ପୁରୁଷ କ୍ରିକେଟ୍‌ରେ ମହିଳା ଅମ୍ପାୟାର, ଶାଶ୍ବତୀ ସୃଷ୍ଟି କରିଛନ୍ତି ନୂଆ ସମ୍ଭାବନା

ଓସିଏ ମହିଳା ଲିଗ୍‌ରୁ ନୂଆ ପାଳି, ଅଧିକ ମହିଳା ପେସା କରିବାକୁ ଆହ୍ବାନ

ଭୁବନେଶ୍ବର (ପ୍ରଫୁଲ୍ଲ କିଶୋର ସାହୁ): କ୍ରିକେଟ୍‌ ଖେଳର ସୁପରିଚାଳନାରେ ଅମ୍ପାୟାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଗୁରୁଦାୟିତ୍ବରେ ଆମେ ଆଗରୁ ଅଗଣିତ ପୁରୁଷ ଅମ୍ପାୟାରଙ୍କୁ ଦେଖି ଆସୁଛେ। ଏବେ କିନ୍ତୁ ଏହି ପେସାରେ ମହିଳାମାନେ ମଧ୍ୟ ପାଦ ଥାପିବା ଆରମ୍ଭ କରି ଦେଇଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଅମ୍ପାୟାରିଂରେ ମହିଳାମାନେ ନିଜ ପ୍ରତିଭାର ପରିଚୟ ଢେର କିଛି ବର୍ଷ ହେବ ଦେଖାଇ ଆସୁଥିଲା ବେଳେ ଧୀରେଧୀରେ ଓଡ଼ିଶାର ମହିଳାମାନେ ମଧ୍ୟ ଏହି ଅଜଣା ଇଲାକାରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ଏହି ତୀବ୍ରଆହ୍ବାନପୂର୍ଣ୍ଣ ପେସାକୁ ଅପଣାଇବାର ସାହସ କିଛି ଉତ୍ସାହୀ ଓ ଉଦ୍ୟମୀ ମହିଳା ଦେଖାଇଛନ୍ତି। ପଡ଼ିଆ ଭିତରେ ତ୍ରୁଟିଶୂନ୍ୟ ନିଷ୍ପତ୍ତି ନେଇ ସେମାନେ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଶାଶ୍ବତୀ ଶତପଥୀ ହେଉଛନ୍ତି ଅନ୍ୟତମ। ‌
ଓସିଏ ମହିଳା ଲିଗ୍‌ରୁ ନୂଆ ପାଳି
ଚଳିତ ବର୍ଷ ଓସିଏ ମହିଳା ଲିଗ୍‌ରୁ ଅମ୍ପାୟାର ଜୀବନ ଆରମ୍ଭ କରିଥିଲେ ଶାଶ୍ବତୀ। ଏହାପରେ ସେ ମହିଳା ଦିନିକିଆରେ ଅମ୍ପାୟାରିଂ କରିବାର ସୁଯୋଗ ପାଇଥିଲେ। ନିକଟରେ ଏଲ୍‌ଏଲ୍‌ସିସି ପକ୍ଷରୁ ଆୟୋଜିତ ୧୪ ବର୍ଷରୁ କମ୍‌ ବାଳକ ଡ୍ୟୁଜ୍‌ବଲ୍‌ କ୍ରିକେଟ୍‌ରେ ସଫଳତାର ସହ ଅମ୍ପାୟାରିଂ କରିଥିଲେ ୩୫ ବର୍ଷୀୟା ଶାଶ୍ବତୀ। ଏହି ପ୍ରତିଯୋଗିତାଗୁଡ଼ିକରେ ତାଙ୍କର ଦକ୍ଷତା ଦେଖାଇ ଖୁବ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ ସେ।
