ନୂଆଦିଲ୍ଲୀ: ଗତ ରବିବାର ଭାରତ ପାଇଁ ଐତିହାସିକ ଦିନ ହୋଇଯାଇଛି। କାରଣ  ଭାରତୀୟ ଯୁବା (୧୯ ବର୍ଷରୁ କମ୍‌) ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣର ବିଜେତା ହୋଇଯାଇଛନ୍ତି। ଆଇସିସି ଦ୍ବାରା ପ୍ରଥମଥର ୧୯ ବର୍ଷରୁ କମ୍‌ ମହିଳାଙ୍କ ପାଇଁ  ବିଶ୍ବକପ ଆ‌ୟୋଜନ କରାଯାଇଥିଲା। ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ଖେଳରେ ଭାରତୀୟ ଦଳ ଇଂଲଣ୍ଡକୁ ହରାଇ ପ୍ରଥମ ଚମ୍ପିୟାନ ହୋଇଛନ୍ତି। ଏହି ଖୁସି ଓ ଗର୍ବର ମୁହୂର୍ତ୍ତକୁ ନେଇ ମହିଳା ଦଳକୁ ବଲିଉଡ ଷ୍ଟାରମାନେ ଶୁଭେଚ୍ଛା ଜଣାଇବା ସହିତ ସୁନ୍ଦର ପ୍ରତିକ୍ରିୟା ‌ଦେଇଛନ୍ତି।

Advertisment

ରବିବାର ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍‌ ଫାଇନାଲ୍‌ରେ  ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଥିଲା। ୪ ଓଭରରେ ମାତ୍ର ୬ ରନ୍‌ ଦେଇ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଦଖଲ କରିଥିବା ତିତାସ ସାଧୁ ଫାଇନାଲ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଏଥିସହିତ ଅଲ୍‌ରାଉଣ୍ଡର ପ୍ରଦର୍ଶନ ପାଇଁ ଇଂଲଣ୍ଡର ଗ୍ରେସ୍‌ ସ୍ରାଇଭେନ୍ସ (୨୯୩ ରନ୍‌ ଏବଂ ୯ ୱିକେଟ୍‌) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା। ୧୯ବର୍ଷରୁ କମ ଭାରତୀୟ ମହିଳା ଦଳର ଐତିହାସିକ ବିଜୟକୁ ଦେଖି ଦେଶ ଖୁସିରେ ଝୁମି ଉଠିଥିଲା।

ଏହି କ୍ରମରେ ବଲିଉଡର ନାମୀଦାମୀ ଷ୍ଟାର ଅଜୟ ଦେବଗନ,ଇଶା ଦେଓଲ, କାଜୋଲ, ଅନୁଷ୍କା ଶର୍ମା, କରିନା କପୁର ଖାନ, ସିଦ୍ଧାର୍ଥ ମଲହୋତ୍ରା ଓ ଆୟୁଷ୍ମାନ ଖୁରାନ ଇନଷ୍ଟାଗ୍ରାମରେ ୧୯ବର୍ଷରୁ କମ୍ ଭାରତୀୟ ମହିଳା ଟିମକୁ ସେମାନଙ୍କ ଜବରଦସ୍ତ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ  ଦଳର ସମସ୍ତ ସଦସ୍ୟ ନିଷ୍ଠାର ସହ ଖେଳି ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ବଲିଉଡ ଷ୍ଟାରମାନେ ପ୍ରତିକ୍ରିୟା ଦେଇଛନ୍ତି।