ମୁମ୍ବାଇ: ଭାରତୀୟ ମହିଳା ଦଳ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ସ୍କୋର୍ କରିଛି। ଗୁରୁବାର ସ୍ଥାନୀୟ ଡିୱାଇ ପଟେଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ୪ ୱିକେଟ୍ ହରାଇ ୨୧୭ ରନ୍ କରିଛି। ଯାହା ଭାରତ ଚଳିତ ବର୍ଷ ୟୁଏଇ ବିପକ୍ଷରେ ଖେଳିଥିବା ୨୦୧/୫କୁ ଟପିଛି। ଏଥିସହ ଭାରତ ଏହି ମ୍ୟାଚ୍କୁ ୬୦ ରନ୍ରେ ଜିତି ଶୃଙ୍ଖଳାକୁ ୨-୧ରେ କରାୟତ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଉମା ଚେତ୍ରୀ (୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଓପନର୍ ସ୍ମୃତି ମନ୍ଧାନା ଲଗାତାର ୭ ଚୌକା ସହ ୪୭ ବଲ୍ରୁ ୭୭ ରନ୍ ଦୃଢ଼ ମୂଳଦୁଆ ପକାଇଥିଲେ। ସ୍ମୃତି ମୋଟ ୧୩ ଚୌକା ଓ ଗୋଟିଏ ଛକା ମାରିଥିଲେ।
ସେ ଜେମିମା ରଡ୍ରିଗୁଏଜ (୩୯, ୨୮ ବଲ୍, ୪ ଚୌକା)ଙ୍କ ସହ ୯୮ ରନ୍ ଯୋଡ଼ିଥିଲେ। ଏହାପରେ ରିଚା ଘୋଷ ୧୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରି ମହିଳା ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡର ସୋଫି ଡେଭିନ୍ଙ୍କ ସହ ଯୁଗ୍ମ ଦ୍ରୁତତମ ହୋଇଥିଲେ। ସେ ୨୧ ବଲ୍ରୁ ୩ ଚୌକା, ୫ ଛକା ସହାୟତାରେ ୫୪ ରନ୍ କରି ଆଉଟ୍ ହୋଇଥିଲେ। ରାଘବୀ ବିଷ୍ଟ ୨୨ ବଲ୍ରୁ ୩୧ ରନ୍ର ଉପଯୋଗୀ ପାଳି ଖେଳି ଭାରତର ଏହି ସର୍ବୋଚ୍ଚ ସ୍କୋର୍ରେ ଅବଦାନ ରଖିଥିଲେ। ଜବାବରେ ୱେଷ୍ଟ୍ଇଣ୍ଡିଜ୍ ୯ ୱିକେଟ୍ ହରାଇ ୧୫୭ ରନ୍ କରିବାକୁ ସକ୍ଷମ ହୋଇଛି। ରାଧା ୟାଦବ ୪ ୱିକେଟ୍ ସଫଳତା ପାଇଥିଲେ। ଏହି ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍ ଜିତିଥିଲା ବେଳେ ଦ୍ବିତୀୟରେ ହାରି ଯାଇଥିଲା। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ରବିବାରଠୁ ଆରମ୍ଭ ହେବ।