କ୍ରିକେଟ୍‌ ପ୍ରତି ଦୁର୍ବଳତା
ଢେଙ୍କାନାଳରେ ଜନ୍ମିତ ଶାଶ୍ବତୀଙ୍କ ପିଲାବେଳୁ କ୍ରିକେଟ୍‌ ପ୍ରତି ଦୁର୍ବଳତା ରହିଥିଲା। ‘‘ପଞ୍ଚମରେ ପଢ଼ୁଥିଲା ବେଳେ ମୋ ମାଉସୀ ଜଣେ ସାର୍‌ଙ୍କ ସହ ସାକ୍ଷାତ କରାଇଥିଲେ। ସେହିଠାରୁ ମୋର କ୍ରିକେଟ୍‌ ଜୀବନ ଆରମ୍ଭ ହୋଇଥିଲା। ବାପା ହୃଦାନନ୍ଦ ଶତପଥୀ ଏବଂ ମା’ ସଙ୍ଘମିତ୍ରା ମଧ୍ୟ ମୋତେ ସବୁବେଳେ ସହଯୋଗ କରିଥିଲେ। ଯାହା ପାଇଁ ମୁଁ ଆଗକୁ ବଢ଼ିଥିଲି ଏବଂ ରାଜ୍ୟ ଦଳରେ ସ୍ଥାନ ପାଇଥିଲି। ଅଲ୍‌ରାଉଣ୍ଡର (ଡାହାଣହାତୀ ବ୍ୟାଟର୍‌ ଓ ଦ୍ରୁତ ବୋଲର) ଭାବେ ୨୦୦୬-୦୭ରେ ରାଜ୍ୟ ପକ୍ଷରୁ ୧୫ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲି। ୨୦୧୧ରେ ବିବାହ ହେବା ପରେ ମୁଁ ମୋ ସ୍ବାମୀ ପ୍ରବୋଧ କୁମାର ଦାଶଙ୍କ ସହ ରାଜ୍ୟ ବାହାରକୁ ଚାଲିଯାଇଥିଲି। କିନ୍ତୁ ଏହି ଖେଳ ପ୍ରତି ଥିବା ଦୁର୍ବଳତା ଅମ୍ପାୟାର ଲାଗି ଉତ୍ସାହ ଦେଇଥିଲା’’ ବୋଲି ‘ସମ୍ବାଦ’କୁ କହିଛନ୍ତି ଶାଶ୍ବତୀ।
ବିଜ୍ଞା‌ପନ ଦେଖି ଅମ୍ପାୟାର ପରୀକ୍ଷା
‌ବାହାରେ ରହୁଥିଲା ବେଳେ ସାଙ୍ଗମାନଙ୍କ ଯୋଗାଯୋଗରେ ଥିଲି। ଖବରକାଗଜରେ ଅମ୍ପାୟାରିଂ ପେସା ଲାଗି ବିଜ୍ଞାପନ ବାହାରିଥିଲା। ଏହା ଦେଖି ଏଥିଲାଗି ଆବେଦନ କରିବାକୁ ସେମାନେ ମୋତେ ଉତ୍ସାହିତ କରିଥିଲେ। ମୁଁ ଆବେଦନ କରିଥିଲି। ଓସିଏ ପକ୍ଷରୁ ମୋତେ ଡକରା ମିଳିଲା। ସେଠାରେ ଟ୍ରାଏଲ୍ସ ଦେଲି। ୬୦ ଜଣଙ୍କ ମଧ୍ୟରେ ଆମେ ୪ ଜଣ ମହିଳା ଥିଲୁ। ମୁଁ ଓ ଜ୍ୟୋତି କମଲ ଅମ୍ପାୟାରିଂ ପାଇଁ ଆଗ୍ରହ ଦେଖାଇଥିଲୁ। ଏହା ପରେ ଆମକୁ ତାଲିମ ଦିଆଗଲା। କରୋନା ଯୋଗୁଁ ଅନ୍‌ଲାଇନ୍‌ରେ କ୍ଲାସ ହେଉଥିଲା। ପରୀକ୍ଷା ହେଲା ଏବଂ ମୁଁ ଉତ୍ତୀର୍ଣ୍ଣ ହୋଇଥିଲି।
