ହାମିଲଟନ୍, ୧୦ା୩: ନ୍ୟୁଜିଲାଣ୍ଡ୍ରେ ଚାଲିଥିବା ମହିଳା ବିଶ୍ବକପ୍ରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ବଡ଼ ବ୍ୟବଧାନରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ମିତାଲି ରାଜ୍ଙ୍କ ଭାରତୀୟ ଦଳ ଗୁରୁବାର ଦ୍ବିତୀୟ ମ୍ୟାଚ୍ରେ ଆୟୋଜକ ନ୍ୟୁଜିଲାଣ୍ଡ୍ଠୁ ହାରିଗଲା। ଚମତ୍କାର ବ୍ୟାଟିଂ ଓ ବୋଲିଂ ବଳରେ ନ୍ୟୁଜିଲାଣ୍ଡ୍ ୬୨ ରନ୍ରେ ଭାରତକୁ ପରାସ୍ତ କରି ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ୍ର ୨୬୦/୯ ଜବାବରେ ଭାରତ ୨୦ ବଲ୍ ପୂର୍ବରୁ ୧୯୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏଥି ସହିତ ନ୍ୟୁଜିଲାଣ୍ଡ୍ ଉନ୍ନତ ରନ୍ ରେଟ୍ରେ ମଧ୍ୟ ଅଷ୍ଟ୍ରେଲିଆ ପଛକୁ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି। ନିଜର ପ୍ରଥମ ମ୍ୟାଚ୍ରେ ୱେଷ୍ଟ୍ଇଣ୍ଡିଜ୍ ନିକଟରୁ ହାରିଯିବା ପରେ ଦମ୍ଦାର ପ୍ରତ୍ୟାବର୍ତନ କରି ବାଂଲାଦେଶ ଏବଂ ଭାରତକୁ ପରାସ୍ତ କରିଛି।
ଗୁରୁବାର ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିଥିଲା। ହେଲେ ମଧ୍ୟକ୍ରମ ବ୍ୟାଟର୍ମାନେ ଭାରତୀୟ ବୋଲିଂକୁ ଦୃଢ଼ତାର ସହ ସାମ୍ନା କରି ସ୍କୋର୍ ୨୬୦/୯ରେ ପହଞ୍ଚାଇ ଦେଇଥିଲେ। ବିଶେଷକରି ଆମି ସାଟର୍ଥୱେଟ୍ (୭୫) ଏବଂ ଆମେଲିଆ କେର୍ (୫୦)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ କାଟେ ମାର୍ଟିନ୍ (୪୧), ଅଧିନାୟିକା ସୋଫି ଦେବିନେ (୩୫) ଏବଂ ମାଡି ଗ୍ରିନ୍ (୨୭)ଙ୍କ ଉପଯୋଗୀ ପାଳି ପରେ ବୋଲରଙ୍କ କମାଲ ହିଁ ଭାରତକୁ ପରାଜୟ ପାଇଁ ବାଧ୍ୟ କରିଥିଲା। ପୂଜା ଭସ୍ତ୍ରକାର (୪/୩୪), ରାଜେଶ୍ବାରୀ ଗାଏକ୍ବାଡ (୨/୪୬), ଦୀପ୍ତି ଶର୍ମା (୧/୫୨) ଓ ଝୁଲଣ ଗୋସ୍ବାମୀ (୧/୪୧)ଙ୍କ ବୋଲିଂ ଚିତ୍ର ବେକାର ଯାଇଥିଲା। ପୁଜା ୪୭ତମ ଓଭରରେ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଫ୍ରାନ୍ସେସ୍ ମ୍ୟାକେ ନିଷ୍ଫଳ କରିଦେଇଥିଲେ।
