ମାଉଣ୍ଟ ମଙ୍ଗନୁଇ : ନ୍ୟୁଜିଲାଣ୍ଡ୍ରେ ଚାଲିଥିବା ମହିଳା ବିଶ୍ବକପ୍ରେ ପାକିସ୍ତାନ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ନିକଟରୁ ୧୦୭ ରନ୍ରେ ହାରିଯାଇଥିବା ପାକିସ୍ତାନ ଶୁକ୍ରବାର ଦକ୍ଷିଣ ଆଫ୍ରିକାଠାରୁ ୬ ରନ୍ରେ ପରାଜୟ ବରଣ କଲା। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୩୨ ରନ୍ରେ ପରାସ୍ତ କରିଥିବା ଦକ୍ଷିଣ ଆଫ୍ରିକା ଶୁକ୍ରବାର ଶେଷ ଓଭରରେ ପାକିସ୍ତାନକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ସହ ପଏଣ୍ଟ୍ ତାଲିକାର ତୃତୀୟ ସ୍ଥାନକୁ ଲମ୍ଫ ମାରିଛି। ଚଳିତ ବିଶ୍ବକପ୍ର ୯ ମ୍ୟାଚ୍ ଶେଷ ହୋଇଥିଲା ବେଳେ କେବଳ ୩ ଦଳ (ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ୍ଇଣ୍ଡିଜ୍) ହିଁ ଅପରାଜେୟ ରହିଛନ୍ତି।
ଶୁକ୍ରବାର ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକାକୁ ଆମନ୍ତ୍ରଣ କରିଥିଲା। ଲୌରା ଉଲ୍ଭାର୍ଡ (୭୫) ଓ ଅଧିନାୟିକା ସୁନେ ଲୁସ୍ (୬୨)ଙ୍କ ଅର୍ଦ୍ଧଶତକ ବ୍ୟତୀତ କ୍ଲୋଇ ଟ୍ରିୟନ୍ ଓ ୱିକେଟ୍ରକ୍ଷକ ତ୍ରିଷା ଚେଟ୍ଟୀଙ୍କ ୩୧ ରନ୍ ଲେଖାଏଁ ବଳରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା। ଫତିମା ସାନା (୩/୪୩) ଓ ଗୁଲମ ଫତିମା (୩/୫୨) ପାକିସ୍ତାନ ପକ୍ଷରୁ ସଫଳ ବୋଲର ରହିଥିଲେ। ଜବାବରେ ଓମାଇମା ସୋହେଲ (୬୫) ଓ ନିଦା ଦାର୍ (୫୫)ଙ୍କ ଅର୍ଦ୍ଧଶତକ ସହିତ ଓପ୍ନର ନାହିଦା ଖାନ୍ଙ୍କ ୪୦ ରନ୍ ସହାୟତାରେ ପାକିସ୍ତାନ ଖୁବ୍ ଲଢ଼ିଥିଲା। ଏପରିକି ଶେଷ ଓଭରରେ ହାତରେ ୨ ୱିକେଟ୍ ଥାଇ ବିଜୟ ପାଇଁ ୧୦ ରନ୍ ଦରକାର ଥିଲା। ହେଲେ ସେହି ବୋଲିଂ କରିଥିବା ସାବ୍ନିମ୍ ଇସ୍ମାଇଲ ମାତ୍ର ୩ ରନ୍ ବ୍ୟୟ କରିଥିଲା ବେଳେ ପାକିସ୍ତାନ ୨ ୱିକେଟ୍ ହରାଇଥିଲା। ଫଳରେ ପାକିସ୍ତାନ ଶେଷ ବଲ୍ ପୂର୍ବରୁ ୨୧୭ ରନ୍ରେ ସମସ୍ତ ୱିକେଟ୍ ହରାଇ ପରାଜୟ ପଟେ ରହିଥିଲା। ଇସ୍ମାଇଲଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଇସ୍ମାଇଲ (୩/୪୧)ଙ୍କ ବ୍ୟତୀତ ମାରିଜାନେ କାପ୍ (୨/୪୩) ଓ ଆୟାବୋଙ୍ଗା ଖାକା (୨/୪୩) ଚମତ୍କାର ବୋଲିଂ କରିଥିଲେ।