ଆଇସିସି ପ୍ୟାନେଲ୍‌ ଲକ୍ଷ୍ୟ
ଜୁଲାଇ ୧୦, ୧୯୮୬ ମାସିହାରେ ଜନ୍ମିତ ଶାଶ୍ବତୀ ସଂପ୍ରତି ଓସିଏ ପ୍ୟାନେଲରେ ରହଛନ୍ତି। ବିସିସିଆଇ ପ୍ୟାନେଲ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। କ୍ରିକେଟ୍‌ର ବିଭିନ୍ନ ଆଇନକୁ ପଢ଼ିବା ଓ ବୁଝିବାରେ ଅଧିକ ସମୟ ‌‌ଦେଉଛନ୍ତି। ଆଇନ ଓ ଏମ୍‌ବିଏରେ ଡିଗ୍ରି ହାସଲ କରିଥିବାରୁ ଏଥିରେ ସଫଳତା ହାସଲ କରିବା ସହଜ ହେବ ବୋଲି କହିଛନ୍ତି ଶାଶ୍ବତୀ। ଅରୁନ ବାଦଶାହ ସାର୍‌ ଓ ଦୁର୍ଗା ଦତ୍ତ ଦାସ ସାର୍‌ ମଧ୍ୟ ମୋତେ ବହୁତ ସହଯୋଗ କରୁଛନ୍ତି। ଆଇସିସି ପ୍ୟାନେଲରେ ରହିବାର ଲକ୍ଷ୍ୟ ରଖିଛନ୍ତି ସେ।
ପରିବାରକୁ ଶ୍ରେୟ
ଖେଳାଳିଠୁ ଆରମ୍ଭ କରି ଅମ୍ପାୟାରରେ ପହଞ୍ଚିବାରେ ପରିବାର ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଶାଶ୍ବତୀ। ଖେଳିଲା ‌‌ବେଳେ ବାପା-ମା’ଙ୍କ ସହଯୋଗ ‌ଥିଲା। ବିବାହ ପରେ ‌‌ସ୍ବାମୀଙ୍କ ସହ ଶାଶୁ ଶଶୁର ମଧ୍ୟ ମୋତେ ସମର୍ଥନ କରୁଛନ୍ତି। ମୋର ଛୋଟିଆ ପୁଅଟି ରହିଛି। ମୁଁ ଆମ୍ପାୟାରିଂ କରିବାକୁ ଗଲେ ପୁଅକୁ ଶାଶୁ ଶଶୁର ସମ୍ଭାଳି ନିଅନ୍ତି ଯାହା ପାଇଁ ମୁଁ ଏତେ ବାଟ ଆଗେଇ ପାରିଛି ବୋଲି କହିଛନ୍ତି ସେ।

ଅଧିକ ମହିଳା ପେସା କରିବାକୁ ଆହ୍ବାନ
ମୁଁ ଚାହେଁ ଓଡ଼ିଶାର ଅଧିକ ମାତ୍ରାରେ ମହିଳାମାନେ ଅମ୍ପାୟାରିଂକୁ ପେସା କରନ୍ତୁ। ଏଥିରେ ମଧ୍ୟ ଭଲ ରୋଜଗାର ରହିଛି। ଅମ୍ପାୟାରକୁ ପୂରା ଦିନ ପଡ଼ିଆରେ କାଟିବାକୁ ପଡ଼ୁଥିବାରୁ ଏଥିପାଇଁ ପ୍ରଥମେ ଫିଟ୍‌ନେସ୍‌ ଦରକାର। ଏହା ସହ କ୍ରିକେଟ୍‌ ଆଇନ ଜାଣିବା ଆବଶ୍ୟକ। ଖେଳାଳି ନ ହୋଇଥିଲେ ମଧ୍ୟ ଜଣେ ଏହାକୁ ସହଜରେ ପେସା କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର