାରୁଫ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ତିଷ୍ଠି ପାରିନଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍ ୧୮ ଓଭରକୁ ଧାର୍ଯ୍ୟ କରାଯାଇଥିଲା। ଏଥିରେ ରନ୍ ପାଇଁ ସଂଘର୍ଷ କରିଥବା ପାକିସ୍ତାନ ୯୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଓପ୍ନର ମୁନିବା ଅଲ୍ଲୀ ସର୍ବାଧିକ ୩୨ ରନ୍ କରିଥିଲା ବେଳେ ସ୍ନେହ ରାଣା ଓ ରାଧା ୟାଦବ ୨ ଲେଖାଏଁ ୱିକେଟ୍ ନେଇଥିଲେ। ବିଶେଷକରି ୩ ଜଣ ବ୍ୟାଟର ରନ୍ ଆଉଟ୍ ହେବା ପାକିସ୍ତାନ ରନ୍ ଗତିକୁ ରୋକିଥିଲା।
ଜବାବରେ ଶେଫାଳି ବର୍ମା ଓ ମନ୍ଧାନା ପାଳି ଆରମ୍ଭ କରିଥିଲେ। ଦୁହେଁ ବିସ୍ଫୋରକ ବ୍ୟାଟିଂ କରି ଷଷ୍ଠ ଓଭର ସୁଦ୍ଧା ଦଳୀୟ ସ୍କୋର୍ ୬୧ରେ ପହଞ୍ଚାଇ ଦେଇଥିଲେ। ତେବେ ସେହି ଓଭରର ଶେଷ ବଲ୍ରେ ଶେଫାଳି ଆଉଟ୍ ହୋଇଯାଇଥିଲା ବେଳେ ଏକାଦଶ ଓଭରର ଚତୁର୍ଥ ବଲ୍ରେ ମେଘନା ପାଭିଲିୟନ୍ ଫେରିଯାଇଥିଲେ। ଅନ୍ୟପଟେ ମନ୍ଧାନା ଏକାକି ଦଳକୁ ୧୧.୪ ଓଭରରେ ବିଜୟ ଭେଟି ଦେଇଥିଲେ। ସେ ୬୩ (୪୨ ବଲ୍, ୮ ଚୌକା, ୩ ଛକା) ରନ୍ରେ ଅପରାଜିତ ରହିଥିଲା ବେଳେ ଜେମିମା ରୋଦ୍ରିଗ୍ବେଜ ୨* ରନ୍ କରିଥିଲେ। ଏଥି ସହିତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମଧ୍ୟ ପ୍ରଥବ ବିଜୟ ହାସଲ କରିଛି।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ୧୮ ଓଭରରେ ୯୯ (ମୁନିବ ଅଲ୍ଲୀ-୩୨, ଆଲିୟା ରିଆଜ-୧୮, ବିସ୍ମା ମାରୁଫ୍-୧୭, ଓମାଇମା ସୋହେଲ-୧୦, ଆୟେଶା ନସିମ-୧୦, ସ୍ନେହ ରାଣା-୨/୧୫, ରାଧା ୟାଦବ-୨/୧୮, ରେଣୁକା ସିଂହ-୧/୨୦, ମେଘନା ସିଂହ-୧/୨୧, ଶେଫାଳି ବର୍ମା-୧/୮)। ଭାରତ ୧୧.୪ ଓଭରରେ ୧୦୨/୨ (ସ୍ମୃତି ମନ୍ଧାନା-୬୩*, ଶେଫାଳି ବର୍ମା-୧୬, ସାବିନେନି ମେଘନା-୧୪, ଜେମିମା ରୋଦ୍ରିଗ୍ବେଜ-୨*, ତୁବା ହାସନ-୧/୧୮, ଓମାଇମା ସୋହେଲ-୧/୨୦)।