ଦୁବାଇ: ଆଇସିସି ଓ ଆୟୋଜକ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ବୁଧବାର ଆସନ୍ତା ବର୍ଷ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ସୂଚୀ ପ୍ରକାଶ କରିଛି। ଏହି ୧୨ ଦଳୀୟ ଓ ୨୪ ଦିନିଆ ପ୍ରତିଯୋଗିତା ୨୦୨୬ ଜୁନ୍‌ ୧୨ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରତିଯୋଗିତାରେ ମୋଟ ୩୩ ମ୍ୟାଚ୍‌ ଖେଳାଯିବାକୁ ଥିଲା ବେଳେ ଇଂଲଣ୍ଡର ୭ଟି ଭେନ୍ୟୁ ଏଜ୍‌ବାଷ୍ଟନ୍‌, ହାମ୍‌ସାୟାରବୌଲ, ହେଡିଂଲେ, ଓଲ୍ଡଟ୍ରାଫୋଡ, ଦ ଓଭାଲ, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ ଓ ଲଡ୍ସରେ ହେବ। ଭାରତ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ‌ଆରମ୍ଭ କରିବ। 

Advertisment

ଏହି ମ୍ୟାଚ୍‌ ଜୁନ୍‌ ୧୪ରେ ଏଜ୍‌ବାଷ୍ଟନ୍‌ରେ ଖେଳାଯିବ। ୧୨ ତାରିଖରେ ଏଜ୍‌ବାଷ୍ଟନ୍‌ରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମୁକାବିଲାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଜୁନ୍‌ ୩୦ ଓ ଜୁଲାଇ ୨ରେ ସେମିଫାଇନାଲ୍‌ ଦ୍ବୟ ଦ ଓଭାଲରେ ଏବଂ ଜୁଲାଇ ୫ରେ ଫାଇନାଲ୍‌ରେ ଲର୍ଡସରେ ଖେଳାଯିବ। ଭାରତ ଗ୍ରୁପ୍‌-୧ରେ ୬ ଥରର ବିଜେତା ଅଷ୍ଟ୍ରେଲିଆ, ଉପବିଜେତା ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଏବଂ ଦୁଇ ଯୋଗ୍ୟ ଦଳ ସହ ରହିଛି। ଗ୍ରୁପ୍‌-୨ରେ ବିଜେତା ନ୍ୟୁଜିଲାଣ୍ଡ, ୱେଷ୍ଟ୍‌ଇଣ୍ଡିଜ୍‌, ଶ୍ରୀଲଙ୍କା, ଆୟୋଜକ ଇଂଲଣ୍ଡ ଓ ଦୁଇ ଯୋଗ୍ୟ ଦଳ ରହିଛନ୍ତି। ଦୁଇ ଗ୍ରୁପ୍‌ର ଦୁଇଟି ଲେଖାଏଁ ଶ୍ରେଷ୍ଠ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଭାରତ ୧୭ରେ ଯୋଗ୍ୟ ଦଳ (ହେଡିଂଲେ), ୨୧ରେ ଦକ୍ଷିଣ ଆଫ୍ରିକା (ଓଲ୍ଡ ଟ୍ରାଫୋର୍ଡ), ୨୫ରେ ଯୋଗ୍ୟ ଦଳ (ଓଲ୍ଡ ଟ୍ରାଫୋର୍ଡ) ଏବଂ ୨୮ରେ ଅଷ୍ଟ୍ରେଲିଆ (ଲର୍ଡ୍ସ) ସହ ଖେଳିବ।