ଆଜି ୱେଷ୍ଟ୍ଇଣ୍ଡିଜ୍କୁ ଭେଟିବ ଭାରତ
ଚଳିତ ବିଶ୍ବକପ୍ରେ ମିତାଲି ରାଜଙ୍କ ଭାରତୀୟ ଦଳ ଆସନ୍ତାକାଲି ହାମିଲଟନ୍ର ସେଡନ୍ ପାର୍କରେ ୱେଷ୍ଟଇଣ୍ଡିଜ୍କୁ ଭେଟିବ। ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରିବା ପରେ ଭାରତ ଦ୍ବିତୀୟ ମ୍ୟାଚ୍ରେ ଆୟୋଜକ ନ୍ୟୁଜିଲାଣ୍ଡ୍ ନିକଟରୁ ୬୨ ରନ୍ରେ ହାରିଯାଇଥିଲା। ଫଳରେ ପଏଣ୍ଟ୍ ତାଲିକାର ଉପରକୁ ଉଠିବା ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଆଉ କାଲିର ମ୍ୟାଚ୍ ହାରିଗଲେ ଭାରତ ପାଇଁ ସେମିଫାଇନାଲ୍ ଆଶା ବାଧାପ୍ରାପ୍ତ ହେବ। କିନ୍ତୁ ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ଦୁଇ ମ୍ୟାଚ୍ ଖେଳି ଅପରାଜେୟ ରହିଥିବାରୁ ଭାରତ ପାଇଁ ମ୍ୟାଚ୍ ଜିତିବା ଏତେ ସହଜ ହେବନି। ଇଣ୍ଡିଜ୍ ଦଳ କ୍ରମାଗତ ଭାବେ ଇଂଲଣ୍ଡକୁ ୭ ଏବଂ ନ୍ୟୁଜିଲାଣ୍ଡ୍କୁ ୩ ରନ୍ରେ ପରାସ୍ତ କରି ମନୋବଳ ଖୁବ୍ ଉଚ୍ଚା ରଖିଛି।ନ୍ୟୁଜିଲାଣ୍ଡ୍ ବିପକ୍ଷରେ ବ୍ୟାଟର୍ମାନେ ବିଫଳ ହୋଇଥିବାରୁ ଏହାକୁ ସୁଧାରିବା ନିହାତି ଆବଶ୍ୟକ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ରମେଶ ପାୱାର ଚେତାଇ ଦେଇଛନ୍ତି। ମୁଖ୍ୟତଃ ଭାରତୀୟ ଶୀର୍ଷକ୍ରମ ଚଳିତ ବିଶ୍ବକପ୍ରେ ଖରାପ ପ୍ରଦର୍ଶନ କରୁଛନ୍ତି। କେବଳ ହର୍ମନପ୍ରୀତ୍ ଲଢ଼ୁଥିଲା ବେଳେ ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଦର୍ଶନ ପାଇଁ ସ୍ମୃତି ମନ୍ଧାନା, ମିତାଲି ରାଜ, ୟାସ୍ତିକା ଭାଟିଆ ଓ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ସମାଲୋଚିତ ହୋଇଛନ୍ତି। ତେଣୁ ଫର୍ମ ପାଇଁ ସଂଘର୍ଷ କରୁଥିବା ଶେଫାଳି ବର୍ମା ଇଣ୍ଡିଜ୍ ବିପକ୍ଷ ଚୂଡାନ୍ତ ଏକାଦଶକୁ ଫେରିବା ସମ୍ଭାବନା ଅଧିକ ରହିଛି। ଭାରତର ବୋଲିଂ ଠିକ୍ଠାକ୍ ରହିଛି। କେବଳ ବରିଷ୍ଠ ବ୍ୟାଟର୍ମାନେ ଦାୟିତ୍ବବାନ ହେଲେ ମ୍ୟାଚ୍ ଜିତିବା କଷ୍ଟକର ହେବନି ବୋଲି ପାୱାର କହିଛନ୍ତି।