ଜବାବରେ ୨୬୧ ରନ୍ର ପିଛା କରିଥିବା ଭାରତ ପକ୍ଷରୁ ହର୍ମନପ୍ରୀତ୍ କୌର ଏକା ଲଢ଼ିଥିଲେ ମଧ୍ୟ ଅନ୍ୟ କେହି ବଡ଼ ପାଳି ଖେଳିନପାରିବାରୁ ଦଳ ହାରିଥିଲା। ହର୍ମନପ୍ରୀତ୍ (୭୧, ୬୩ ବଲ୍, ୬ ଚୌକା, ୨ ଛକା) ଅର୍ଦ୍ଧଶତକ ହାସଲ କରି ଗୋଟିଏ ପଟେ ପାଳି ଗଢ଼ି ଚାଲିଥିଲା ବେଳେ ଅନ୍ୟପଟେ ୱିକେଟ୍ ଝଡ଼ି ଚାଲିଥିଲା। ସ୍ମୃତି ମନ୍ଧାନା (୬), ଦୀପ୍ତି ଶର୍ମା (୫), ରିଚା ଘୋଷ (୦) ଓ ପୂଜା (୬) ସଂପୂର୍ଣ୍ଣ ନିରାଶ କରିଥିଲା ବେଳେ ଶେଫାଳି ବର୍ମାଙ୍କ ସ୍ଥାନ ନେଇଥିବା ୟାସ୍ତିକା ଭାଟିଆ (୨୮), ଅଧିନାୟିକା ମିତାଲି ରାଜ (୩୧), ସ୍ନେହା ରାଣା (୧୮), ଝୁଲଣ ଗୋସ୍ବାମୀ (୧୫), ମେଘନା ସିଂହ (୧୨*)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ଭାରତ ୪୬.୪ ଓଭରରେ ୧୯୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଲି ତାହୁହୁ (୧୦-୨-୧୭-୩)ଙ୍କ ଘାତକ ବୋଲିଂ ଭାରତ ପରାଜୟର ପ୍ରମୁଖ କାରଣ ପାଲଟିଥିଲା ବେଳେ ଆମେଲିଆ କେର୍ (୩/୫୬) ଓ ହାଲେ ଜେନ୍ସେନ୍ (୨/୩୦) ମଧ୍ୟ ବିଜୟର ଶ୍ରେୟ ପାଇଥିଲେ। ତେବେ ଉଭୟ ଦଳ ପକ୍ଷରୁ ସର୍ବାଧିକ ୭୫ ରନ୍ କରିଥିବା ସାଟର୍ଥୱେଟ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍ରେ ଗୁରୁବାର ଗୋଟିଏ ୱିକେଟ୍ ଅକ୍ତିଆର କରିଥିବା ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ନିଜର ପଞ୍ଚମ ବିଶ୍ବକପ୍ ଖେଳୁ୍ଥିବା ୩୯ ବର୍ଷ ବୟସ୍କା ଝୁଲଣ ଏହି ମ୍ୟାଚ୍ରେ ୨ ୱିକେଟ୍ ଦଖଲ କରିଥିଲେ ମହିଳା ବିଶ୍ବକପ୍ ଇତିହାସରେ ସର୍ବାଧିକ ୱିକେଟ୍ (୪୦) ହାସଲକାରୀ ବୋଲର ଭାବେ ଅଷ୍ଟ୍ରେଲିଆର ଲିନ୍ ଆନ୍ ଫୁଲ୍ଷ୍ଟନ୍ (୩୯)ଙ୍କୁ ଟପି ଯାଇଥା’ନ୍ତେ। ହେଲେ ଝୁଲଣ ନ୍ୟୁଜିଲାଣ୍ଡ୍ ପାଳିରେ ୱିକେଟ୍ରକ୍ଷିକା କାଟେ ମାର୍ଟିନ୍ଙ୍କୁ ଆଉଟ୍ କରିପାରିଥିବାରୁ ଲିନ୍ଙ୍କ ବିଶ୍ବ କୀର୍ତ୍ତିମାନ (୩୯ ୱିକେଟ୍) ସହ ସମକକ୍ଷ ହୋଇଛନ୍ତି। ଲିନ୍ ୨୦ ମ୍ୟାଚ୍ରେ ୩୯ ୱିକେଟ୍ ଦଖଲ କରି ନିଜ ନାମରେ ବିଶ୍ବ କୀର୍ତ୍ତିମାନ ଅତୁଟ ରଖିଥିଲା ବେଳେ ଝୁଲଣ ୩୦ ମ୍ୟାଚ୍ରୁ ୩୯ ୱିକେଟ୍ ପାଇ ଯୁଗ୍ମ ଭାବେ କୀର୍ତ୍ତିମାନର ଭାଗୀଦାରି ହୋଇଛନ୍ତି। ଏମାନଙ୍କ ପଛକୁ ପୂର୍ବତନ ଇଂଲଣ୍ଡ ସ୍ପିନର କାରୋଲେ ହଜେସ୍ (୩୭ ୱିକେଟ୍, ୨୪ ମ୍ୟାଚ୍) ତୃତୀୟରେ ରହିଛନ୍ତି। ଅବଶ୍ୟ ଚଳିତ ବିଶ୍ବକପ୍ରେ ଝୁଲଣଙ୍କ ପାଇଁ ବିଶ୍ବ କୀର୍ତ୍ତିମାନ ରଚିବାର ସୁଯୋଗ ରହିଛି। ଭାରତ ଲିଗ୍ ପର୍ଯ୍ୟାୟରେ ଆହୁରି ୫ ମ୍ୟାଚ୍ ଖେଳିବାକୁ ଥିବାରୁ ଝୁଲଣଙ୍କ ପାଇଁ ମାଇଲଖୁଣ୍ଟ ସୁଯୋଗ ଅପେକ୍ଷା କରିବ। ଅନ୍ୟପକ୍ଷରେ ୧୯୭ ଦିନିକିଆରେ ଝୁଲଣ ୨୪୮ ୱିକେଟ୍ ଦଖଲ କରିସାରିଥିବାରୁ ଆଉ ୨ ୱିକେଟ୍ ନେଲେ ୨୫୦ର ମାଇଲଖୁଣ୍ଟ ଛୁଇଁବେ।